ପାଠ ପଢି ପରୀକ୍ଷା ଦେବା ପାଇଁ ବୟସ ପ୍ରତିବନ୍ଧକ ନୁହେଁ : ୫୦ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷା ଦେଲେ କନ୍ଧମାଳର ଅନିତା

ନାତି-ନାତୁଣୀ ତ କହିବେ ଜେଜେମା ମାଟ୍ରିକ୍ ପାସ୍

ଫୁଲବାଣୀ : ଘର ସଂସାର କଥା ବୁଝି ପାଠ ପଢି ପରୀକ୍ଷା ଦେବା ନିଶ୍ଚୟ କଷ୍ଟକର ବ୍ୟପାର। ହେଲେ ସବୁକୁ ପଛରେ ପକାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି କନ୍ଧମାଳର ୫୦ ବର୍ଷିଆ ମହିଳା। ଆଉ ୨ ମାସ ପରେ ତାଙ୍କୁ ୫୧ ଛୁଇଁବ। ତାଙ୍କ ନାଁ ହେଉଛି ଅନିତା ଦିଗାଲ। ତାଙ୍କର ଘର ଖଜୁରୀପଡା ବ୍ଳକ ଲାମ୍ବାବାଡିରେ। ତାଙ୍କର ସଂସାର କହିଲେ ସ୍ବାମୀ ସହ ଗୋଟିଏ ପୁଅ। ଅନିତା ମାତ୍ର ସପ୍ତମ ଶ୍ରେଣୀ ଯାଏ ପାଠ ପଢିଛନ୍ତି। ଅଧିକ ପାଠ ପଢିବାର ଇଛା ଥିଲେ ବି ଆର୍ଥିକ ସହ ଅନ୍ୟାନ୍ୟ ସମସ୍ୟା ତାଙ୍କ ପ୍ରତିବନ୍ଧକ ସୃଷ୍ଟି କରିଥିଲା। ସରକାର ମୁକ୍ତ ବିଦ୍ୟାଳୟ କାର୍ଯ୍ୟକ୍ରମ ଆରମ୍ଭ କଲେ। ଦଶମ ନ ପଢି ବି ମାଟ୍ରିକ ପରୀକ୍ଷା ଦେଇ ହେବ। ଏ ନେଇ ସରକାରୀ ଘୋଷଣା ପରେ ଅନିତା ପାଠ ପଢି ମାଟ୍ରିକ ପରୀକ୍ଷା ଦେବାକୁ ମନସ୍ଥ କରିଥିଲେ। ସ୍କୁଲରେ ନାମ ଲେଖାଇବା ସହ ପରୀକ୍ଷା ଫି ବାନ୍ଧିଥିଲେ। ବହି ପତ୍ର କିଣି ମନଧ୍ୟାନ ଦେଇ ପାଠ ପଢି ପରୀକ୍ଷା ପାଇଁ ପ୍ରସ୍ଚୁତ ହେଲେ। ଏଥିରେ ତାଙ୍କର ସ୍ବାମୀ ବି ସମର୍ଥନ ଦେଇଥିଲେ।

ଅନିତା ଫୁଲବାଣୀ ଶ୍ରୀସତ୍ୟସାଇ ସ୍କୁଲ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ୩ ଦିନ ପରୀକ୍ଷା ଶେଷ ହେଲାଣି। ପରୀକ୍ଷା ଭଲ ସେତେଟା ଭଲ ହୋଇ ନଥିଲେ ବି ଖରାପ ହୋଇ ନାହିଁ ବୋଲି ସେ କହନ୍ତି। ଆଗକୁ ଥିବା ପରୀକ୍ଷା ଗୁଡିକ ଭଲ ହେବ ବୋଲି ସେ ମଧ୍ୟ ଆଶାବାଦୀ ଅଛନ୍ତି। ଆଜି ପରୀକ୍ଷା ଶେଷ ହେବା ପରେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି। ଏହି ବୟସରେ କାହଁକି ମାଟ୍ରିକ ପରୀକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନରେ ସେ ସ୍ମିତହାସ୍ୟରେ ସେମିତି କିଛି ନାହିଁ ବୋଲି କହିଥିଲେ। ଚାକିରି କରିବାର ଅଭିଳାସ ନାହିଁ କି ଅନ୍ୟ କିଛି କରିବାର ଇଛା ବି ନାହିଁ। ପୁଅ ବଡ ହେଲେ ବାହାଘର ହେବ। ନାତି-ନାତୁଣୀ ଜନ୍ମ ହେଲେ ଏତିକି ତ କହିବେ ଜେଜେମା ମାଟ୍ରିକ ପାସ କରିଛନ୍ତି। ଏହା ଦ୍ବାରା ସେମାନେ ବି ପ୍ରଭାବିତ ହୋଇ ଭଲ ପାଠ ପଢି ଭଲ ମଣିଷ ହେବା ପାଇଁ ପ୍ରୟସା କରିବେ।

ଏସବୁ ଶୁଣି ଅନ୍ୟ ପରୀକ୍ଷାର୍ଥୀ ବି ଉତ୍ସାହିତ ହୋଇ ପଡିଥିବା ଦେଖିବାକୁ ମିଳିଥିଲା। ପାଠ ପଢିବା ଓ ପରୀକ୍ଷା ଦେବାରେ ସେମିତି କିଛି ବୟସର ପ୍ରତିବନ୍ଧକ ନାହିଁ। ପାଠ ଛାଡି ଥିବା ପୁରୁଷ ଓ ମହିଳା ମୋ ଭଳି ପାଠ ପଢି ପରୀକ୍ଷା ଦିଅନ୍ତୁ ବୋଲି ଅନିତା ଆହ୍ବାନ ଦେଇଛନ୍ତି। ଅନିତାଙ୍କ ଏହି ଉଦ୍ୟମ ଅନ୍ୟମାନଙ୍କ ପାଇଁ ନିଶ୍ଚୟ ଉଦାହରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର