ପୁରୀରେ ଝାଡ଼ାବାନ୍ତି ସ୍ଥିତି ସଂଗିନ, ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଡେଇଁଲା

ଗ୍ରାମାଞ୍ଚଳ ଜଳ ଉତ୍ସ ଦୂଷିତ, ସ୍ଥାଣୁ ପାଲଟିଛି ଗାଁ କଲ୍ୟାଣ ସମିତି

ପୁରୀ: ବାତ୍ୟା ‘ଫନି’ ପରେ ପୁରୀ ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ସଂଗିନ ‌ହୋଇପଡ଼ିଛି। ଏମିତି କେଉଁ ଦିନ ନାହିଁ, ଡାକ୍ତରଖାନାକୁ ଝାଡ଼ାବାନ୍ତି ଆକ୍ରାନ୍ତ ଆସୁନାହାନ୍ତି। ଏହା କ୍ରମଶଃ ମହାମାରୀ ରୂପ ନେବାର ଆଶଙ୍କା ଦେଖା ଦେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ର ଏବଂ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶହ ଶହ ଝାଡ଼ାବାନ୍ତି ରୋଗୀଙ୍କୁ ଦେଖିବାକୁ ମିଳୁଛି। ପୁରୀ ପୌରାଞ୍ଚଳ, ସଦର ବ୍ଳକ, ନିମାପଡ଼ା, ଅସ୍ତରଙ୍ଗ, ସତ୍ୟବାଦୀ, କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକରେ ସ୍ଥିତି ଘୋର ଉଦ୍‌ବେଗଜନକ। ଡାକ୍ତରଖାନାରୁ ଯେତିକି ରୋଗୀ ସୁସ୍ଥ ହୋଇଫେରୁଛନ୍ତି, ସେତିକି ନୂଆ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବଢିଚାଲିଛି। ବିଭିନ୍ନ ଡାକ୍ତରଖାନାରୁ ମିଳିଥିବା ସୂଚନା ମୁତାବକ, ଜିଲ୍ଲାରେ ଝାଡ଼ାବାନ୍ତି‌ ‌ରୋଗୀ ସଂଖ୍ୟା ପାଞ୍ଚ ହଜାର ଡେଇଁ ସାରିଲାଣି। ମୁଣ୍ଡ ଉପରେ ରଥଯାତ୍ରା। ଯଦି ସ୍ଥିତି ନିୟନ୍ତ୍ରଣ ନ ହୁଏ ତେବେ ଆଗକୁ ଗାଁଗଣ୍ଡାରେ ଏହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ତାହା ଜଳଜଳ ହୋଇ ଦେଖା ଦେଲାଣି।

ପ୍ରତିଦିନ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ କେବଳ ଝାଡ଼ାବାନ୍ତି ଆକ୍ରାନ୍ତ ବୋଲି ଜଣାପଡିଛି। ଗତ ୨୦ ଦିନ ମଧ୍ୟରେ ପୁରୀ ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ର (ଆଇଡିଏଚ୍‌)ରେ ୧୨୦୦ରୁ ଅଧିକ ରୋଗୀ ଚିକିତ୍ସିତ ହୋଇ ସାରିଲେଣି। ଆଜି ଆହୁରି ୫୩ ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଆଶୁ ଚିକିତ୍ସା ସତ୍ତ୍ବେ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ବ୍ରହ୍ମଗିରି ରେବଣାନୂଆଗାଁ, ସତ୍ୟବାଦୀ, ନିମାପଡ଼ା, ଅସ୍ତରଙ୍ଗ ଓ ବ୍ରହ୍ମଗିରି ଅଞ୍ଚଳରେ ଝାଡାବାନ୍ତି ସ୍ଥିତି ଗମ୍ଭୀର ରହିଥିଲେ ମଧ୍ୟ ପ୍ରଶାସନ ଏହାକୁ ଆଦୌ ଗୁରୁତ୍ବ ଦେଉନାହିଁ। ଝାଡ଼ାବାନ୍ତିରେ କାହାରି ମୃତ୍ୟୁ ହେଉନାହିଁ କହି ପ୍ରଶାସନିକ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ଏଡ଼ାଇ ଚାଲିଛନ୍ତି। କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି, ତା’ର ମୂଳ କାରଣକୁ ଖୋଜୁନି ପ୍ରଶାସନ।

