ସ୍ବତନ୍ତ୍ର ଟ୍ରେନ୍‌ରେ ରାଉରକେଲାରେ ପହଞ୍ଚିଲେ ୫୯ ପ୍ରବାସୀ ଶ୍ରମିକ

ରାଉରକେଲା: ଆନ୍ଧ୍ରପ୍ରଦେଶ ତିରୁଭିଲାରୁ ସ୍ବତନ୍ତ୍ର ଟ୍ରେନ୍‌ରେ ଆସିଥିବା ୫୯ ପ୍ରବାସୀ ଶ୍ରମିକ ଆଜି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଦେବଗଡର ୪୪, ସୁନ୍ଦରଗଡର ୧୩ ଓ ଝାରସୁଗୁଡାର ୨ ପ୍ରବାସୀ ଶ୍ରମିକ। ଟ୍ରେନ୍‌ରୁ ଓହ୍ଲାଇବା ପରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ବାରା ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ସିଟି ବସ୍‌ରେ ନିଜ ନିଜ ଗାଁକୁ ପଠାଇ ଦିଆଯାଇଥିଲା। ବସ୍‌‌ରେ ଚଢ଼ିବା ପୂର୍ବରୁ ସେମାନଙ୍କୁ ଖାଦ୍ୟ, ପାଣି ବୋତଲ ଓ ମାସ୍କ ଦିଆଯାଇଥିଲା। ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ବ୍ଲକରୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ବ୍ଲକରେ ପହଞ୍ଚିବା ପରେ ସେମାନଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ଲାଗି କରାଯାଇଥିବା ବ୍ୟବସ୍ଥାରେ ସେମାନେ ଖୁସି ବ୍ୟକ୍ତ କରିଥିଲେ।

ସେହିପରି ଦେବଗଡ ଓ ଝାରସୁଗୁଡା ଯାଇଥିବା ପ୍ରବାସୀ ଶ୍ରମିକମାନେ ନିଜ ନିଜ ପଞ୍ଚାୟତ କ୍ବାରେଣ୍ଟିନ କକ୍ଷରେ ରହିବେ। ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଡିଆଇଜି କବିତା ଜାଲାନ, ଏସ୍‌ପି କେ. ଶିବା ସୁବ୍ର୍ରମଣି, ଆରର୍ଏମ୍‌ସି କମିଶନର ଦିବ୍ୟଜ୍ୟୋତି ପରିଡା, ଏଡିଏମ୍‌ ଅବୋଲି ସୁନୀଲ ନରୱଣେ, ଡିଆରଡିଏ ପିଡି ଭୈରବ ସିଂ ପଟେଲ, ଆର୍‌ଏମ୍‌ ଉପୟୁକ୍ତ ସୁଧାଂଶୁ ଭୋଇ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ସତର୍କତା ଦୃଷ୍ଟିରୁ ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଷ୍ଟେସନ, ନୂଆବସ୍‌ଷ୍ଟାଣ୍ଡ, ମଧୁସୂଦନ ଛକ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲେ। ମଧ୍ୟାହ୍ନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରଖିଥିଲେ। ଏଥିପାଇଁ ଏସବୁ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ତିରୁଭିଲାରୁ ୩୦୦ ପ୍ରବାସୀ ଶ୍ରମିକଙ୍କ ନିଜ ନିଜ ଗାଁକୁ ଯିବାକୁ ୨୦ରୁ ଅଧିକ ସିଟ୍‌ ବସ୍‌ର ବ୍ୟବସ୍ଥା କରାଯାଇଥିଲା। ‌

ସେହି ଅନୁଯାୟୀ ରାଉରକେଲା ଷ୍ଟେସନରେ ସାମାଜିକ ଦୂରତା ପାଳନ ପାଇଁ ଗୋଲେଇ କରାଯିବା ସହ ଆର୍‌ଏମ୍‌ସି, ସିଭିଲ ଡିଫେନ୍ସ ସମେତ ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଯାଇଥିଲା। କିନ୍ତୁ ୩୦୦ ବଦଳରେ ପହଞ୍ଚିଥଲେ ମାତ୍ର ୫୯ଜଣ ପ୍ରବାସୀ ଶ୍ରମିକ। ଅନ୍ୟମାନେ ବଲାଙ୍ଗୀର ଷ୍ଟେସନରେ ଓହ୍ଲାଇ ଯାଇଥିବା ଜଣାପଡିଛି। ରାଉରକେଲାରେ ପହଞ୍ଚିଥିବା ପ୍ରବାସୀ ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ କାମ କରୁଥିଲେ। ଲକ୍‌ଡାଉନ୍‌ କଟକଣା ପରେ ସେମାନେ ବିଭିନ୍ନ ସ୍ଥାନରେ ଫସି ରହିଥିଲେ।

ସମ୍ବନ୍ଧିତ ଖବର