ରଥଯାତ୍ରା ପାଇଁ ୫୮୬ ଡାକ୍ତର

ଭୁବନେଶ୍ୱର : ଆସନ୍ତା ରଥଯାତ୍ରା ସମୟରେ ୫୮୬ ଡାକ୍ତର ଓ ପାରାମେଡିକଙ୍କୁ ମୁତୟନ କରାଯିବ। ଏଥିରେ ୫୧ଜଣ ବିଶେଷଜ୍ଞ ଡାକ୍ତର, ୧୩୬ଜଣ ଜେନେରାଲ ଡ୍ୟୁଟି ଡାକ୍ତର, ୮୦ଜଣ ଫାର୍ମାସିଷ୍ଟ, ୧୯୦ଜଣ ଆଟେଣ୍ଡାଣ୍ଟ, ୨୦ଜଣ ଷ୍ଟାଫ ନର୍ସ, ୨ଜଣ ରେଡିଓଗ୍ରାଫର, ୬ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ୨୧ଜଣ ଡ୍ରାଇଭର ରହିଛନ୍ତି। ଏହାସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ମଧ୍ୟ ଉପଲବ୍ଧ ହେବ।

ଆଜି ରଥଯାତ୍ରା ସଂପର୍କରେ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଯୋଗ ଦେଇଥିଲେ। ରଥଯାତ୍ରାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ପରିମଳ ଓ ପରିବେଶ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ଜୁନ୍‌ ୨୫ତାରିଖରୁ ଜୁଲାଇ ୨୫ତାରିଖ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବା ସହିତ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୨ଟି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ଟି ଆମ୍ବୁଲାନ୍‌ସ ଯୋଗାଇ ଦିଆଯିବ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ଆମ୍ବୁଲାନ୍‌ସ ମୁତୟନ କରିବେ। ପୁରୀ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ୧୩ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବ।

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ୨୪ଘଣ୍ଟିଆ ଓପିଡି କାର୍ଯ୍ୟ କରିବ। ଯାତ୍ରା ସମୟରେ ୨୦୩ ଜାତୀୟ ରାଜପଥ, ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ପିପିଲି, ମଙ୍ଗଳପୁର, ସାତଶଙ୍ଖ, ସାକ୍ଷୀଗୋପାଳ, ଚନ୍ଦନପୁରରେ ଥିବା ସ୍ୱାସ୍ଥ୍ୟାନୁଷ୍ଠାନ ଗୁଡ଼ିକ ଓପିଡି ଓ କାଜୁଆଲିଟି ଦିବାରାତ୍ର ଖୋଲିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ଟି ଅଧିକ ଶଯ୍ୟା ଓ ଜରୁରୀ ଆବଶ୍ୟକତା ପାଇଁ ୨ଶହ ୟୁନିଟ୍‌ ବିଭିନ୍ନ ଗ୍ରୁପ୍‌ର ବ୍ଳଡ ମହଜୁଦ ରହିବ। ଏଠାରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ଓ ଏହାର ଟେଲିଫୋନ୍‌ ନମ୍ବର ହେଉଛି ୦୬୭୫୨-୨୨୨୧୭୫।

ସଚିବାଳୟରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର