ପଞ୍ଚମ ଅର୍ଥ କମିସନ ରିପୋର୍ଟ : ପଞ୍ଚାୟତ ଓ ପୌରସଂସ୍ଥା ମାଲାମାଲ୍

୬ ବର୍ଷ ପାଇଁ ୨୩ ହଜାର ୮୪୮ କୋଟିର ସୁପାରିସ
ପଞ୍ଚାୟତ ଭାଗ କମାଇ ପଞ୍ଚାୟତ ସମିତିକୁ ଗୁରୁତ୍ବ
ପଞ୍ଚମ ଅର୍ଥକମିସନରେ ଅଧିକ ମିଳିବ, ପଞ୍ଚଦଶରେ ଅନୁଦାନ କମିବ
୫ ବର୍ଷରେ ମୋଟ୍ ୫୦ ହଜାର ୨୮୨ କୋଟି ଖର୍ଚ୍ଚ ଯୋଜନା

ଭୁବନେଶ୍ବର : କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିସନଙ୍କ କାର୍ଯ୍ୟକାଳ ଏକବର୍ଷ ବୃଦ୍ଧି କରିଛନ୍ତି। ପ୍ରଥମ ରିପୋର୍ଟଟି ୨୦୨୦-୨୧ ଓ ଦ୍ବିତୀୟ ରିପୋର୍ଟଟି ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଉଦ୍ଦିଷ୍ଟ। ଅର୍ଥାତ୍ ପଞ୍ଚଦଶ ଅର୍ଥ କମିସନ ଛଅ ବର୍ଷ ପାଇଁ ତାଙ୍କ ସୁପାରିସ ପ୍ରଦାନ କରିବେ। ଏହାକୁ ଦୃଷ୍ଟିରେ ରଖି ପଞ୍ଚମ ଅର୍ଥ କମିସନଙ୍କ ରିପୋର୍ଟ (ଯଦିଓ ୫ବର୍ଷ ପାଇଁ ଦେଇଥିଲେ)ରେ ୬ବର୍ଷ ପାଇଁ (ସରକାର କାର୍ଯ୍ୟାନ୍ବୟନ ରିପୋର୍ଟରେ ଏହି ସମୟ ସୀମା ବଢ଼ାଇଛନ୍ତି) ଅର୍ଥ ସୁପାରିସ କରାଯାଇଛି। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ପଞ୍ଚମ ଅର୍ଥ କମିସନ ରିପୋର୍ଟ ଅନୁଯାୟୀ ପଞ୍ଚାୟତିରାଜ ଓ ପୌରସଂସ୍ଥାମାନଙ୍କୁ ମୋଟ ୨୩ ହଜାର ୮୪୮ କୋଟି ୧୨ଲକ୍ଷ ଟଙ୍କା ମିଳିବ। ଆକଳନ କରାଯାଇଥିଲା ଯେ ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ପଞ୍ଚାୟତିରାଜ ସଂସ୍ଥା ଓ ପୌରସଂସ୍ଥାର ୫୦ ହଜାର ୨୮୨ କୋଟି ୫୦ଲକ୍ଷ ଟଙ୍କା ଆବଶ୍ୟକ। ଏଥିରୁ ୨୦ ହଜାର ୭୭୧ େକାଟି ୬୪ଲକ୍ଷ ଟଙ୍କା ରାଜ୍ୟର ଏକତ୍ରିତ ପାଣ୍ଠି ବା କନ୍‌ସୋଲିଡେଟେଡ୍ ଫଣ୍ଡରୁ ପ୍ରଦାନ କରାଯିବ। ବାକି ୨୯ ହଜାର ୫୧୦ କୋଟି ୮୬ଲକ୍ଷ ଟଙ୍କା ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ପ୍ରଦାନ କରାଯିବ। ତେବେ ଷଷ୍ଠ ବର୍ଷ ଅର୍ଥାତ୍ ୨୦୨୫-୨୬ ବର୍ଷ ପାଇଁ ଉତ୍ତରାଧିକାର ସୂତ୍ରେ ପ୍ରବର୍ତନ ପାଣ୍ଠି ଓ ରାଜ୍ୟ ଦ୍ରବ୍ୟ ଓ ସେବା କର ଏବଂ ମୋଟର ଯାନ ଟିକସରୁ ହସ୍ତାନ୍ତର ବାବଦ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ପ୍ରଦାନ କରାଯିବ। ହେଲେ ପଞ୍ଚାୟତିରାଜ ସଂସ୍ଥା, ପୌରସଂସ୍ଥାଙ୍କ ପାଇଁ ନିର୍ଦିଷ୍ଟ କ୍ଷେତ୍ର ନିମନ୍ତେ ସହାୟକ ଅନୁଦାନ ବା ଗ୍ରାଣ୍ଟ୍‌ସ ଇନ୍ ଏଡ୍ ରାଶି ଅପରିବର୍ତିତ ରହିବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅର୍ଥ କମିସନ ଉତ୍ତରାଧିକାର ସୂତ୍ରେ ପ୍ରବର୍ତନ ପାଣ୍ଠିକୁ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ମଧ୍ୟରେ ବଣ୍ଟନ କରିବା ଲାଗି ଯେଉଁ ସୁପାରିସ କରିଥିଲେ, ତାହା ପଞ୍ଚାୟତିରାଜ ବିଭାଗର ହସ୍ତକ୍ଷେପ କ୍ରମେ ବଦଳିଯାଇଛି। ଖୋଦ୍ ସରକାରଙ୍କ ରିପୋର୍ଟରେ ଏକଥା ଦର୍ଶାଯାଇଛି। ପଞ୍ଚାୟତକୁ ଗୌଣ କରି ସରକାର ପଞ୍ଚାୟତସମିତି ପାଖରେ ଅଧିକ ଅର୍ଥ ଠୁଳ କରିବା ଲାଗି ବାଟ କାଢିଛନ୍ତି। ପଞ୍ଚାୟତକୁ ୭୦ ପ୍ରତିଶତ, ପଞ୍ଚାୟତସମିତିକୁ ୨୦ ପ୍ରତିଶତ ଓ ଜିଲ୍ଲା ପରିଷଦକୁ ୧୦ ପ୍ରତିଶତ ଅର୍ଥ ଦେବା ଲାଗି ଯେଉଁ ସୁପାରିସ ହୋଇଥିଲା, ତାହା ପରିବର୍ତନ କରିବା ଦ୍ବାରା ଏବେ ପଞ୍ଚାୟତକୁ ୬୦ ପ୍ରତିଶତ, ପଞ୍ଚାୟତସମିତିକୁ ୩୦ ପ୍ରତିଶତ ଓ ବାକି ୧୦ ପ୍ରତିଶତ ଜିଲ୍ଲା ପରିଷଦକୁ ମିଳିବ। ସେହିଭଳି ପଞ୍ଚାୟତ ସମିତିକୁ ପ୍ରଦାନ କରାଯାଉଥିବା ୩୦ ପ୍ରତିଶତ ଅର୍ଥର ୫୦ ଭାଗ ପାନୀୟ ଜଳ, ପରିମଳ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଖର୍ଚ୍ଚ ହେବ। ବାକି ୫୦ ଭାଗକୁ ଅନାବଦ୍ଧ ପାଣ୍ଠି ଭାବରେ ମୌଳିକ ସେବା ଯେପରିକି ଗମନାଗମନ, ମାଧ୍ୟମିକ ବିଦ୍ୟାଳୟଗୁଡିକର ରକ୍ଷଣାବେକ୍ଷଣ ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଉନ୍ନତୀକରଣ ଦିଗରେ ବିନିଯୋଗ ହେବ।

ଏହି ହିସାବ ବିଚାରକୁ ନେଲେ ୨୦୨୦-୨୧ରୁ ୨୦୨୫-୨୬ ମଧ୍ୟରେ ଉତ୍ତରାଧିକାର ସୂତ୍ରେ ପ୍ରବର୍ତନ ପାଣ୍ଠିରୁ ପଞ୍ଚାୟତିରାଜ ସଂସ୍ଥା ମୋଟ ୫୪୯୦ କୋଟି ୫୪ଲକ୍ଷ ଟଙ୍କା ମିଳିବ ଓ ପୌର ସଂସ୍ଥାକୁ ୧୮୩୦ କୋଟି ୩୦ଲକ୍ଷ ଟଙ୍କା। ସେହିଭଳି ରାଜ୍ୟ ଦ୍ରବ୍ୟ ସେବା କର (ଏସ୍‌ଜିଏସ୍‌ଟି) ଏବଂ ମଟରଯାନ ଟିକସରୁ ହସ୍ତାନ୍ତର ପ୍ରକ୍ରିୟାରେ ପଞ୍ଚାୟତିରାଜ ସଂସ୍ଥାକୁ ୫୧୭୦ କୋଟି ୧୦ଲକ୍ଷ ୯୧ ହଜାର ଟଙ୍କା ଦିଆଯିବ, ଯେତେବେଳେ କି ପୌର ସଂସ୍ଥା ୪୫୦୮ କୋଟି ୧୬ ଲକ୍ଷ ୬୭ ହଜାର ଟଙ୍କା ପାଇବେ। ସହାୟକ ଅନୁଦାନ ବାବଦରେ ପଞ୍ଚାୟତିରାଜ ସଂସ୍ଥାକୁ ୫୦୫୪ କୋଟି ୯୫ଲକ୍ଷ ଓ ପୌରସଂସ୍ଥାକୁ ୧୭୯୪ କୋଟି ୦୫ ଲକ୍ଷ ଟଙ୍କା ଦିଆଯିବ।

ଉଭୟ ପଞ୍ଚଦଶ ଅର୍ଥ କମିସନ ଏବଂ ପଞ୍ଚମ ଅର୍ଥ କମିସନଙ୍କ ସୁପାରିସକୁ ନିରେଖି ଦେଖିଲେ, ଗୋଟିଏ ବିପଜ୍ଜନକ ଚିତ୍ର ସାମ୍ନାକୁ ଆସୁଛି। ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ୨୦୧୯-୨୦ରେ ୩୬୪୩କୋଟି ୪୦ଲକ୍ଷ ଟଙ୍କା ମିଳୁଛି। ହେଲେ ପଞ୍ଚଦଶ ଅର୍ଥ କମିସନ ସୁପାରିସ ଆଧାରରେ ଏହି ପରିମାଣ ୩୩୪୫ କୋଟିକୁ ଛୁଇଁବ, ଯାହା ଚତୁର୍ଦଶ ଅର୍ଥ କମିସନଙ୍କ ସୁପାରିସ ତୁଳନାରେ କମ୍। ତେବେ ସମାନ ସମୟରେ ଚତୁର୍ଥ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ୩୧୮୬ କୋଟି ୨୩ଲକ୍ଷ ଟଙ୍କା ମିଳୁଛି ଓ ଆସନ୍ତାବର୍ଷ ୩୭୫୧ କୋଟି ଟଙ୍କା ମିଳିବ, ଯାହା ପୂର୍ବାପେକ୍ଷା ଅଧିକ। ଆହୁରି ସ୍ପଷ୍ଟ ଭାବେ କହିଲେ, ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ପଞ୍ଚାୟତିରାଜ ଓ ପୌର ସଂସ୍ଥା ପାଇଁ ଘାତକ ହୋଇଥିବା ବେଳେ ପଞ୍ଚମ ଅର୍ଥ କମିସନ ସହାୟ ହେବ। ୨୦୨୦-୨୧ରେ ପଞ୍ଚଦଶ ଅର୍ଥ କମିସନ ଓ ପଞ୍ଚମ ଅର୍ଥ କମିସନ ମିଶି ପଞ୍ଚାୟତିରାଜ ଓ ପୌରସଂସ୍ଥା ମୋଟ ୭୦୫୬ କୋଟି ୯୩ଲକ୍ଷ ଟଙ୍କା ପାଇବେ। ପଞ୍ଚାୟତିରାଜ ସଂସ୍ଥାକୁ ମିଳିବ ୪୭୦୯ କୋଟି ୩୬ଲକ୍ଷ ଓ ପୌର ସଂସ୍ଥାକୁ ଦିଆଯିବ ୨୩୪୭ କୋଟି ୫୭ ଲକ୍ଷ ଟଙ୍କା।

ଅର୍ଥ କମିସନ କୋଣାର୍କ ଏନଏସିର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ୫୦ କୋଟି ଟଙ୍କା ବରାଦ କରିଛନ୍ତି। ୨୦୨୦-୨୬ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ। ନୂଆ ଏନଏସି ଭିତ୍ତିଭୂମି ବାବଦରେ ୨୧ କୋଟି, ବର୍ଷା ଜଳ ପରିଚାଳନା ବାବଦରେ ୨୦୦ କୋଟି, ପ୍ରୋତ୍ସାହନ ବାବଦରେ ୫୦ କୋଟି, ମଳ ପରିଚାଳନା ପାଇଁ ୫୦ କୋଟି ଟଙ୍କା ବିନିଯୋଗ ହେବ। ଏହାବ୍ୟତୀତ ନଗରାଞ୍ଚଳରେ ବିଦ୍ୟୁତ ଚାଳିତ ଶ୍ମଶାନ ପାଇଁ ୫୦ କୋଟି, ଡାଟା ସେଣ୍ଟର ପାଇଁ ୧୫୦ କୋଟି ଟଙ୍କା ବରାଦ କରାଯାଇଛି।

ସମ୍ବନ୍ଧିତ ଖବର