ସ୍କୁଲ ମାଡ଼ୁନାହାନ୍ତି ୫୫ ହଜାର କିଶୋରୀ ପ୍ରସଙ୍ଗ : ମାନବାଧିକାର କମିସନ୍‌ଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ୱର : ରାଜ୍ୟର ୧୧ରୁ ୧୪ ବର୍ଷ ବୟସର ୫୫ ହଜାର ୮୬୮ ଜଣ କିଶୋରୀ ବିଦ୍ୟାଳୟ ଯାଉ ନ ଥିବା ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବା ପରେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏହି ତଥ୍ୟକୁ ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୁହାଁମୁହିଁ ହୋଇଥିବା ବେଳେ ଆଜି ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଏ ସଂପର୍କରେ ଅଭିଯୋଗ ହୋଇଛି। ମାନବାଧିକାର କର୍ମୀ ତଥା ବରିଷ୍ଠ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ ଏପରି ଅଭିଯୋଗ କରିଛନ୍ତି। ଶ୍ରୀ କାନୁନ୍‌ଗୋ ପିଟିସନ୍‌ରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି। ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି ଯେ ୧୧ରୁ ୧୪ ବର୍ଷ ବୟସର ଯେଉଁ ୫୫ ହଜାର ପିଲା ସ୍କୁଲ ମାଡ଼ୁନାହାନ୍ତି ସେମାନଙ୍କ ଦାୟିତ୍ୱ ରାଜ୍ୟ ସରକାରଙ୍କର। ସେମାନେ ଏବେ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ସରକାର ସେମାନଙ୍କୁ ଶିକ୍ଷା ଦେବାରେ ବିଫଳ ମଧ୍ୟ ହୋଇଛନ୍ତି। ଏହାଦ୍ୱାରା କିଶୋରୀଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ଏହି ଘଟଣା ପଛରେ କ’ଣ କାରଣ ରହିଛି ତାହାକୁ ଖୋଜିବା ଓ ନିରାକରଣ ଦିଗରେ ପଦକ୍ଷେପ ନେବାକୁ ପିଟିସନ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର