ଲେଉଟିଲା ଜାପାନୀ ଜ୍ୱର! ୧୫ ଦିନରେ ପ୍ରାଣ ହରାଇଲେଣି ୬ ଶିଶୁ, ୧୦ ଗୁରୁତର

ସ୍ଥିତି ଅନୁଧ୍ୟାନ କଲା ଡାକ୍ତରୀ ଦଳ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲାକୁ ପୁଣି ଲେଉଟିଲା ଜାପାନୀ ଜ୍ବର! କାଲିମେଳା ବ୍ଲକ୍‌ ଟିଗଲ ପଞ୍ଚାୟତ ଅନ୍ତର୍ଗତ ତାମନପାଲ୍ଲୀ ଗାଁରେ ୬ଜଣ ଶିଶୁଙ୍କ ଜୀବନ ନେଲାଣି। ସେହିପରି ଗାଁର ୧୦ରୁ ଅଧିକ ଶିଶୁ ଏବେ ବି ଏହି ରୋଗ କବଳରେ ରହିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା କରାଯାଇଥିବା ବେଳେ ଆକ୍ରାନ୍ତ ଶିଶୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଡାକ୍ତରଙ୍କ ପକ୍ଷରୁ ଜାପାନୀ ଜ୍ବର ନେଇ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ଜ୍ବରର ଲକ୍ଷଣ ଓ ଲଗାତାର ମୃତ୍ୟୁକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସୂଚନା ଅନୁଯାୟୀ, ଅକ୍ଟୋବର ମାସ ତୃତୀୟ ସପ୍ତାହ ବେଳକୁ ବର୍ଷା କମିବା ପରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ହୋଇଥିଲା। ଏହାପରେ ଗାଁର କିଛି ଶିଶୁ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ସାଧାରଣ ଥଣ୍ଡା ଜ୍ବର ହୋଇଥିବା ଅନୁମାନ କରି ଶିଶୁଙ୍କ ପରିବାର ଲୋକ ବିଶେଷ ଗୁରୁତ୍ବ ଦେଇ ନ ଥିଲେ।

ତେବେ ଗତ ୧୫ଦିନ ମଧ୍ୟରେ ୬ଜଣ ଶିଶୁଙ୍କ ମୃତ୍ୟୁ ହେବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରତି ଦିନେ ଦୁଇ ଦିନ ବ୍ୟବଧାନରେ ଶିଶୁଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି। ମୃତ୍ୟୁବରଣ କରିଥିବା ଶିଶୁ ପ୍ରଥମେ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ବାରମ୍ବାର କାଶ ଏବଂ ବାନ୍ତି ହୋଇ କିଛି ଘଣ୍ଟା ମଧ୍ୟରେ ଆଖି ବୁଜିଥିବା ପରିବାର ଲୋକ ପ୍ରକାଶ କରିଛନ୍ତି।

ମୃତ୍ୟୁବରରଣ କରିଥିବ‌ା ଶିଶୁଙ୍କ ବୟସ ୧ରୁ ୪ ମାସ ମଧ୍ୟରେ ହେବ। ସେମାନେ ‌େହଲେ, ଅମିତ ସାଲବମଙ୍କ ମାସକର ପୁଅ, ରାମା ମାଢ଼ିଙ୍କ ୩ ମାସର ଝିଅ, ରାଜୁ କୁଞ୍ଜଙ୍କ ୨ ମାସର ପୁଅ, ଦୁଲା ସାଲବମଙ୍କ ୪ ମାସର ଝିଅ, କାନା ମାଢ଼ିଙ୍କ ୨ ମାସର ଝିଅ ଓ ରାମା ମାଡ଼ାକାମୀଙ୍କ ୩ ମାସର ପୁଅ। ସେହିଭଳି, ୧୦ରୁ ଊର୍ଦ୍ଧ୍ବ ଶିଶୁ ଅଜଣା ଜ୍ବରରେ ଆକ୍ରାନ୍ତ ହୋଇ ଘରେ ରହିଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରି ଡାକ୍ତରୀ ଦଳ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ପରବର୍ତ୍ତୀ ସମୟରେ ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିବା ସୂଚନା ମିଳିଛି। ଆଜି ସୁଦ୍ଧା ଗାଁ ଊର୍ମିଳା ମାଢି, କୁଞ୍ଜ ଚନ୍ଦ୍ରା, କାର୍ତ୍ତିକ ମାଡକାମୀ, ସୁଖୀ ମାଢି, ଭୀମା ମାଢି, ଆରନାଭ, ବାବସାନ ମାଢି ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ ଗୋଟିଏ ଡାକ୍ତରୀ ଦଳ ତାମନପାଲ୍ଲୀ ଗ୍ରାମରେ ପହଞ୍ଚିଥିଲା। ସିଡିଏମ୍‌ଓ ଅଜୟକୁମାର ବୈଠାରୁ, କାଲିମେଳା ମେଡିକାଲ ଅଧିକାରୀ ଆବିଦ ହୁସେନ ଖାଁ, ଡାକ୍ତର ଶକ୍ତିପ୍ରସାଦ ସାହୁ ପ୍ରମୁଖ ଏହି ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ଡାକ୍ତରଙ୍କ କହିବା ଅନୁଯାୟୀ, ପାଗ ବଦଳୁଥିବାରୁ ପିଲାଙ୍କୁ ଥଣ୍ଡା ଜ୍ବର ସହ ବାନ୍ତି ହୋଇଛି। ତଥାପି ସମସ୍ତ ଶିଶୁଙ୍କ ରକ୍ତର ନମୁନା ସଂଗ୍ରହ କରାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ କେଉଁ କାରଣରୁ ଶିଶୁଙ୍କ ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି। ତେବେ, ଏହି ଘଟଣା ପରେ ତାମନପାଲ୍ଲୀ ଆଖପାଖ ଗ୍ରାମରେ ମଧ୍ୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛି।

ସୂଚନାଯୋଗ୍ୟ, ତିନି ବର୍ଷ ତଳେ ଠିକ୍ ଏହି ସମୟରେ ହିଁ ମାଲକାନଗିରିରେ ଜାପାନୀ ଜ୍ବର ବ୍ୟାପିଥିଲା। ପୂରା ଜିଲ୍ଲାକୁ ଏହି ମାରାତ୍ମକ ରୋଗ ନିଜ କବଳକୁ ନେଇଥିଲା। ସରାକରୀ ରିପୋର୍ଟରେ ୧୦୩ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। କିନ୍ତୁ ମୃତକଙ୍କ ସଂଖ୍ୟା ଦେଢ଼ ଶହରୁ ଊର୍ଦ୍ଧ୍ବ ହେବ ବୋଲି ବେସରକାରୀ ଭାବେ ସେହି ସମୟରେ କୁହାଯାଇଥିଲା। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏହି ଜିଲ୍ଲାରେ ଋତୁ ପରିବର୍ତ୍ତନ ସହ ଲୋକେ ରୋଗରେ ପଡ଼ନ୍ତି। ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗରେ ଲୋକେ ଆକ୍ରାନ୍ତ ହୁଅନ୍ତି। ଅନ୍ୟପଟେ ସଚେତନତା ଅଭାବରୁ ଲୋକେ ସ୍ବାସ୍ଥ୍ୟକେନ୍ଦ୍ର ପରିବର୍ତ୍ତେ ଏବେ ମଧ୍ୟ ଦିଶାରୀ, ଗୁଣିଆ ଉପରେ ବିଶ୍ବାସ କରୁଛନ୍ତି। ପାରମ୍ପରିକ ଚିକିତ୍ସା ବ୍ୟତୀତ କ୍ବାକ୍ ନିକଟକୁ ବି ଲୋକେ ଯାଉଛନ୍ତି। ସଦ୍ୟତମ ଘଟଣାରେ ମଧ୍ୟ ଶିଶୁମାନେ ଦୁଇ ଦିନ ଧରି ଅସୁସ୍ଥ ରହିବା ପରେ ଡାକ୍ତରଖାନାକୁ ନିଆଯାଇ ନଥିଲା। ଯାହାଫଳରେ ୬ଜଣ ଶିଶୁ ଅକାଳରେ ପ୍ରାଣ ହରାଇଥିବା କୁହାଯାଉଛି। ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର