୨ ମାସରେ ରାଜ୍ୟରେ ଧରାପଡ଼ିଛନ୍ତି ୫୮୫୬ ମଦୁଆ ଗାଡ଼ି ଚାଳକ

ଭୁବନେଶ୍ୱର : ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ରାଜ୍ୟରେ ଧରାପଡ଼ିଛନ୍ତି ୫ ହଜାର ୮ଶହ ୫୬ ମଦୁଆ ଗାଡ଼ି ଚାଳକ। ଏଥିରୁ କମିସନରେଟ୍‌ପୁଲିସ ଅଞ୍ଚଳ ଭୁବନେଶ୍ବରେ ୧୮ ଓ କଟକରେ ୩୬ ଜଣ ଧରା ପଡ଼ିଛନ୍ତି। ସେପ୍ଟେମ୍ବରରେ ଭୁବନେଶ୍ବରରେ ୧୬ ଜଣ ଧରାପଡ଼ିଥିବା ବେଳେ ଅକ୍ଟୋବରରେ ମାତ୍ର ୨ଜଣ ଧରା ପଡ଼ିଛନ୍ତି। କଟକରେ ସେପ୍ଟେମ୍ବରରେ ୧୬ ଜଣ ଓ ଅକ୍ଟୋବରରେ ୨୦ ଜଣ ଧରା ପଡ଼ିଛନ୍ତି।

ଦୁଇମାସରେ ରାଜ୍ୟ ସାରା ୧ ଲକ୍ଷ ୯୦ ହଜାର ଗାଡ଼ି ଚାଳକଙ୍କୁ ଯାଞ୍ଚ କରାଯାଇଥିଲା। ନୂଆ ଆଇନ ବଳରେ ମୋଟ୍‌ ୫୮୫୬ ମଦ୍ୟପ ଚାଳକଙ୍କୁ ଗିରଫ କରାଯାଇଥିଲା। ମଦୁଆ ଚାଳକଙ୍କୁ ଗିରଫ କରିବାରେ ଗଞ୍ଜାମ ଜିଲ୍ଲା ପୁଲିସ ୧୧୯୧ଙ୍କୁ ବାନ୍ଧି ‘ଟପ୍‌ ଟେନ୍‌’ ତାଲିକାର ଶୀର୍ଷରେ ରହିଥିବା ବେଳେ ମୟୂରଭଞ୍ଜ ୭୦୨, ଯାଜପୁର ୬୩୫, ଅନୁଗୁଳ ୩୯୫, ସୁନ୍ଦରଗଡ଼ ୨୫୦, ଢେଙ୍କାନାଳ ୨୪୯, କଳାହାଣ୍ଡି ୨୧୪, ଗଜପତି ୨୧୨, ସମ୍ବଲପୁର ୨୦୮, ବ୍ରହ୍ମପୁର ୧୯୧ ଓ କନ୍ଧମାଳ ଜିଲ୍ଲା ପୁଲିସ ୧୫୨ ଜଣଙ୍କୁ ବାନ୍ଧି ତାଲିକାର ୧୦ ନମ୍ବରରେ ରହିଛି। ପୁରୀ ଜିଲ୍ଲା ପୁଲିସ ଦୁଇମାସରେ ୧୧ ଜଣଙ୍କୁ ବାନ୍ଧି ତାଲିକାର ଶେଷରେ ରହିଛି।

ରାସ୍ତା ଦୁର୍ଘଟଣାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟିର ଆଦେଶ ଓ ସରକାରଙ୍କ ନିର୍ଦ୍ଦେଶ ବଳରେ ମଦ୍ୟପ ଗାଡ଼ି ଚାଳକଙ୍କୁ ଗିରଫ କରିବା ଆରମ୍ଭ ହୋଇଥିଲା। ଏହି ଗିରଫଦାରି ଫଳରେ ମୃତ୍ୟୁ ସଂଖ୍ୟା କମିଥିବା ପରିଲକ୍ଷିତ ହୋଇଥିଲା। ସେପ୍ଟେମ୍ବର ଓ ଅକ୍ଟୋବରରେ କଟକ, ପୁରୀ, ବାଲେଶ୍ବର, ବୌଦ୍ଧ, ମୟୂରଭଞ୍ଜରେ ଦୁର୍ଘଟଣା କମିଥିବା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର