ସରକାରୀ ଆବାସିକ ବିଦ୍ୟାଳୟରେ ଅଭାବନୀୟ ଘଟଣା

୬ ଜିଲ୍ଲାରେ ୧୧ ନାବାଳିକା ଅନ୍ତଃସତ୍ତ୍ବା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି କିଶୋରୀ ମାତୃତ୍ବ । ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନମାନଙ୍କରେ ନାବାଳିକା ଗର୍ଭବତୀ ହେବା ଘଟଣା ଅଧିକ ସାମନାକୁ ଆସିଛି । ଗତ ୯ ବର୍ଷ ଭିତରେ ୬ ଜିଲ୍ଲାରେ ୧୧ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତି। ଆଉ ସେମାନଙ୍କ ଭିତରେ ୩ ଜଣ ନାବାଳିକା ସନ୍ତାନ ପ୍ରସବ କରିଛନ୍ତି। ସରକାରୀ ଆବାସିକ ବିଦ୍ୟାଳୟରେ ଏପରି ଅଭାବନୀୟ ଘଟଣା ସମ୍ପର୍କରେ ଖୋଦ୍ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଆଜି ବିଧାନସଭାରେ ଏହି ତଥ୍ୟ‌ ଦେଇଛନ୍ତି। ବିଜେପି ବିଧାୟକ ରବି ନାରାୟଣ ନାଏକଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ରାଜ୍ୟରେ ଆଶ୍ରମ, ସେବାଶ୍ରମ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ନାବାଳିକା ଅନ୍ତଃସତ୍ତ୍ବା ହେବା ଘଟଣା ନୂଆ ନୁହେଁ ଦୀର୍ଘ ବର୍ଷରୁ ଚାଲିଆସୁଥିବା ସ୍ପଷ୍ଟ ହୋଇଛି। କେତେବେଳେ କେଉଁଠି ଗଣମାଧ୍ୟମରେ ଘଟଣା ସାମନାକୁ ଆସିବା ପରେ ପ୍ରଶାସନ କେବଳ ଅଭିଯୁକ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ନିଲମ୍ବନ ଓ ଗିରଫ କରାଇ ଦାୟିତ୍ବ ସାରିଦେଇଛି । ବିଧାନସଭାରେ ଶ୍ରୀ ମାଝୀ ଉତ୍ତରରେ କହିଛନ୍ତି, ୨୦୧୦ରୁ ୨୦୧୮ ଭିତରେ ୧୪ଟି ଜିଲ୍ଲାର ଆବାସିକ ବିଦ୍ୟାଳୟରେ ୩୫ ଜଣ ନାବାଳିକାଙ୍କ ପ୍ରତି ଅସଦାଚରଣ ହୋଇଥିଲା । ଏପରିକି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଆଶ୍ରମ ସ୍କୁଲରେ ବି ଏହି ଘଟଣା ଦେଖିବାକୁ ମିଳିଛି । ଢେଙ୍କାନାଳ ଶରଖିଆ ଆଶ୍ରମ ସ୍କୁଲରେ ଛାତ୍ରୀ ଅନ୍ତଃସତ୍ତ୍ବା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ସହକାରୀ ଶିକ୍ଷକ ନିଲମ୍ବିତ ହେବା ସହ ଗିରଫ ମଧ୍ୟ ହୋଇଛନ୍ତି । ସେହିପରି କନ୍ଧମାଳ ଜିଲ୍ଲା ଲିଙ୍ଗାଗଡ଼ ବାଳିକା ଉଚ୍ଚବିଦ୍ୟାଳୟରେ ଜଣେ ନାବାଳିକା ଗର୍ଭବତୀ ହେବାସହ ସନ୍ତାନ ଜନ୍ମ କରିଥିଲେ । ସେହିପରି କେନ୍ଦୁଝର ଧୋବକୁଚୁଡ଼ା ଆଶ୍ରମ ସ୍କୁଲରେ ଜଣେ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଛାତ୍ରୀର ମାମୁଁକୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲା କୁନ୍ଦର ସେବାଶ୍ରମ ଓ ଉମୁରୀ ଆଶ୍ରମ ସ୍କୁଲରେ ଜଣେ ଲେଖାଏଁ ନାବାଳିକା ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ବିଦ୍ୟାଳୟର କର୍ମଚାରୀଙ୍କୁ ନିଲମ୍ବନ କରାଯିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ନାବାଳିକା ଗର୍ଭବତୀ ହୋଇଥିବାବେଳେ ନୟାଗଡ଼ ଜିଲ୍ଲାର ରୋବାଡ଼ି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରାବାସରେ ଖରାପ ଖାଦ୍ୟ ପରିବେଷଣ ଯୋଗୁଁ ଜଣେ ଛାତ୍ରୀ ହଷ୍ଟେଲ ଛାଡ଼ିଛନ୍ତି ।

ସମ୍ବନ୍ଧିତ ଖବର