ଅଙ୍ଗନବାଡ଼ି କେନ୍ଦ୍ରରୁ ଶବ ମିଳିବା ଘଟଣା : ପୁଲିସ୍‌-ଜନତା ମୁହାଁମୁହିଁ, ୬ ପୁଲିସ କର୍ମଚାରୀ ଆହତ, ୩ ଗୁରୁତର

ମାଲକାନଗିରି/ଚିତ୍ରକୋଣ୍ଡା : ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ କେନ୍ଦ୍ରକରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳରେ ଜନତା-ପୁଲିସ ଖଣ୍ଡଯୁଦ୍ଧ। ଠେଙ୍ଗା, ଟାଙ୍ଗିଆ ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ନେଇ ଆସିଥିବା ହଜାର ହଜାର ଲୋକ ଅତର୍କିତ ଭାବେ ପୁଲିସ୍‌ ଉପରେ ଆକ୍ରମଣ କରିଛନ୍ତି। ଯାହାଫଳରେ ୬ ପୁଲିସ୍‌ କର୍ମଚା‌ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ରହିଥିବା ସୂଚନା ମିଳିଛି। ଏସ୍‌ପି ନିଜେ ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ସ୍ବାଭାବିକ ସ୍ଥିତି ଫେରିଛି। ତଥାପି ଚାପା ଉତ୍ତେଜନା ଲାଗି ରହିଛି। ବିଏସ୍‌ଏଫ୍‌ ଯବାନ ହିଁ ଉକ୍ତ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଲୋକମାନେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ୪ ଦିନ ତଳେ ଧୂଳିପୁଟ ପଞ୍ଚାୟତ ଅନ୍ତର୍ଗତ ରାଙ୍ଗିନିଗୁଡା ଗାଁର ରାଜୁ ହନ୍ତାଳ ଯନ୍ତାପାଇ ହାଟକୁ ଯାଇଥିଲେ। ନକ୍ସଲ ସନ୍ଦେହରେ ତାଙ୍କୁ ବିଏସ୍‌ଏଫ୍‌ ଯବାନ ସେଠାରୁ ଉଠାଇ ନେଇଥିଲେ। ଏହାପରେ ଆଉ ରାଜୁ ଘରକୁ ଫେରି ନଥିବାବେଳେ ପରଦିନ ଯନ୍ତାପାଇ ଅଙ୍ଗନବାଡ଼ି କେନ୍ଦ୍ରରେ ତାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ପହଞ୍ଚି ଶବ ଉଦ୍ଧାର କରି ମାଲକାନଗିରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଗତକାଲି ଶବ ବଡ଼ପଡ଼ା ଥାନାରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପଟେ ଖବର ଦେବାରୁ ପରିବାର ଲୋକ ଆଜି ପହଞ୍ଚି ଶବ ନେଇଥିଲେ। ବଡ଼ପଡ଼ା ଘାଟରୁ ଡଙ୍ଗା ଯୋଗେ ଗାଁକୁ ଶବ ନିଆଯାଉଥିଲା। କିନ୍ତୁ ଅଧା ରାସ୍ତାରେ କ’ଣ ହେଲା କେଜାଣି ପରିବାର ଲୋକ ପୁଣି ଶବ ନେଇ ଯନ୍ତାପାଇ ବିଏସ୍‌ଏଫ୍‌ କ୍ୟାମ୍ପକୁ ଫେରିଥିଲେ। ବିଏସ୍‌ଏଫ୍‌ ହିଁ ରାଜୁଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଥିଲେ।

ଏହି ଖବର ପ୍ରଚାର ହେବାରୁ ହଜାର ହଜାର ଲୋକ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କ୍ୟାମ୍ପ ନିକଟକୁ ପହଞ୍ଚିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ୪୦ରୁ ୫୦ଜଣ ପୁଲିସ କର୍ମଚାରୀ କ୍ୟାମ୍ପ୍‌ ନିକଟକୁ ଆସିଥିଲେ। ଲୋକଙ୍କୁ ବୁଝାସୁଝା କରିବା ମଧ୍ୟରେ ହଠାତ୍ ଲୋକେ ଆକ୍ରମଣ କରିଥିଲେ। ଖାଲି ହାତରେ ଥିବା ପୁଲିସ୍‌ ଏଭଳି ଆକ୍ରମଣର ସମ୍ମୁଖୀନ ହୋଇ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲା। ତଥାପି ୫ରୁ ୭ଜଣ ପୁଲିସ କର୍ମଚାରୀଙ୍କୁ କାବୁ କରି ନିସ୍ତୁକ ପିଟିବା ଆରମ୍ଭ କରିଥିଲେ ଗ୍ରାମବାସୀ। ବହୁ ଚେଷ୍ଟା କରିବା ସତ୍ତ୍ବେ କୁବେର ଅନୁଗୁଳିଆ, ଧୀରେନ ଦେବତା ଏବଂ ସରୋଜ କୁମାର ସାହୁ ଲୋକଙ୍କ ଆକ୍ରୋଶରୁ ବର୍ତ୍ତି ପାରିନଥିଲେ। ଗ୍ରାମବାସୀଙ୍କ ଆକ୍ରମଣରେ ଏମାନେ ଗୁରୁତର ଆହତ ହୋଇଛନ୍ତି।

ସ୍ଥିତି ଅଣାୟତ୍ତ ହେଉଥିବା ଖବର ପାଇ ମାଲକାନଗିରି ଏସ୍‌ପି ଋଷିକେଶ ଖିଲାରୀ ନିଜେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ଅନ୍ଧାର ହେଉଥିବା ଦେଖି ଶେଷରେ ଲୋକେ ଶବ ନେଇଯିବାକୁ କହିଥିଲେ। କିନ୍ତୁ ପରିବାର ଲୋକ ପହଞ୍ଚିଲେ ହିଁ ଶବ ମିଳିବ ବୋଲି ପୁଲିସ କହିଥିଲା। ଶେଷରେ ପରିବାର ଲୋକ ପହଞ୍ଚିବା ପରେ ଆଲୋଚନା କରି ଶବ ଦିଆଯାଇଥିଲା। ତଥାପି ‌ବିଏସ୍‌ଏଫ୍‌ ଯବାନଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏସ୍‌ପି ଶ୍ରୀ ଖିଲାରୀ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ନଦୀ ପାର କରି ଶବ ଗାଁକୁ ନିଆଯାଇଥିବା ସୂଚନା ମିଳିଛି।

ସକାଳେ ପରିବାର ଲୋକ ବିନା ଯୁକ୍ତିତର୍କରେ ଶବ ନେଇଥିଲେ। ପୁଣି କାହିଁକି ଆଧା ରାସ୍ତାରୁ ଫେରାଇ ଆଣିଲେ ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଶୁଣିବାକୁ ମିଳୁଛି ଯେ, ରାସ୍ତାରେ ୩୦ରୁ ଊର୍ଦ୍ଧ୍ବ ତେଲୁଗୁ ଭାଷାଭାଷୀ ଲୋକ ମୃତକଙ୍କ ପରିବାର ଏବଂ ଗ୍ରାମବାସୀଙ୍କୁ ଭେଟିଥିଲେ। ସେମାନେ ହିଁ ବିଏସ୍‌ଏଫ୍‌ ବିରୋଧରେ ଲୋକଙ୍କୁ କହିଥିଲେ। ଏପରିକି ଆନ୍ଦୋଳନ ପାଇଁ ପ୍ରବର୍ତାଇଥିବା କୁହାଯାଉଛି। ଯାହାଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ତେବେ ସେହି ତେଲୁଗୁ ଭାଷାଭାଷୀ ଲୋକ କିଏ ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର