୨ ମାଓ ଅପରେସନ୍‌ : ଏନ୍‌କାଉଣ୍ଟରରେ ୬ ମୃତ

କନ୍ଧମାଳର ଦୁଇ ମହିଳା କ୍ୟାଡର୍‌ ସମେତ ୪ ମୃତ, ବଲାଙ୍ଗୀର ଡୁଡୁକାମାଲରେ ଟଳିପଡ଼ିଲେ ୨ ମାଓ ନେତା

ଫୁଲବାଣୀ/ବେଲପଡ଼ା : ମାତ୍ର ୨୪ ଘଣ୍ଟା ମଧ୍ୟରେ ମାଓବାଦୀଙ୍କ ବିରୋଧରେ ପୁଲିସ ଦୁଇ ଦୁଇଟି ବଡ଼ଧରଣର ଅପରେସନ୍‌ କରିଛି। କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ପୁଲିସ ଏନ୍‌କାଉଣ୍ଟରରେ ମୋଟ ୬ ମାଓବାଦୀ ପ୍ରାଣ ହରାଇଛନ୍ତି। କନ୍ଧମାଳର ସୁଡ୍ରୁକୁମ୍ପା ନିକଟ ଜଙ୍ଗଲ ଗୋଲାଙ୍କି ଗାଁରେ ଦୁଇ ମହିଳା କ୍ୟାଡର ସମେତ ୪ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ପୁଲିସ ସୂଚନା ଦେଇଛି ଓ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କନ୍ଧମାଳରେ ଅପରେସନ୍‌ ଜାରି ରହିଛି। ମୃତକଙ୍କ ମଧ୍ୟରେ ଡିଭିଜନାଲ କମିଟି ସଦସ୍ୟ ଶଙ୍କର ମାଝୀ ଓରଫ୍‌ ବାଦଲ ଥିବା ସୂଚନା ମିଳୁଛି। ବାଦଲ ପାଇଁ ୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସେହିଭଳି ବଲାଙ୍ଗୀରର ଡୁଡୁକାମାଲ ଜଙ୍ଗଲରେ ପୁଲିସ ଗୁଳିରେ ୨ଜଣ ଟଳି ପଡିଥିଲେ। ଉଭୟ ଜିଲ୍ଲାର ଏସ୍‌ପିଙ୍କ ନେତୃତ୍ୱରେ ଏହି ଅପରେସନ୍‌ କରାଯାଇଥିବା ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସବୁଠାରୁ ବଡ଼ କଥା ହେଉଛି, ଉଭୟ ମାଓ ଆଡ୍ଡାରୁ ଏକେ ୪୭, ଏସ୍‌ଏଲ୍‌ଆର୍‌ ବନ୍ଧୁକ, ଗୁଳି ଜବତ କରାଯାଇଛି। ମାଓବାଦୀଙ୍କ ହାତରେ ଯେ ପର୍ଯ୍ୟାପ୍ତ ପରିମାଣରେ ଏକେ ୪୭ ଉପଲବ୍ଧ ହେଲେଣି, ଏହା ପୁଲିସର ଚିନ୍ତା ବଢାଇ ଦେଇଛି। କେବଳ ସେତିକି ନୁହେଁ, ଉଭୟ ଅଞ୍ଚଳରେ ମାଓବାଦୀମାନେ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା ଚଳାଇଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡିଛି। କନ୍ଧମାଳ ଘଟଣାରେ ମୃତ ଅନ୍ୟ ତିନି ମାଓବାଦୀଙ୍କ ପରିଚୟ ମିଳିନାହିଁ। କିନ୍ତୁ ବେଲପଡାରେ ଏନ୍‌କାଉଣ୍ଟରରେ ଦୁର୍ଦାନ୍ତ ମାଓନେତା ରାକେଶ ଓ ସଞ୍ଜୀବ ବୋଲି ପୁଲିସ ସୂଚନା ଦେଇଛି। ସଞ୍ଜୀବ ଜଣେ ଡିଭିଜିନାଲ କମିଟି ସଦସ୍ୟ ଥିବା ବେଳେ ରାକେଶ ଏରିଆ କମିଟି ସଦସ୍ୟ ଦାୟିତ୍ୱରେ ଥିଲା। ସଞ୍ଜୀବ ପାଇଁ ୫ଲକ୍ଷ ଟଙ୍କା ଓ ରାକେଶ ପାଇଁ ୪ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ବୋଲି ଡିଜି ରାଜେନ୍ଦ୍ର ଶର୍ମା କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାକେଶ ରାକେଶ ନୂଆପଡ଼ା ଏବଂ ସଞ୍ଜୀବ ନୂଆପଡ଼ା ଦାୟିତ୍ୱରେ ଥିଲେ।

ଆମ ଫୁଲବାଣୀ ପ୍ରତିନିଧି ଜଣାଇଛନ୍ତି, ଆଜି ଅପରାହ୍ନରେ ସୁଡ୍ରୁକୁମ୍ପା ନିକଟ ଜଙ୍ଗଲ ଗୋଲାଙ୍କି ଗାଁରେ ମାଓବାଦୀ ମେଳି କରିଥିବା ବିଶେଷ ସୁତ୍ରରୁ ପୁଲିସକୁ ଖବର ମିଳିଥିଲା। ପରେ ଏସ୍‌ପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ପୁଲିସ କମ୍ବିଂ ଅପରେସନ ଆରମ୍ଭ କରିଥିଲା। ପ୍ରଥମେ ପୁଲିସ ଉପରକୁ ମାଓବାଦୀ ଗୁଳିମାଡ କରିଥିଲେ। ପାଲଟା ଜବାବ ଦେବାକୁ ଯାଇ ପୁଲିସ ବି ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୨ ଜଣ ମହିଳା କ୍ୟାଡର ମାଓବାଦୀ ଓ ୨ ଜଣ ପୁରୁଷ ମାଓବାଦୀ ଅଛନ୍ତି। ଆଉ ୨୫ରୁ ୩୦ ମାଓବାଦୀ ଖସିଯିବାରେ ସକ୍ଷମ ହୋଇଛନ୍ତି। ପୁଲିସ ସେଠାରୁ ୭ଟି ରାଇଫଲ, ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ କରିଛି। ମୃତ ଦେହ ଗୁଡ଼ିକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଛି। ଏହି ଗୁଳି ବିନିମୟରେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ଆଶଙ୍କା କରୁଛି।

ଆମ ବେଲପଡ଼ା ପ୍ରତିନିଧି ଜଣାଇଛନ୍ତି, ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଡୁଡୁକାମାଲ ଜଙ୍ଗଲରେ ପୁଲିସର କମ୍ବିଂ ବେଳେ ଏନ୍‌କାଉଣ୍ଟରରେ ଦୁଇ ହାର୍ଡକୋର୍‌ ମାଓ ନେତା ରାକେଶ ଏବଂ ସଞ୍ଜୀବ ପ୍ରାଣ ହରାଇଛନ୍ତି। ଉଭୟେ ଛତିଶଗଡ଼ କ୍ୟାଡରର୍‌ ମାଓନେତା ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଥିବା ଅନ୍ୟ ୧୨ରୁ ୧୫ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ଆହତ ହୋଇଥିବା ଅନୁମାନ କରାଯାଉଛି।

ରବିବାର ବେଲପଡ଼ା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଅପରେସନ୍‌ର ନେତୃତ୍ୱ ନେଇଥିବା ବଲାଙ୍ଗୀର ଏସପି କେ. ଶିବା ସୁବ୍ରମଣି କହିଥିଲେ, ୧୨ ତାରିଖ (ଶନିବାର) ରାତି ୧୨ଟା ସମୟରେ ଡୁଡୁକାମାଲ ଜଙ୍ଗଲରେ ମାଓବାଦୀମାନଙ୍କର ଏକ ସଭା ଚାଲିଥିଲା। ଖବରପାଇ ସିଆରପିଏଫ୍‌, ବିଏସ୍‌ଏଫ୍‌ ଯବାନମାନଙ୍କ ମିଳିତ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା। ଉକ୍ତ ଜଙ୍ଗଲରେ ମାଓବାଦୀ ଏବଂ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ରାକେଶ ଓ ସଞ୍ଜୀବ ନିହତ ହୋଇଥିଲେ।

ଘଟଣାସ୍ଥଳରୁ କିଛି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ନେଲ୍‌କଟର, ଟୁଥ୍‌ପେଷ୍ଟ, ସୂତା, ୨୭ଟି ଜୀବନ୍ତ ଗୁଳି, ୧୨ଖୋକା, ଗୋଟିଏ ଛୁରି, ବ୍ୟାଲ୍ଟ, ଔଷଧ, ଦିଗସୂଚକ ଯନ୍ତ୍ର (କମ୍ପାସ), ୪ହଳ ମହିଳା ଚପଲ ସହ ଅନ୍ୟ ଜିନିଷ ପୁଲିସ ଜବତ କରିଛି। ଫଳରେ ଏହି ମାଓ ସଂଗଠନରେ କିଛି ମହିଳା ମାଓ ରହିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ଆଖପାଖ ଜଙ୍ଗଲରେ କମ୍ବିଂ ଅପସରେନ୍‌ ଜୋରଦାର କରାଯାଇଛି। ଏବେ ବି ବେଲପଡ଼ା ବ୍ଲକ ଡୁଡୁକାମାଲ, ବେନ୍ଦେର, ବନମାଲ, ଭାଲୁଖାଇ, ଗନ୍ଧମାର୍ଦ୍ଧନ ପାହାଡ଼ ଅଂଚଳରେ ମାଓ ଗତିବିଧି ସକ୍ରିୟ ଥିବା ଏବଂ କିଛି ମହିଳା ମାଓବାଦୀ ରହିଥିବା ପୁଲିସ ସନ୍ଦେହ କରୁଛି।

ସୂଚନାଯୋଗ୍ୟ, ପୁଲିସ ଓ ମାଓବାଦୀ ଗୁଳି ବିନିମୟ ସମୟରେ ଗ୍ରାମବାସୀଙ୍କ ଘର ଉପରେ ଗୁଳି ବାଜି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଘଟଣା ପରେ ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ଦୁଇ ବର୍ଷ ତଳେ ମାଓବାଦୀମାନେ ଧଉଁରାଖମନରେ ବାଗଦୋର ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଅଲେଖ ମାଝୀଙ୍କୁ ଗାଁ ମଝିରେ ହତ୍ୟା କରିଥିଲେ। ଦୁଇ ମାଓ କ୍ୟାଡର ନେତାଙ୍କ ମୃତ୍ୟୁ ପରେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇ କିଛି ଅଘଟଣ ଘଟାଇବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର