ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଅଭିଜିତ୍‌ ଆୟାରଙ୍କ ଅପମାନସୂଚକ ମନ୍ତବ୍ୟ ଘଟଣାର ତଦନ୍ତ ଲାଗି ୬ ଜଣିଆ ଗୃହ କମିଟି ଗଠିତ

ଭୁବନେଶ୍ୱର: ଟ୍ଵିଟରରେ ଓଡ଼ିଶା ସଂପର୍କରେ ଅରୁଚିକର ଓ କୁତ୍ସିତ ମନ୍ତବ୍ୟ ଏବଂ ପରେ ବିଧାନସଭା ସଦସ୍ୟମାନଙ୍କ ସଂପର୍କରେ ଅତ୍ୟନ୍ତ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ବିଧାନସଭାରେ ମତ ପ୍ରକାଶ ପାଇଛି। ଏହି ଘଟଣାର ତଦନ୍ତ କରିବାକୁ ଏକ ଗୃହ କମିଟି ଗଠନ କରାଯାଇଛି। ଏହି ପ୍ରସଙ୍ଗ ଆଜି ବିଧାନସଭାରେ ଝଡ଼ ସୃଷ୍ଟି କରିଛି। ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ସେ ଦେଇଥିବା କୁମନ୍ତବ୍ୟ ବିରୋଧରେ ଦଳ-ମତ ନିର୍ବିଶେଷରେ ସମସ୍ତ ବିଧାୟକ ସ୍ୱର ଉଠାଇଛନ୍ତି। ଓଡ଼ିଶା ଆସି ରାଜ୍ୟ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେବାର ଧୃଷ୍ଟତା କରିଥିବା ଅଭିଜିତ ଆୟାର ମିତ୍ରଙ୍କୁ ଦଣ୍ଡିତ କରିବା ଲାଗି ବିଧାନସଭାରେ ମତ ପ୍ରକାଶ ପାଇଛି।

ଆଜି ବିଧାନସଭା ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଏହି ଘଟଣାର ତଦନ୍ତ ଲାଗି ଏକ ଗୃହ କମିଟି ଗଠନ କରାଯାଇଛି। ଅଭିଜିତ ଆୟାରଙ୍କ ଓଡ଼ିଆ ପ୍ରତି ଅପମାନସୂଚକ ମନ୍ତବ୍ୟ ମାମଲାର ତଦନ୍ତ କରିବ ୬ ଜଣିଆ ଗୃହ କମିଟି। ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ କନକ ବର୍ଦ୍ଧନ ସିଂଦେଓ,ଦେବୀ ପ୍ରସାଦ ମିଶ୍ର,ପ୍ରମିଳା ମଲିକ,ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ସଦସ୍ୟ ରହିଛନ୍ତି।

ଆଜି ବିଧାନସଭାରେ ଏ ପ୍ରସ୍ତାବକୁ ନେଇ ବିରୋଧୀଦଳ ନେତା ନରସିଂହ ମିଶ୍ର ଭଙ୍ଗ ନୋଟିସ୍‌ ଆଣିଥିଲେ। ଏହାକୁ ବିଜେଡି କଂଗ୍ରେସ ଓ ବିଜେପି ସମର୍ଥନ କରିଥିଲେ। ଏହାପରେ ନୋଟିସ ଉପରେ ଆଲୋଚନା ହୋଇଥିଲା ଏବଂ ସବୁ ଦଳର ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

ବିରୋଧୀଦଳ ନେତା ନରସିଂହ ମିଶ୍ର ମଧ୍ୟ ଏହି ପ୍ରସଙ୍ଗରେ ଅଭିଜିତଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।  ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଗତ କରି ନରସିଂହ କହିଛନ୍ତି ଯେ, ଅଣଓଡ଼ିଆ ଅଭିଜିତ ଆୟାର କୋଣାର୍କ ଓ ପୁରୀ ଉପରେ  ଦେଇଥିବା ମନ୍ତବ୍ୟ ନିନ୍ଦନୀୟ । ଏହା ଆଇପିସି ଧାରା ୧୫୩(ଏ) ଅନୁସାରେ ଦଣ୍ଡନୀୟ । ବିଧାୟକଙ୍କୁ ମୁର୍ଖ କହିଛନ୍ତି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଗୃହ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଛନ୍ତି । ତେଣୁ ସ୍ୱାଧୀକାର ଭଙ୍ଗ ନୋଟିସ୍ ପାଇଁ ଆହ୍ୱାନ ଦେଇଛନ୍ତି ବିରୋଧୀ ଦଳ ନେତା । ଓଡିଶା ଓ ଓଡିଆଙ୍କୁ ଅପମାନ ସୂଚକ ବିବୃତି ଦେଇଛନ୍ତି । ତେଣୁ ସବୁ ରାଜନୈତିକ ବାଦବିବାଦରୁ ଉପରକୁ ଯାଇ ତାଙ୍କୁ ଦଣ୍ଡବିଧାନ କରିବାକୁ ନିଷ୍ପତ୍ତି ନିଆଯାଉ । ଦଳମତ ନିର୍ବିଶେଷରେ ଆଲୋଚନା କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ସେପଟେ ବିରୋଧୀ ଦଳ ନେତା ଆଣିଥିବା ନୋଟିସକୁ ସମର୍ଥନ କରୁଛୁ । ବିନା ବିଳମ୍ବ ଓ ତର୍କରେ ଆୟରଙ୍କ ବିରୋଧରେ ସମନ କରାଯାଉ । ଆମେ ରାଜ୍ୟବାସୀଙ୍କ ଦ୍ବାରା ନିର୍ବାଚିତ ହେଇ ଆସିଛୁ । ଆମେ ଗୃହର ସମସ୍ତ ସଭ୍ୟଙ୍କ ସହ ସହମତ । ପ୍ରଥମେ ବିରୋଧୀ ଦଳ ନେତା ଏ ପ୍ରସଙ୍ଗ ଆଣିବା ବେଳେ ଆମେ ସମର୍ଥନ କରିଥିଲୁ। ଓଡିଶାର ସଂସ୍କୃତି ପ୍ରସଙ୍ଗରେ ବିଜେପି ସବୁବେଳେ ଲଢେଇ କରିଆସିଛି ଓ କରିବ ବୋଲି ବିଜେପି ବିଧାୟକଦଳ ନେତା କେ.ଭି ସିଂଦେଓ ।

 

ସମ୍ବନ୍ଧିତ ଖବର