ବୈତରଣୀରେ ଅଚାନକ ପାଣି ବୃଦ୍ଧି, ବାଲିଘାଟରେ ବୁଡ଼ିଗଲା ୫ ହାଇୱା

ଅଳ୍ପକେ ବର୍ତ୍ତିଲେ ଗାଡ଼ି କର୍ମଚାରୀ ଓ ଠିକା ଶ୍ରମିକ

ଯାଜପୁର/ କୋରେଇ: ଗତକାଲି ମଧ୍ୟରାତିରେ ଅଚାନକ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ମୂଳାପାଳ ପଞ୍ଚାୟତ ବରପଦା ଲିଙ୍କେଶ୍ବର ବାଲି ଘାଟରୁ ବାଲି ଉଠାଉଥିବା ୪ଟି ହାଇୱା ଓ ଗୋଟିଏ ଟ୍ରକ ବୁଡ଼ିଯାଇଛି। ଗାଡ଼ିଗୁଡ଼ିକର ଡ୍ରାଇଭର ଓ ଖଲାସୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେହିପରି ତଳ ମୁଣ୍ଡରେ ଜାତୀୟ ରାଜପଥରେ ବୈତରଣୀ ଉପରେ ହେଉଥିବା ନୂତନ ପୋଲ ତିଆରି ପାଇଁ ହେଇଥିବା ଅସ୍ଥାୟୀ ରାସ୍ତା ବୁଡ଼ିଯାଇଛି। ସେଠାରେ କାମ କରୁଥିବା ଶ୍ରମିକଙ୍କ ଶିବିର ମଧ୍ୟ ଧୋଇଯାଇଛି। ନଦୀରେ ହଠାତ ଜଳସ୍ତର ବୃଦ୍ଧି ‌ହେଉଥିବା ଶ୍ରମିକମାନେ ଦେଖି ଶିବିର ଛାଡ଼ି ବନ୍ଧ ଉପରକୁ ଚାଲି ଯାଇଥିଲେ।

ବୈତରଣୀ ନଦୀ ଉପର ମୁଣ୍ଡରେ ଥିବା ଆନନ୍ଦପୁର ବ୍ୟାରେଜରୁ ଗତକାଲି ପାଣି ଛାଡ଼ିବା ସହିତ ଆଖୁଆପଦା ନିକଟରେ ଥିବା ଆନିକଟ ଫାଟକ ୪ଟି ପଡ଼ିଯାଇଥିଲା। ଅମ୍ଫା‌ନର ଯୋଗୁ ନଦୀରେ ଆସିଥିବା ବର୍ଷା ପାଣି ଯୋଗୁଁ ନଦୀର ଜଳ ସ୍ତରକୁ ହଠାତ୍‌ ବୃଦ୍ଧି ପାଇଥିଲା। ଅଧ‌ ରାତିରେ ଘଣ୍ଟାଏ ମଧ୍ୟରେ ନଦୀର ଜଳସ୍ତର ବୃଦ୍ଧି ଫଳରେ ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ବରପଦା ବାଲିଘାଟ(ଲିଙ୍ଗେଶ୍ବର ଘାଟ)ରୁ ବାଲି ନେବାକୁ ଆସି ଅଟକି ଯାଇଥିବା ୪ଟି ହାଇୱା ଓ ଗୋଟିଏ ଟ୍ରକ ପାଣିରେ ବୁଡ଼ି ଯାଇଥିଲା। ନଦୀରେ ଜଳସ୍ତର ବୃଦ୍ଧିକୁ ଲକ୍ଷ୍ୟ କରି ଗାଡି ଛାଡ଼ି ପ୍ରାଣ ବକଳରେ ୮ଜଣ ଚାଳକ ଓ ଖଲାସି ନଦୀ ବନ୍ଧ ଉପରକୁ ପଳାଇ ଆସିଥିଲେ। ଖବର ଜଣାପଡ଼ିବା ପରେ ଆନିକଟ କର୍ତ୍ତୃପକ୍ଷଙ୍କୁ ପାଣିକୋଇଲି ପୁଲିସ ଖବର ଦେଇଥିଲା। ଫଳରେ ତଳମୁଣ୍ଡରେ ଥିବା ଆନିକଟର ୪ଟି ଗେଟକୁ ଖୋଲି ଦିଆଯାଇଛି। ପାଣି କମିବା ପରେ ଗାଡ଼ି ଗୁଡ଼ିକୁ ଉଦ୍ଧାର କରାଯିବ ବୋଲି ବାଲିଘାଟ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର