ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ୬୦ ବର୍ଷୀୟ ବ୍ୟକ୍ତି ଏମ୍‌ସରେ ଭର୍ତି

ଡିସଚାର୍ଜ ହେବେ ଦ୍ବିତୀୟ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଛୁଇଁଛି। ଦୁଇ ଦିନ ଭିତରେ ରାଜ୍ୟରେ ଦୁଇ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି।

ଆଜି ଚିହ୍ନଟ ହୋଇଥିବା ଏହି ୬୦ ବର୍ଷୀୟ ବ୍ୟକ୍ତି ଜଣକ ରାଜଧାନୀର ସୂର୍ଯ୍ୟ ନଗର ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଜରିଆରେ ସୂଚନା ଦିଆଯାଇଛି। ଏବେ ବ୍ୟକ୍ତି ଜଣକ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, ସଂପୃକ୍ତ ବ୍ୟକ୍ତି ଜଣକ ଏକାଧିକ ରୋଗରେ ଆକ୍ରାନ୍ତରେ ଥିବା କୁହାଯାଉଛି। ତେବେ ତାଙ୍କର ଯାତ୍ରା ଇତିହାସ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ଅପରପକ୍ଷରେ ଆଜି ରାଜ୍ୟରେ ୨୯୦ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା। ତହିଁରୁ ଆରଏମ୍‌ଆରସିରେ ୨୨୬ଟି, ଏସ୍‌ସିବିରେ ୧୧ଟି ଓ ଏମ୍‌ସ ଭୁବନେଶ୍ବରରେ ୫୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ଗୋଟିଏ ନମୁନା ପଜିଟିଭ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ନମୁନା ସଂଖ୍ୟା ୯୦୦ ଛୁଇଁଛି।

ଡିସଚାର୍ଜ ହେବେ ଦ୍ବିତୀୟ ଆକ୍ରାନ୍ତ
ଭୁବନେଶ୍ବର : ଖୁବଶୀଘ୍ର ଏମ୍‌ସରୁ ଡିସଚାର୍ଜ ହେବେ ରାଜ୍ୟର ଦ୍ବିତୀୟ କରୋନା ଆକ୍ରାନ୍ତ। ଏ ସଂକ୍ରାନ୍ତରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଯୁବକ ଜଣକ କରୋନା ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଖୁବଶୀଘ୍ର ଡିସଚାର୍ଜ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୪ଜଣ ବ୍ୟକ୍ତିଙ୍କ ମଧ୍ୟରୁ ସୁସ୍ଥ ହୋଇ ଘରକୁ ଫେରିବା ଭିତରେ ଏହି ଯୁବକ ଜଣକ ପ୍ରଥମ। ଗତମାସ ୧୯ତାରିଖରେ ଇଂଲଣ୍ଡରୁ ଫେରିଥିବା ଏହି ଯୁବକ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏମ୍‌ସରେ ଡାକ୍ତର ଦେଖିବା ପରେ ତାଙ୍କୁ ଏମ୍‌ସରେ ଆଇସୋଲେସନ୍‌ରେ ରଖାଯାଇଥିଲା। ଏବେ ସେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତ ୨୪ଘଣ୍ଟା ଭିତରେ ଦୁଇ ଥର ତାଙ୍କ ନମୁନା ନେଗେଟିଭ୍ ଆସିଛି। ତେଣୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର