ବାତ୍ୟାରେ ୬ ଜିଲ୍ଲା ପ୍ରଭାବିତ

ଭୁବନେଶ୍ୱର : ବାତ୍ୟା ‘ଡାଏ’ ଦ୍ୱାରା ରାଜ୍ୟର ୬ଟି ଜିଲ୍ଲା ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବା ପୁରୀ, ଗଞ୍ଜାମ, ଖୋର୍ଧା, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ କ୍ଷୟକ୍ଷତି ହୋଇଛି। ମାଲକାନଗିରି ଜିଲ୍ଲାର କାଲିମେଳା, କୋରକୋଣ୍ଡା, ଚିଣ୍ଡକୋଣ୍ଡା ବ୍ଲକ ଅଧିକ ପ୍ରଭାବିତ ହୋଇଛି। ଜିଲ୍ଲାରେ ୪ଟି ସ୍ଥାନରେ ରାସ୍ତା ଧୋଇଯିବା ଦ୍ୱାରା କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମାଲକାନଗିରି, କୋରକୋଣ୍ଡା ଓ କାଲିମେଳା ବ୍ଲକ ଓ ମାଲକାନଗିିରି ସହରର ବିଭିନ୍ନ ପଞ୍ଚାୟତରେ ବନ୍ୟା ସୃଷ୍ଟି ହୋଇଛି।

ଜିଲ୍ଲାର ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ୍‌ ଘୋଷଣା କରାଯାଇଛି। ଜିଲ୍ଲାର ୨୩୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ରିଲିଫ୍‌ କ୍ୟାମ୍ପକୁ ନିଆଯାଇଥିବା ବେଳେ ଏମ୍‌ଭି-୭, ପୋଟେରୁ, ବାଡିଲି ଏବଂ ମାଲକାନଗିରି ପୌର ଅଞ୍ଚଳରେ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏମ୍‌ଭି-୭ ଓ ପୋଟେରୁରେ ଓଡ୍‌ରାଫ୍‌ ଟିମ୍‌ ନିୟୋଜିତ ଅଛନ୍ତି। ଏମ୍‌ଭି-୭, ଏମ୍‌ଭି-୨, ଚାଲନ୍‌ଗୁଡା, ମାଲକାନଗିରି ସହର, ଜାନବାଇ ଓ କାଲିମେଳାରେ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିଛନ୍ତି।

ସେହିପରି ଗଞ୍ଜାମ, ଛତ୍ରପୁର, ଚିକିଟି ଓ ରଙ୍ଗେଇଲୁଣ୍ଡା ବ୍ଲକର ୯୯୦ ଜଣ ଲୋକ ଗୁରୁବାର ୧୫ଟି ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ହୋଇଥିଲେ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସେମାନେ ନିଜ ନିଜ ଘରକୁ ଫେରିଛନ୍ତି। ଖୋର୍ଧା ଜିଲ୍ଲାର ଚିଲିକା ଓ ଜଟଣୀ ବ୍ଲକର ୭୬ ଜଣଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ପୂର୍ବରୁ ପୁରୀ ଜିଲ୍ଲାର କୁଷ୍ଣପ୍ରସାଦ, କାକଟପୁର, ଅସ୍ତରଙ୍ଗ ଏବଂ ବ୍ରହ୍ମଗିରି ବ୍ଲକର ୨୪୦୭ ଜଣ ଲୋକଙ୍କୁ ୨୮ଟି ଆଶ୍ରୟ ସ୍ଥଳକୁ ନିଆଯାଇଥିଲା। ଏହି ଜିଲ୍ଲାରେ ଏକ ଲକ୍ଷ ୫ ହଜାର ୬୦୦ ଟଙ୍କାର ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ପବନ ଯୋଗୁଁ ଅଲିବାଡ ପଞ୍ଚାୟତରେ ଗୋଟିଏ ବିଦ୍ୟୁତ୍‌ ଖୁଣ୍ଡି ଉପୁଡ଼ି ପଡ଼ିଥିବା ବେଳେ କଣାସ ବ୍ଲକରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ଘର ଭାଙ୍ଗିଯାଇଛି।

ରାୟଗଡ଼ା ଜିଲ୍ଲାର କେ. ସିଙ୍ଗପୁର ବ୍ଲକରେ ଗୋଟିଏ ଘର ଭାଙ୍ଗିଛି। ଜିଲ୍ଲାର ମୁଖ୍ୟାଳୟରେ ଏନ୍‌ଡିଆରଏଫ୍‌ ଟିମ୍‌ ରହିଛନ୍ତି। ନୟାଗଡ଼ ଜିଲ୍ଲାରେ ୧୪ଟି ବାସଗୃହ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ କଣ୍ଟିଲୋରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଅଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର