କଂଗ୍ରେସର ୬ ଘଣ୍ଟିଆ ‘ଚକା ଜାମ୍‌’

ଭୁବନେଶ୍ୱର/କଟକ : ପେଟ୍ରୋଲ, ଡିଜେଲ୍‌ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି କଟକ ଓ ଭୁବନେଶ୍ୱରରେ ୬ ଘଣ୍ଟିଆ ‘ଚକା ଜାମ୍‌’ କରାଯାଇଛି। ଫଳରେ ଆଜି ସକାଳ ୬ଟାରୁ ୧୨ଟା ଯାଏଁ ଦୁଇ ମହାନଗରୀରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। କିଛି ଦୁଇ ଚକିଆ ଯାନକୁ ବାଦ୍‌ ଦେଲେ ଚାରି ଚକିଆ ଯାନ, ଅଟୋ, ବସ୍‌ ଚଳାଚଳ କରି ନ ଥିଲା। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଲୋକଙ୍କୁ ଅଟକାଇଥିଲେ। ତେବେ କଟକରେ କାଁ ଭାଁ ଗଣ୍ଡଗୋଳକୁ ବାଦ୍‌ ଦେଲେ ‘ଚକା ଜାମ୍‌’ ଏକପ୍ରକାର ଶାନ୍ତିପୂର୍ଣ୍ଣ ଥିଲା।

କଂଗ୍ରେସ ପକ୍ଷରୁ ‘ଚକା ଜାମ୍‌’କୁ ସଫଳ କରିବା ପାଇଁ ଗତକାଲି ଠାରୁ ଉଭୟ ସହରରେ ସଚେତତନା ସୃଷ୍ଟି କରାଯାଇଥିଲା। ମୋଟର୍‌ ସାଇକେଲ୍‌ ଶୋଭାଯାତ୍ରା, ମଶାଲ ଯାତ୍ରା ଆୟୋଜନ କରାଯାଇଥିଲା। ଆଜି ପୂର୍ବ ଘୋଷଣା ଅନୁଯାୟୀ ସକାଳ ୬ଟା ପୂର୍ବରୁ କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। କିଛି ଲୋକ ଚାରି ଚକିଆ ଯାନ ବାହାର କରିଥିଲେ ବି ବିଭିନ୍ନ ଛକରେ ରାସ୍ତାରୋକ ହୋଇଥିବାରୁ ଗାଡ଼ି ଚଳାଚଳ ସମ୍ଭବ ହୋଇ ନ ଥିଲା। ସିଟି ବସ୍‌, ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା। ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ କର୍ମଚାରୀମାନେ ବିଳମ୍ବରେ ଆସୁଥିବା ଦେଖାଯାଇଥିଲା। ବିଭିନ୍ନ ମାର୍କେଟ୍‌, ସପିଙ୍ଗ ମଲ୍‌ ସବୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। କଂଗ୍ରେସ କର୍ମୀମାନେ ସାଇକେଲ୍‌ ଶୋଭାଯାତ୍ରା କରି ବନ୍ଦ ପାଳନ କରୁଥିବା ଦେଖାଯାଇଥିଲା।

କଟକର ବାଦାମବାଡ଼ି ବସ୍‌ଷ୍ଟାଣ୍ଡ୍‌ ଓ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବସ୍‌ କୌଣସି ସ୍ଥାନକୁ ଯାଇ ନ ଥିଲା। ଅନ୍ୟ ସ୍ଥାନରୁ ବସ୍‌ ମଧ୍ୟ ଏହି ଦୁଇ ଷ୍ଟାଣ୍ଡ୍‌କୁ ଆସି ପାରି ନ ଥିଲା। ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସାମ୍ନା କରିଥିଲେ। ୧୨ଟା ପରେ ବସ୍‌ ଚଳାଚଳ ସ୍ୱାଭାବିକ ହୋଇ ବିଳମ୍ବରେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତାମାନେ ମାଷ୍ଟର୍‌ କ୍ୟାଣ୍ଟିନ୍‌ ଛକରେ ପିକେଟିଂ କରିଥିଲେ। ଏହା ବାଦ୍‌ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ଆନ୍ଦୋଳନର ନେତୃତ୍ୱରେ ନେଇଥିଲେ। କଟକରେ ନଗର କଂଗ୍ରେସ କମିଟି ସଭାପତି ଇଂ. ମହମ୍ମଦ ମୋକିମ୍‌ଙ୍କ ନେତୃତ୍ୱରେ କର୍ମୀମାନେ ରାସ୍ତା ଅବରୋଧ କରିଥିଲେ। କଟକରେ ପ୍ରେସ୍‌ ଛକରେ ଜଣେ ଛାତ୍ର କଂଗ୍ରେସ କର୍ମଚାରୀଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହା ବାଦ୍‌ ଅନ୍ୟ କୌଣସି ସ୍ଥାନରେ ହିଂସାକାଣ୍ଡର ଅଭିଯୋଗ ଆସିନି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଲୋକମାନେ ସ୍ୱତଃପ୍ରବୃତ୍ତ ଭାବେ ‘ଚକା ଜାମ୍‌’ ଆନ୍ଦୋଳନରେ ସାମିଲ୍‌ ହୋଇ ଏହାକୁ ସଫଳ କରାଇଛନ୍ତି। ପେଟ୍ରୋଲ୍‌, ଡିଜେଲ୍‌ ମୂଲ୍ୟ ବୃଦ୍ଧି ଲୋକଙ୍କୁ ବାଧୁଛି। ମୂଲ୍ୟ ବୃଦ୍ଧି ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଯଦି କେନ୍ଦ୍ର ସରକାର ଚାହିଁବେ, ତେବେ ପେଟ୍ରୋଲ, ଡିଜେଲ୍‌ ଓ ଏଲ୍‌ପିଜିକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରାଇପାରିବେ। ତେବେ ତୁରନ୍ତ ଉତ୍ପାଦ ଶୁଳ୍କ କମାଇ ଲୋକଙ୍କୁ ବୋଝରୁ ହାଲ୍‌କା କରାନ୍ତୁ। ସେହିପରି ରାଜ୍ୟ ସରକାର ବି ତାଙ୍କ ଦାୟିତ୍ୱ ଖସାଇପାରିବେ ନାହିଁ। ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ପେଟ୍ରୋଲ, ଡିଜେଲ୍‌ ଉପରୁ ଭାଟ୍‌ କମାଇବା ପାଇଁ ପଦକ୍ଷେପ ନ ନେଇ ନାଟକ କରୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନ ନେଲେ, ଏହି ଆନ୍ଦୋଳନ ବ୍ଲକ୍‌ ଓ ଜିଲ୍ଲା ସ୍ତରକୁ ବ୍ୟାପକ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

କଂଗ୍ରେସର ‘ଚକା ଜାମ୍‌’ ନେଇ ବିଜେଡି ପକ୍ଷରୁ କୁହାଯାଇଛି, ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ହିଁ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲା। ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ଗତ ୪ ବର୍ଷରେ ପେଟ୍ରୋଲ୍‌, ଡିଜେଲ୍‌ରେ ଉତ୍ପାଦ ଶୁକ୍ଳ ଅତ୍ୟଧିକ ବଢ଼ାଇ ଦିଆଯାଇଛି। ଫଳରେ ଲୋକମାନେ ହଇରାଣ ହେଉଛନ୍ତି। କଂଗ୍ରେସ ଓଡ଼ିଶାରେ ପ୍ରତିବାଦ କରିବା ଠିକ୍‌ ଅଛି। କିନ୍ତୁ ଏକ ଜାତୀୟ ଦଳ ଭାବେ ଦିଲ୍ଲୀରେ କଂଗ୍ରେସ ଏ ନେଇ ଚାପ ସୃଷ୍ଟି କରୁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

କଂଗ୍ରେସର ଏହି ଆନ୍ଦୋଳନକୁ ବିଜେପି ସମାଲୋଚନା କରିଛି। ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, ବିଜେଡି ସମର୍ଥନରେ କଂଗ୍ରେସ ‘ଚକା ବନ୍ଦ’ ନାଁରେ ଗୁଣ୍ଡାରାଜ କରିଛି। ଗରିବ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ, ନିଜର ରାଜନୈତିକ ସ୍ୱାର୍ଥ ପାଇଁ କଂଗ୍ରେସ ଏହି ଆନ୍ଦୋଳନ ଡାକରା ଦେଇଥିଲା। ଆଜି କଂଗ୍ରେସ କର୍ମୀମାନେ ଜୋର୍‌ ଜବରଦସ୍ତ ଲୋକଙ୍କୁ ଧମକଚମକ ନେଇ ଗାଡ଼ି ଅଟକାଉଥିଲା ବେଳେ ପୁଲିସ୍‌ ନୀରବଦ୍ରଷ୍ଟା ସାଜିଥିଲା। ଏଥିରୁ ବିଜେଡି-କଂଗ୍ରେସ ସଲାସୁତୁରା ଧରାପଡ଼ିଯାଉଛି।

ସମ୍ବନ୍ଧିତ ଖବର