ଯୁବ ସ୍ୱାଭିମାନ ଦିବସରେ ରକ୍ତ ସଂଗ୍ରହରେ ରେକର୍ଡ: ୬୯ଟି ରକ୍ତଦାନ ଶିବିରରୁ ସଂଗୃହୀତ ହେଲା ୫୭୧୨ ୟୁନିଟ୍‌ ରକ୍ତ

ଭୁବନେଶ୍ୱର: ଯୁବ ସ୍ୱାଭିମାନ ଦିବସ ପାଳନ ଅବସରରେ ଶନିବାର ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ମିଳିତ ଆନୁକୁଲ୍ୟରେ ରାଜ୍ୟର ୬୯ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରୁ ରେକର୍ଡ ସଂଖ୍ୟକ ୫୭୧୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଅତୀତରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଗୁଡ଼ିକରୁ ଏତେ ପରିମାଣରେ ରକ୍ତ ସଂଗୃହୀତ ହୋଇ ନଥିଲା। ୨୦୧୭ ମସିହା ଯୁବ ସ୍ୱାଭିମାନ ଦିବସ ଅବସରରେ ୫୧୧୪ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା, ଯାହାକି ତତ୍କାଳୀନ ରେକର୍ଡ ଥିଲା। କିନ୍ତୁ ଆଜି ୫୭୧୨ ୟୁନିଟ ରକ୍ତ ସଂଗୃହୀତ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି।

ରକ୍ତ ଅଭାବରେ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି ଆହ୍ଵାନ ଦେଇ ସମଗ୍ର ରାଜ୍ୟରେ ରକ୍ତ ଦାନ କ୍ଷେତ୍ରରେ ଏକ ବିପ୍ଲବ ସୃଷ୍ଟି କରିଥିବା ରାଜ୍ୟସଭା ସାଂସଦ ତଥା ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନକୁ ଯୁବ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଉଛି।

ଏହି ଅବସରରେ ‘ସମ୍ବାଦ’ର ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଆଜି ସକାଳେ ଶ୍ରୀଯୁକ୍ତ ପଟ୍ଟନାୟକ ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ। ରାଜ୍ୟର ସମୁଦାୟ ୬୯ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ‘ସମ୍ବାଦ’ର ବ୍ରହ୍ମପୁର, ବାଲେଶ୍ୱର ଓ ସମ୍ବଲପୁର କାର୍ଯ୍ୟାଳୟରେ ମଧ୍ୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର