୬୨ ନକ୍ସଲଙ୍କ ଆତ୍ମସମର୍ପଣ : ‘ଜୀବନର ମୂଲ୍ୟବାନ ସମୟ ହରାଇ ଦେଲୁ’

ମାଲକାନଗିରି : ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ଆଜି ୬୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ନକ୍ସଲ ଆବୁଝମାଡା ଅଂଚଳର ବୋଲି ଜଣାପଡିଛି। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୋଟିଏ ପଟେ ନକ୍ସଲଙ୍କ ହିଂସାକାଣ୍ଡ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ଏତେ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରିବା ଛତିଶଗଡ଼ ପୁଲିସ ପାଇଁ ଆଉ ଏକ ବଡ଼ ସଫଳତା ବୋଲି କୁହାଯାଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ଆଇଜି ବିବେକାନନ୍ଦ ସିହ୍ନା, ଏସପି ଜିତେନ୍ଦ୍ର ଶୁକ୍ଳା ପ୍ରମୁଖଙ୍କ ନିକଟରେ ୬୨ ନକ୍ସଲ ବନ୍ଧୁକ ସହ ଆତ୍ମସମର୍ପଣ କରିଥିଲେ। ସଂଗଠନ ସହ ନିଜକୁ ସାମିଲ କରି ନିଜ ଜୀବନର ମୂଲ୍ୟବାନ ସମୟକୁ ହରାଇ ଦେଇଥିବା ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଏହି ଅବସରରେ ପ୍ରକାଶ କରିଥିଲେ।

ପ୍ରକାଶଥାଉକି, ଛତିଶଗଡରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଲଗାତାର ବିଭିନ୍ନ ଅଂଚଳରେ ଚଢାଉ କରାଯାଉଥିବା ବେଳେ ନକ୍ସଲ ଏକ ପ୍ରକାର ଦୁର୍ବଳ ହୋଇପଡିଛନ୍ତି। ଫିଟିବାର ଅନ୍ୟ କୌଣସି ବାଟ ନଥିବାରୁ ସଂଗଠନଠାରୁ ବହୁ ନକ୍ସଲ ଦୂରେଇଗଲେଣି। ଏପରିକି ବହୁ ନକ୍ସଲ ଆତ୍ମସମର୍ପଣ ପାଇଁ ପୁଲିସ ସହ ଯୋଗାଯୋଗରେ ରହିଛନ୍ତି। ଇତିମଧ୍ୟରେ ବହୁ ନକ୍ସଲ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖଶାନ୍ତିରେ କଟାଇବାକୁ ଚାହୁଁଛନ୍ତି। ଆଜି ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର