ପୁଣି ସର୍ବକ୍ଷମା ବଢ଼ିଲା ୬ମାସ, ହେଲେ ନିୟମରେ କିଛି କୋହଳ ହେଲାନି

ଭୁବନେଶ୍ବର: ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବର୍ଷକ ତଳେ ଘୋଷଣା ହୋଇଥିବା ସର୍ବକ୍ଷମା ଯୋଜନାର ଅବଧି ପୁଣି ୬ମାସ ପାଇଁ ବଢ଼ାଯାଇଛି। ପ୍ରଥମେ ଜୁନ୍ ୨୦,୨୦୧୮ରେ ୬ମାସ ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲେ ହେଁ ଆଶାତୀତ ଆବେଦନ ନହେବାରୁ ପୁଣି ସେହିବର୍ଷ ଡିସେମ୍ବର ୧୯ରେ ଏହାର ଆବେଦନ ଆଉ ୬ମାସ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ଜୁନ୍ ୨୦ରେ ଏହି ଅବଧି ପୂରିବାକୁ ଥିଲେ ହେଁ ଏହି ସମୟ ମଧ୍ୟରେ ସାରା ରାଜ୍ୟରେ ମାତ୍ର ୨୩୦୦ ଆବେଦନ ହୋଇଛି। ସର୍ବକ୍ଷମାରେ ଆବେଦନ ବଢ଼ୁନଥିବାରୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପୁଣି ଏହାକୁ ଆଉ ୬ମାସ ବଢ଼ାଯାଇଛି। ଆଜି ଏନେଇ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ୍ ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ଲୋକମାନେ ସର୍ବକ୍ଷମା ଯୋଜନାରେ ଆବେଦନ କରିବା ପାଇଁ ଆଉ ୬ମାସ ପାଇଛନ୍ତି।

ରାଜ୍ୟ ସରକାର ଏହି ଯୋଜନାର ଅବଧି ୬ମା‌ସ ବଢ଼ାଇଥିଲେ ହେଁ ଯେଉଁ ନିୟମ ପାଇଁ ହଜାର ହଜାର ଲୋକ ଆବେଦନ କରୁନାହାନ୍ତି ତାହାକୁ କିନ୍ତୁ କୋହଳ କରାଯାଇନି। ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଜାଣିସାରିଲେଣି ଯେ, ଏହି ଯୋଜନା ସଂପୂର୍ଣ୍ଣ ଫେଲ୍‌ ମାରିଛି। ଏପରିକି ୨୦୦୭-୦୮ରେ ଆସିଥିବା ସର୍ବକ୍ଷମା ଯୋଜନା ତୁଳନାରେ ବହୁ କମ୍‌ ଲୋକ ଏଥର ଆବେଦନ କରିଛନ୍ତି। କିନ୍ତୁ ନିଜ ଅପାରଗତାକୁ ଲୁଚାଇବା ପାଇଁ ଲୋକଙ୍କ ସୁବିଧାକୁ ନଜରରେ ରଖି ନିୟମରେ କି ଫି’କୁ କମାଯାଉନି। କେବଳ ଅଧିକ ‌ରାଜସ୍ବ ଆଦାୟ କରିବା ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀମାନେ ମାତିଥିବାବେଳେ ସାଧାରଣ ଲୋକଙ୍କ ପାଖରେ ସୁଯୋଗ ଥାଇ ବି ସେମାନେ ଆବେଦନ କରିପାରୁନାହାନ୍ତି। ସୂଚନାଯୋଗ୍ୟ ଯେ, ଏଥରର ସର୍ବକ୍ଷମା ଯୋଜନାରେ ମହାନଗର ନିଗମ, ମ୍ୟୁନିସପାଲ୍‌ଟି, ଏନ୍‌ଏସି ଓ ଗ୍ରାମାଞ୍ଚଳ ଭଳି ଚାରିଟି ଭାଗରେ ହିତାଧିକାରୀଙ୍କୁ ବିଭକ୍ତ କରାଯାଇଛି। ଏହାସହ କମ୍ପାଉଣ୍ଡିଂ ଫି’, ଏଫ୍‌ଏଆର୍‌ ମୂଲ୍ୟ (ବେଞ୍ଚମାର୍କ ମୂଲ୍ୟ ଉପରେ) ଏବଂ ପାର୍କିଂ ଫି’କୁ ହିସାବ କରି ଜରିମାନା ଧାର୍ଯ୍ୟ ହେଉଛି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଗୋଟିଏ, ଅନ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ଭିନ୍ନ ନିୟମ ହୋଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସବୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ସମାନ ନିୟମ ଏବଂ ଏଫ୍‌ଏଆର୍‌ ମୂଲ୍ୟ କମାଇବାକୁ ଦାବି ହେଉଛି। ହେଲେ ନଗର ଉନ୍ନୟନ କର୍ତ୍ତୃପକ୍ଷ ବିନା ସଂଶୋଧନରେ ଆବେଦନ ଅବଧି ପୁଣି ୬ମାସ ପାଇଁ ବଢ଼ାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର