୫୦ ସିଏଚ୍‌ସିରେ ଖୋଲିବ ଭିଜନ୍‌ ସେଣ୍ଟର

୫ ହସ୍ପିଟାଲରେ ଶିଶୁଙ୍କ ଲେଜର ଚକ୍ଷୁ ପରୀକ୍ଷା

ମେଡିକାଲ କଲେଜରେ ବିଏସ୍‌/ଏମ୍‌ଏସ୍‌ସି ଓପ୍‌ଟୋମେଟ୍ରିକ୍‌ ପାଠ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟର ୫ ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ଶିଶୁଙ୍କ ଲେଜର ଚକ୍ଷୁ ପରୀକ୍ଷା। ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଏହି ପରୀକ୍ଷା କରାଯିବ। ରାଜ୍ୟରେ ଏବେ ବେସରକାରୀ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେଉଥିବା ବେଳେ ସରକାରୀ ହସ୍ପିଟାଲରେ ଏହା ପ୍ରଥମଥର ଲାଗି ଆରମ୍ଭ ହେବାକୁ ଯାଉଛି। ତେବେ କେଉଁ କେଉଁ ହସ୍ପିଟାଲରେ ଏହା ଆରମ୍ଭ ହେବ ତାହା ସ୍ପଷ୍ଟ ହୋଇନାହିଁ।

ରାଜ୍ୟ ସରକାରଙ୍କ ପକ୍ଷରୁ ଗତବର୍ଷ ଅକ୍ଟୋବର ମାସରେ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟର ଚକ୍ଷୁ ସୁରକ୍ଷା ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ଶିଶୁଙ୍କ ଚକ୍ଷୁ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିର୍ଧାରିତ ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ଚକ୍ଷୁ ନଷ୍ଟ ହୋଇଯିବାର ଅଧିକ ଆଶଙ୍କା ରହିଥାଏ। ତେଣୁ ସେମାନଙ୍କ ଚକ୍ଷୁର କିଭଳି ସୁରକ୍ଷା ହୋଇପାରିବ ସେ ଦୃଷ୍ଟିରୁ ରାଜ୍ୟରେ ଲେଜର ଚକ୍ଷୁ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଶିଶୁ ରୋଗ ଆଇସିୟୁ ବା ପିକୁ ଓ ନବଜାତ ଆଇସିୟୁ ବା ନିକୁ ରହିଥିବା ସରକାରୀ ହସ୍ପିଟାଲରେ ଏହାକୁ ଖୋଲିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଜିଲ୍ଲାସ୍ତରରେ ସମସ୍ତ ଶିଶୁଙ୍କ ଚକ୍ଷୁର ସ୍କ୍ରିନିଂ କରାଯିବ ଓ ଯେଉଁ ଶିଶୁଙ୍କ ଅସ୍ତ୍ରୋପଚାର ଆବଶ୍ୟକ ସେମାନଙ୍କୁ ଏହି ସେଣ୍ଟରକୁ ରେଫର କରାଯିବ। ଏଥିପାଇଁ ଡାକ୍ତରମାନଙ୍କୁ ଆରଓପି ବା ରେଟିନୋପ୍ୟାଥି ଅଫ ପ୍ରିମାଚ୍ୟୁରିଟି ଟ୍ରେନିଂ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସିସ୍ତରରେ ଭିଜନ୍‌ ସେଣ୍ଟର ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୫୦ଟି ସିଏଚ୍‌ସିରେ ଏହି ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗୋଟିଏ ଭିଜନ୍‌ ସେଣ୍ଟର ପାଇଁ ୧୬ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୧୦ଲକ୍ଷ ଟଙ୍କା ହସ୍ପିଟାଲର ଭିତ୍ତିଭୂମିର ବିକାଶ ଓ ୬ଲକ୍ଷ ଟଙ୍କା ଆବଶ୍ୟକ ଯନ୍ତ୍ରପାତି କିଣା ବାବଦରେ ଖର୍ଚ କରାଯିବ। ଏହାସହ ରାଜ୍ୟରେ ବିଏସ୍‌ସି/ଏମ୍‌ଏସ୍‌ସି ଓପ୍‌ଟୋମେଟ୍ରିକ୍‌ ପାଠ୍ୟକ୍ରମ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୩ଟି ମେଡିକାଲ କଲେଜରେ ଆସନ୍ତା ୩ବର୍ଷ ମଧ୍ୟରେ ଏହି ପାଠ୍ୟକ୍ରମ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଗାଇଡଲାଇନ୍‌ ପ୍ରସ୍ତୁତ କରାଯିବା ପରେ କେଉଁ ଢାଞ୍ଚାରେ ପାଠ୍ୟକ୍ରମ ଖୋଲାଯିବ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ। ରାଜ୍ୟରେ କେତେ ସଂଖ୍ୟକ ବ୍ୟକ୍ତି ଚକ୍ଷୁ ରୋଗରେ ଆକ୍ରାନ୍ତ ଅଛନ୍ତି ତାହା ଜାଣିବା ପାଇଁ ଏକ ଚକ୍ଷୁ ରୋଗ ସର୍ବେକ୍ଷଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ରାଜ୍ୟର ପ୍ରମୁଖ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଡାକ୍ତରଖାନାରେ ଚକ୍ଷୁ ପାଇଁ ଅସ୍ତ୍ରୋପଚାର ଗୃହ ବା ଓଟି ଖୋଲାଯିବ। ତୃଣମୂଳସ୍ତରରେ ରାଜ୍ୟରେ ଏଭଳି ଓଟି ଗ୍ରାମାଞ୍ଚଳର ଲୋକଙ୍କ ଆଖିର ସୁରକ୍ଷା ଦିଗରେ ସହାୟକ ହୋଇପାରିବ। ତେବେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ଅପ୍‌ଥାଲ୍‌ମୋଲୋଜିଷ୍ଟ ଓ ଓଟି ଟେକ୍‌ନିସିଆନଙ୍କୁ ଟ୍ରେନିଂ ଦିଆଯିବ। ରାଜ୍ୟରେ ଏବେ ସରକାରୀ ଓ ଚୁକ୍ତିଭିତ୍ତିକଙ୍କୁ ମିଶାଇ ୨୨୦ଜଣ ଅପ୍‌ଥାଲମୋଲୋଜିଷ୍ଟ ଟେକନିସିଆନ୍‌ ରହିଛନ୍ତି। ସେମାନଙ୍କୁ ୧୫ ଦିନିଆ ଦକ୍ଷତା ବିକାଶ ଟ୍ରେନିଂ ପ୍ରଦାନ କରାଯିବ। ୩ଟି ପ୍ରମୁଖ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, କଟକସ୍ଥିତ ରୋଟାରି ଚକ୍ଷୁ ହସ୍ପିଟାଲ ଓ ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ଏହି ଟ୍ରେନିଂ ଦିଆଯିବ। ମାର୍ଚ ୧୨ରୁ ଏହି ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ରାଜ୍ୟରେ ଆରମ୍ଭ ହୋଇଥିବା ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୫ବର୍ଷରେ ୬ଶହ କୋଟି ଟଙ୍କା ଖର୍ଚ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଗଠିତ ହୋଇଥିବା ଉଚ୍ଚକ୍ଷମତା ସଂପନ୍ନ କମିଟି ଏହାର ପ୍ରଥମ ବର୍ଷ ପାଇଁ ୧୦୯ କୋଟି ଟଙ୍କାର ବ୍ୟୟ ଅଟକଳ କରିଛି। ଆସନ୍ତା ବଜେଟ୍‌ରେ ଏହି ଅର୍ଥ ପାରିତ ହେବା ପରେ ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର