ବୃଦ୍ଧଙ୍କୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା, ୭ ଗିରଫ

ଗୁଣିଗାରେଡ଼ି ସନ୍ଦେହରୁ ସଂଘବଦ୍ଧ ଆକ୍ରମଣ

କେନ୍ଦୁଝର : ଗୁଣିଗାରେଡ଼ି ସନ୍ଦେହରେ କେନ୍ଦୁଝର ଜିଲ୍ଲାରେ ପୁଣି ଏକ ଜୀବନ ଯାଇଛି। ୭ ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ପିଟିପିଟି ଜଣେ ବୃଦ୍ଧଙ୍କୁ ଗାଁ ଦାଣ୍ଡରେ ହତ୍ୟା କରିଛନ୍ତି। ସଚେତନତା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ନିର୍ମିତ ଡାଆଣୀ ମୂର୍ତ୍ତି ଏହି ଅନ୍ଧବିଶ୍ବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମରେ ଘଟିଛି ଏହି ବର୍ବରୋଚିତ ଘଟଣା। ଗୁଣିଆ ସନ୍ଦେହରେ ଗ୍ରାମର ଦୀନବନ୍ଧୁ ମୁଣ୍ଡା (୬୫)ଙ୍କୁ ପିଟିପିଟି ମାରି ଦିଆଯାଇଛି। ଏହି ହତ୍ୟା ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ବଳଭଦ୍ର ମୁଣ୍ଡା, ନରହରି ମୁଣ୍ଡା, ଚେମା ମୁଣ୍ଡା, ରବି ମୁଣ୍ଡା, ଟିମା ମୁଣ୍ଡା, ବୈଶାଖୁ ମୁଣ୍ଡା ଓ ଟୁରା ମୁଣ୍ଡା।

ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ଦୀନବନ୍ଧୁଙ୍କୁ ଘୋଷାରି ନେଇ ରାସ୍ତାରେ ପକାଇ ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଅତି ନୃଶଂସ ଭାବେ ଦୀନବନ୍ଧୁଙ୍କୁ ଏମିତି ପିଟିଥିଲେ ଯେ ଘଟଣାସ୍ଥଳରେ ହିଁ ତାଙ୍କର ମତ୍ୟୁ ଘଟିଥିଲା। ହତ୍ୟା କରିବା ପରେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଥିଲା ଏବଂ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଥିଲା। ଗ୍ରାମର ବହୁ ଲୋକ ରୋଗରେ ପଡ଼ୁଥିବାରୁ ଦୀନବନ୍ଧୁଙ୍କ ଗୁଣିଗାରେଡ଼ି ଯୋଗୁଁ ଏହା ହେଉଛି ବୋଲି ଅଭି‌ଯୁକ୍ତମାନେ ସନ୍ଦେହ କରୁଥିଲେ। ଏହି କାରଣରୁ ସେମାନେ ତାଙ୍କୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶେଷରେ ହତ୍ୟା କରିଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର