ମୁକ୍ତ ସ୍ୱର ବିନା ସୂଚନା ଅଧିକାର ଆଇନ ବଞ୍ଚିବ ନାହିଁ

ପଞ୍ଚମ ଜାତୀୟ ସୂଚନା ଅଧିକାର ସମ୍ମିଳନୀ

ଭୁବନେଶ୍ୱର : ସୂଚନା ଅଧିକାର ଆଇନ ଏକ ଦୁର୍ନୀତିବିରୋଧୀ ଆଇନ ନୁହେଁ। ମାତ୍ର ଦୁର୍ନୀତିକୁ ରୋକିବା କ୍ଷେତ୍ରରେ ଏହା ବେଶ ସହାୟକ ହୋଇପାରୁଛି। ଅନେକ ଦେଶ ପୂର୍ବରୁ ଏଭଳି ଆଇନ ଆଣିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଦେଶରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି। ତେବେ ଜନ ସୂଚନା ଅଧିକାରୀମାନେ ସୂଚନା ନ ଦେବା ଓ ସୂଚନା କମିସନଗୁଡ଼ିକରେ ମାମଲାରେ ବିଳମ୍ବ ଯୋଗୁଁ ସୂଚନା ଅଧିକାର ଆଇନର ସଫଳତାରେ ବାଧା ସୃଷ୍ଟି ହୋଇଛି ବୋଲି କହିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରି।

ଏନ୍‌ସିପିଆରଆଇର ୩ ଦିନିଆ ୫ମ ଜାତୀୟ ସୂଚନା ଅଧିକାରୀ ସମ୍ମିଳନୀ ଆଜି ଉତ୍କଳ ମଣ୍ଡପରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ଅନସାରି କହିଲେ, ସୂଚନା ଅଧିକାର ଆଇନ ବା ଆରଟିଆଇ ଆସିବା ପରେ ସରକାରରେ ସ୍ୱଚ୍ଛତା ଆସିବା ସହିତ ଉତ୍ତରଦାୟିତ୍ୱ ବଢ଼ିଛି। ତେବେ ଅନେକ କ୍ଷେତ୍ରରେ ସୂଚନା ଚାହୁଁଥିବା ଲୋକଙ୍କୁ ଧମକ ମିଳିବା ସହିତ ଅନେକଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଛି। ଅନେକଙ୍କୁ ଅଭିଯୋଗର ଉତ୍ତର ମଧ୍ୟ ମିଳିପାରି ନାହିଁ। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରିଲେ ଏହି ଆଇନର ଅଧିକ ସୁଫଳ ମିଳିପାରିବ ବୋଲି ସେ କହିଥିଲେ।

ଜଷ୍ଟିସ୍‌ ଏ.ପି ସାହା କହିଲେ, ସାଧାରଣ ଲୋକଙ୍କ ସ୍ୱର ଉତ୍ତୋଳନ ଯୋଗୁଁ ଆରଟିଆଇ ଆଇନ ଆସିପାରିଛି। ସରକାରଙ୍କ ଉତ୍ତରଦାୟିତ୍ୱ ବଢ଼ିବା ସହିତ ସାଧାରଣ ଲୋକଙ୍କ ପାଇଁ ଏହା ବ୍ରହ୍ମାସ୍ତ୍ର ପାଲଟିଛି। ସାଧାରଣ ବଣ୍ଟନ ବ୍ୟବସ୍ଥା, ମନରେଗା, ସାମାଜିକ ସୁରକ୍ଷା, ଷ୍ଟକ୍‌ ମାର୍କେଟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆର୍‌ଟିଆଇ ବେଶ ଫଳପ୍ରଦ ହୋଇପାରିଛି। ତେବେ ମୁକ୍ତ ସ୍ୱର ବିନା ଆରଟିଆଇ ବଞ୍ଚିପାରିବ ନାହିଁ। ଏ କ୍ଷେତ୍ରରେ ଗଣମାଧ୍ୟମର ବିଶେଷ ଭୂମିକା ରହିଛି। ତେବେ କେତେକ ଗଣମାଧ୍ୟମର ପକ୍ଷପାତିତାପୂର୍ଣ୍ଣ ରିପୋର୍ଟିଂ ଯୋଗୁଁ ମୁକ୍ତ ସ୍ୱରରେ ପ୍ରଭାବ ପଢ଼ିଛି। ଏସବୁକୁ ବାଦ୍‌ ଦେଲେ ଆରଟିଆଇ ଆଇନର କାର୍ଯ୍ୟକାରିତାରେ ମଧ୍ୟ ଅନେକ ସମସ୍ୟା ରହିଛି। ହୁଇସିଲ ବ୍ଲୋୟର ସୁରକ୍ଷା ଆଇନ ପାରିତ ହୋଇଥିଲେ ହେଁ କାର୍ଯ୍ୟକାରୀ ହୋଇପାରି ନାହିଁ। ଏହାସହ ଲୋକପାଳ ଓ ଲୋକାୟୁକ୍ତଙ୍କ ନିଯୁକ୍ତିରେ ଆନ୍ତରିକତାର ଅଭାବ ମଧ୍ୟ ଅନେକ କ୍ଷେତ୍ରରେ ଦାୟୀ ବୋଲି ଶ୍ରୀ ସାହା କହିଥିଲେ।

ବିଶିଷ୍ଟ ଅର୍ଥନୀତି ବିଶାରଦ ପ୍ରଫେସର ପ୍ରଭାତ ପଟ୍ଟନାୟକ କହିଲେ, ଗୋଟିଏ ସୂଚନାକୁ ଜଣେ ଭିନ୍ନ ଭିନ୍ନ ଢଙ୍ଗରେ ଗ୍ରହଣ କରିଥାଏ। ମାତ୍ର ମୁକ୍ତ ସ୍ୱର ଉପରେ ଆକ୍ରମଣ କରାଯାଉଛି। ଏପରିକି ଦେଶଦ୍ରୋହୀ ଆଖ୍ୟା ଦେବାକୁ ଲୋକ ପଛାଉ ନାହାନ୍ତି। ଅଣସଂଗଠିତ କ୍ଷେତ୍ରକୁ ସଂଗଠିତ କ୍ଷେତ୍ରରେ ପରିଣତ କରିବା ପାଇଁ ସରକାର ପ୍ରଚେଷ୍ଟା ଚଳାଇଛନ୍ତି। ସରକାରଙ୍କ ପକ୍ଷରୁ ନିକଟରେ ଜିଏସ୍‌ଟି ଲାଗୁ କରାଯାଇଛି। ଅଣ ସଂଗଠିତ କ୍ଷେତ୍ର ଉପରେ ଟିକସ ଲଦିବା ଫଳରେ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇ ପଡ଼ିଛି। ଏଭଳି ଆକ୍ରମଣ ଅସ୍ଥାୟୀ ନୁହେଁ ବରଂ ଦୀର୍ଘସ୍ଥାୟୀ। ତେବେ ଏହା ବିରୋଧରେ ପ୍ରଶ୍ନ ପଚାରିଲେ ଜଣକୁ ଦେଶଦ୍ରୋହୀର ଆଖ୍ୟା ନେବାକୁ ପଡ଼ିବ। ଆରଟିଆଇ ସହିତ ସ୍ୱାଧୀନ ବିଚାର ପାଇଁ ଲଢ଼ିବାକୁ ପଡ଼ିବ। ଲୋକଙ୍କୁ ସାମିଲ କରିବା ସହିତ ସାର୍ବଜନୀନ ବୌଦ୍ଧିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଏନ୍‌ସିପିଆରଆଇର ଆବାହକ ଅରୁଣା ରୟ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଉଦ୍‌ଘାଟନୀ ଉତ୍ସବ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର