୪୦ ଡିଗ୍ରି ଉପରେ ୫ ସହର

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଟିଟିଲାଗଡ଼ ଓ ମାଲକାନଗିରି ତାପମାତ୍ରା ପୁଣିଥରେ ୪୧ ଡିଗ୍ରିରେ ପହଞ୍ଚିଛି। ଏଥିସହ ୫ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଟପିଯାଇଛି। ୬ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ। ଏପ୍ରିଲ ୭ ଓ ୮ ତାରିଖରେ ପାଗରେ କିଛିଟା ପରିବର୍ତନ ହେବ। ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ହେବ। ଏଦିଗରେ ସତର୍କତା‌ ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ପୂର୍ବାନୁମାନ କରାଯାଇଛି ଯେ ୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ଏହାପରେ କିନ୍ତୁ ପାଣିପାଗ ବଦଳିବ। ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ନୟାଗଡ଼, ପୁରୀ, ଖୋର୍ଧା, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ କାଳବୈଶାଖୀ ହୋଇପାରେ। ୪୮ ଘଣ୍ଟା ଧରି ଏଭଳି ସ୍ଥିତି ଲାଗିରହିବ। ୯ ତାରିଖଠାରୁ ସାମାନ୍ୟ ପରିବର୍ତନ ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲି, ପାରାଦୀପ, କେନ୍ଦ୍ରାପଡ଼ା, କଟକର କେତେକ ସ୍ଥାନରେ କୁଆପଥର ବର୍ଷା ହୋଇଥିଲା। ଆଜି ରାତିରେ ବି କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଥିବାରୁ ସତର୍କ ସୂଚନା ଜାରି ହୋଇଛି।

ସମ୍ବନ୍ଧିତ ଖବର