ସୁନ୍ଦରଗଡ଼ରେ ସର୍ବାଧିକ ୫୪ ଖଣି ବନ୍ଦ

ରାଉରକେଲା : ଲଘୁ ଖଣିଜ ଦ୍ରବ୍ୟ ବ୍ୟତୀତ ରାଜ୍ୟର ବିଭିନ୍ନ ଖଣିଜ ଜିଲ୍ଲାରେ ଥିବା ୬୨୪ଟି ଖଣି ମଧ୍ୟରୁ ଏବେ ମାତ୍ର ୧୩୭ଟି କାର୍ଯ୍ୟକ୍ଷମ। ତେବେ ଆଇନସଂଗତ ଅଧିକାର ହରାଇଥିବା କାରଣରୁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୫୪ଟି ଖଣି ସବୁ ଦିନ ପାଇଁ ବନ୍ଦ ହୋଇଯାଇଛି। ସେଥିରେ ରାଉରକେଲା ଖଣି ମଣ୍ଡଳର ୪୬ଟି ଓ କୋଇଡ଼ା ଖଣି ମଣ୍ଡଳରେ ଆଉ ୮ଟି ଲୁହାପଥର ଓ ମାଙ୍ଗାନିଜ ଖଣି ଅନ୍ତର୍ଭୁକ୍ତ।

ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ତଥ୍ୟ ଅନୁଯାୟୀ ଜଙ୍ଗଲ ଓ ପରିବେଶ ସମେତ ବିଭିନ୍ନ ବୈଧାନିକ କଟକଣା, ଲିଜ୍‌ ନବୀକରଣ ଆବେଦନ ନହେବା ଆଦି କାରଣରୁ ୬୨୪ ଖଣି ମଧ୍ୟରୁ ୪୮୭ ଖଣିରୁ ଉତ୍ତୋଳନ ଦୀର୍ଘ ଦିନରୁ ବନ୍ଦ ରହିଛି। ସେଥିରୁ ୨୦୨ଟି ଖଣିର ଲିଜ୍‌କୁ ନିଲମ୍ବିତ କରାଯାଇଥିବା ବେଳେ ୧୩୧ଟି ଖଣିରୁ ଉତ୍ତୋଳନକୁ ସାମୟିକ ଭାବେ ରୋକ୍‌ ଲଗାଯାଇଛି। ଲିଜ୍‌ ନବୀକରଣ ପାଇଁ ଦରଖାସ୍ତ ନଥିବାରୁ ୩୪ଟି ଖଣି ମିଆଦ ଶେଷ ମାତ୍ରେ ବନ୍ଦ ହୋଇଯାଇଛି। ଏହାଛଡ଼ା ଆଇନଗତ କାରଣରୁ ଆଉ ୭୨ଟି ଖଣିର ଲିଜ୍‌ ସବୁ ଦିନ ପାଇଁ ବାତିଲ ହୋଇଛି। ଅନୁରୂପ କାରଣରୁ ବନ୍ଦ ରହିଥିବା ୧୦ଟି ଖଣିରୁ ପୂର୍ବରୁ ଉତ୍ତୋଳିତ ଖଣିଜ ଚାଲାଣ ପାଇଁ ସରକାର ଅସ୍ଥାୟୀ ଅନୁମତି ଦେଇଛନ୍ତି। ତେବେ ମୋଟାମୋଟି ଭାବେ ମାତ୍ର ୧୩୭ଟି ଖଣି ବିଧିବଦ୍ଧ କାର୍ଯ୍ୟକ୍ଷମ ଥିବାରୁ ବନ୍ଦ ରହିଥିବା ୪୮୭ ଖଣି ମଧ୍ୟରୁ କେତେ ଖଣି କେବେ ପୁନଃକାର୍ଯ୍ୟକ୍ଷ ହେବ, ତାହା ଅନିଶ୍ଚିତ। ଅନ୍ୟ ପକ୍ଷରେ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ପ୍ରାୟ ୫୦ଟି ଘରୋଇ ଖଣିର ଲିଜ୍‌ ମିଆଦ ଶେଷ ହେଉଥିବାରୁ କାର୍ଯ୍ୟକ୍ଷମ ଖଣି ସଂଖ୍ୟା ଆହୁରି ହ୍ରାସ ପାଇବ। ତେବେ ଲିଜ୍‌ ମିଆଦ ଶେଷ ହେବାର ବର୍ଷେ ପୂର୍ବରୁ ଏସବୁ ଖଣିଗୁଡ଼ିକର ଇ-ନିଲାମ ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଯଦି ତାହା ସମ୍ଭବ ନହୁଏ, ତେବେ କାର୍ଯ୍ୟକ୍ଷମ ଖଣି ମଧ୍ୟରୁ ୫୦% ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବା ଆଶଙ୍କା ଅଛି।

ସଂଶୋଧିତ ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନ-୨୦୧୫ ଅନୁଯାୟୀ ରାଜ୍ୟ ସରକାର ଆଉ ପୂର୍ବ ପରି ଖଣି ଲିଜ୍‌ ପାଇଁ ସୁପାରିସ୍‌ କରିପାରିବେ ନାହିଁ। ବନ୍ଦ ଖଣିଗୁଡ଼ିକରେ ଗଚ୍ଛିତ ଖଣିଜର ପର୍ଯ୍ୟାୟକ୍ରମେ ଅନୁସନ୍ଧାନ ଶେଷ ହେବା ପରେ ସେଗୁଡ଼ିକୁ ଇ-ନିଲାମ କରାଯିବ। ପର୍ଯ୍ୟାୟକ୍ରମିକ ଅନୁସନ୍ଧାନକୁ ଜି-୧, ଜି-୨, ଜି-୩ ଓ ଜି-୪ରେ ବିଭକ୍ତ କରାଯାଇଛି। ତଦନୁଯାୟୀ ସାଧାରଣ ଅନୁସନ୍ଧାନ (ଜି-୨) ଶେଷ ହେବା ପରେ ସମ୍ପୃକ୍ତ ଖଣି ନିଲାମଯୋଗ୍ୟ ହେବ।

ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାର ୫୪ଟି ଖଣି ସମେତ ଅନ୍ୟାନ୍ୟ ରାଜ୍ୟରେ ଥିବା ମୋଟ ୨୮୮ଟି ଖଣିକୁ ଜି-୨ ସ୍ତରରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ଖଣିଜ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏହି ସ୍ତର ପରେ ନିଲାମ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇପାରିବ।

ସମ୍ବନ୍ଧିତ ଖବର