ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରର ୬୦ ବର୍ଷୀୟ ବ୍ୟକ୍ତି ସଂକ୍ରମିତ

ଭୁବନେଶ୍ବର: ଓଡ଼ିଶାରେ ଆଉ ଜଣେ ବ୍ୟକ୍ତି ଆଜି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଛୁଇଁଛି। ଟୁଇଟ୍ ଅନୁଯାୟୀ ରାଜଧାନୀ ଭୁବନେଶ୍ବରର ସୂର୍ଯ୍ୟନଗରରେ ରହୁଥିବା  ଜନୈକ ୬୦ ବର୍ଷୀୟ ବ୍ୟକ୍ତି ଆଜି ବହୁବିଧ ବ୍ୟାଧିରେ ପୀଡ଼ିତ ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଛି।

ଗତକାଲି  ଭଦ୍ରକ ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ଗତ ୧୮ ତାରିଖରେ ଦୁବାଇରୁ ଫେରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରାନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିବାରୁ ସେ ଏଥିରେ ପଂଜୀକରଣ ମଧ୍ୟ କରିଥିଲେ। ତେବେ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ୧୪ ଦିନ ସଙ୍ଗରୋଧରେ ରହିବା ପରେ ଗତ କାଲି ତାଙ୍କ ନମୁନା ପରୀକ୍ଷା ହେବା ପରେ ସେ କରୋନାରେ ସଂକ୍ରମିତ ବୋଲି ଜଣାପଡ଼ିଥିଲା। ସେ ଏବେ ଏସସିବିର ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ଓଡ଼ିଶାରେ ଆଜି ୨୯୦ଟି ନମୁନା ପରୀକ୍ଷା କରାଯାଇଥିଲା ଓ ସେଥିମଧ୍ୟରୁ ଗୋଟିଏ ରିପୋର୍ଟ ପଜିଟିଭ ଆସିଛି । ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଭୁବନେଶ୍ବର ଆରଏମଆରସିରେ ୨୨୬ଟି ନମୁନା ପରୀକ୍ଷା କରାଯାଇଥିଲା ଓ ସବୁ ରିପୋର୍ଟ ନେଗେଟିଭ ଆସିଥିଲା । ସେହିପରି  କଟକ ଏସସିବିରେ ୧୧ଟି ନମୁନା ପରୀକ୍ଷା ହୋଇଥିଲା ଏବଂ ଏଗୁଡ଼ିକ ମଧ୍ୟ ନେଗେଟିଭ ଆସିଥିଲା। ତେବେ ଭୁବନେଶ୍ବର ଏମ୍ସରେ ଆଜି ୫୩ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ଗୋଟିଏ ପଜିଟିଭ ଆସିଛି ।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲେ । ଏହାପରେ ମାର୍ଚ୍ଚ ୧୯ ତାରିଖରେ ଦ୍ୱିତୀୟ ଓ ୨୬ ତାରିଖରେ ତୃତୀୟ  କରୋନା ସଂକ୍ରମିତଙ୍କୁ  ଚିହ୍ନଟ କରାଯାଇଥିଲା। ଗତକାଲି ରାଜ୍ୟର ଚତୁର୍ଥ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧିତ ଖବର