ବନ୍ଦ କରିଦେଲେ ପାନୀୟ ଜଳ ବଣ୍ଟନ
ଏବେ ବି ୬୦ % ଲୋକ ବିଜୁଳିରୁ ବଞ୍ଚିତ

ଏବେ ବି ୮୦ ପ୍ରତିଶତ ଗାଁକୁ ବିଜୁଳି ସଂଯୋଗ ମିଳିନଥିବା ବେଳେ ପ୍ରଶାସନ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ ବନ୍ଦ କରିଦେଇଛି। ବିକଳ୍ପ ଉତ୍ସ ନ ଥିବାରୁ ଲୋକେ ଅଶୋଧିତ ଜଳ ଉତ୍ସରୁ ପିଇବା ପାଣି ସଂଗ୍ରହ କରିବା ସହ ବ୍ୟବହାର କରୁଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଶରତ ମିଶ୍ରଙ୍କ କହିବାନୁସାରେ, ବିଦ୍ୟୁତ୍ ସଂଯୋଗ ମିଳିବା କାରଣରୁ ସହରରେ ଜଳ ବଣ୍ଟନ ବନ୍ଦ କରି ଦିଆଯାଇଛି। ସେପଟେ ଗାଁରେ କାଁଭାଁ ଜଳ ବଣ୍ଟନ କରାଯାଉଥିଲେ ବି ତାହା ପର୍ଯ୍ୟାପ୍ତ ନୁହେଁ। ବ୍ଲକ୍ ଅଞ୍ଚଳରେ ଲୋକ ଦେଖାଣିଆ ଭାବେ ଗୋଟିଏ, ଦୁଇଟି ଟ୍ୟାଙ୍କର ବୁଲୁଛି। ବିଦ୍ୟୁତ ସଂଯୋଗ ନଥିବାରୁ ଗାଁ ଲୋକେ ଦୂଷିତ ଜଳରେ ଖାଲି ରୋଷେଇ କରୁନାହାନ୍ତି, ଖିଆପିଆରେ ବି ତାକୁ ବ୍ୟବହାର କରୁଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯେଉଁ ଜଳକୁ ବିଶୁଦ୍ଧ ଜଳ ବୋଲି ପ୍ରଶାସନ ବାଣ୍ଟୁଥିଲା ସେ ଜଳର ଉତ୍ସ ମଧ୍ୟ ଦୂଷିତ। ଫନି ପରେ ପୁରୀ ସହର ସମେତ ଜିଲ୍ଲାର କୌଣସି ଜଳ ଉତ୍ସ ସଫା କରାଯାଇନାହିଁ। ଗାଁ କଲ୍ୟାଣ ସମିତି ବି ଚୁପ୍ ବସିଛି। ଜଳ ଉତ୍ସ ସଫା ପାଇଁ ଗାଁ କଲ୍ୟାଣ ସମିତିରେ ଅର୍ଥ ବରାଦ ବ୍ୟବସ୍ଥା ଥିଲେ ବି ଏହାର ଉପଯୋଗ ହେଉନାହିଁ। ଜିଲ୍ଲା ପ୍ରଶାସନ ରଥଯାତ୍ରା ପାଇଁ ବ୍ୟସ୍ତ ଥିବା ବେଳେ ଫନି ପର ଯନ୍ତ୍ରଣାରେ ‌ଗାଁ ଲୋକେ ଛଟପଟ ହେଉଛନ୍ତି। ବିଦ୍ୟୁତ୍ ସଂଯୋଗ ନଥିବା ଗାଁ ଗୁଡିକ‌ରେ ମଶାମାଛିଙ୍କ ଉପଦ୍ରବ ଯୋଗୁ ଲୋକେ ଅତିଷ୍ଠ ହୋଇ ପଡିଲେଣି। ରାତିରେ ମଶାଡାଆଁସଙ୍କ ଦୌରାତ୍ମ୍ୟ ଅବର୍ଣ୍ଣନୀୟ। ସ୍ଥିତି ଏମିତି ରହିଲେ, ଆଗକୁ ଗାଁ ଗାଁରେ ମ୍ୟାଲେରିଆ ବ୍ୟାପିବା ଥୟ। ସବୁଠୁ ପରିତାପର ବିଷୟ ହେଉଛି, ପ୍ରତିଦିନ ଏତେ ସଂଖ୍ୟକ ରୋଗୀ ମେଡିକାଲକୁ ଆସୁଥିଲେ ବି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ଅନ୍ୟ କୌଣସି ବରିଷ୍ଠ ଅଧିକାରୀ ଝାଡ଼ାବାନ୍ତି ସ୍ଥିତିକୁ ନେଇ ଦିନେ ହେଲେ ସମୀକ୍ଷା କରିନାହାନ୍ତି। ଏଇଥିରୁ ସରକାରୀ କଳର ଆନ୍ତରିକତା ଓ ତତ୍ପରତା କେତେ ତାହା ଜଣାପଡ଼ୁଛି।

ସମ୍ବନ୍ଧିତ ଖବର