କୋରାପୁଟ/ସେମିଳିଗୁଡ଼ା : ଖଣି ବିଭାଗର ଅଧିକାରୀ କହି ସେମିଳିଗୁଡ଼ାର ଗୋଟିଏ କ୍ରସରରୁ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଦୁଇଟି ଗାଡ଼ିରେ ଆସି ୨ ଲକ୍ଷ ୫୦ ହଜାର ଟଙ୍କା ସହ ୧୯ଟି ମୋବାଇଲ ଫୋନ ଲୁଟି ନେଇଛନ୍ତି। ପୁଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଥିଲା ବେଳେ ୮ ଜଣ ଫେରାର ହୋଇ ଯାଇଛନ୍ତି।

Advertisment

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଥିବା ଗୋଟିଏ କ୍ରସରରେ ଗତ ୧୫ ତାରିଖରେ ଗୋଟିଏ ଇନୋଭା ଓ ସ୍କର୍ପିଓରେ କିଛି ଯୁବକ ଆସି ନିଜକୁ ଖଣି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ। କ୍ରସରରେ ସବୁ ଜାଲିଆତି କାମ ଚାଲିଛି ବୋଲି ସେମାନେ କହିବା ସହ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ କ୍ରସର ମାଲିକ ଏହା ଦେବାକୁ ସମର୍ଥ ନୁହନ୍ତି ବୋଲି କହିବାରୁ ସେମାନେ ସମସ୍ତଙ୍କୁ ଗୋଟିଏ ଘରେ ବନ୍ଦୀ କରି ଟଙ୍କା ଯୋଗାଡ଼ କରିବାକୁ ସେମାନେ ଧମକ ଦେଇଥିଲେ। ଫଳରେ କ୍ରସର ମାଲିକଙ୍କ ଭାଇ ଦୁଇ ଲକ୍ଷ ଓ ଜଣେ ଠିକାଦାର ଡରିମରି ୫୦ ହଜାର ଟଙ୍କା ଯୋଗାଡ଼ କରି ଦେଇଥିଲେ। ଏହାପରେ ଏହି ଦୁର୍ବୃତ୍ତମାନେ କ୍ରସର୍‌ରେ ଲାଗିଥିବା ଏଲ୍‌ଇଡି ‌ଟିଭିକୁ ଖୋଲି ନେଇ ଯିବା ସହ ସମସ୍ତଙ୍କର ୧୯ଟି ମୋବାଇଲ ଫୋନ ନେଇ ଫେରାର ହୋଇ ଯାଇଥିଲେ।

ଏନେଇ କ୍ରସର ମାଲିକ ସେମିଳିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୦୦/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତଦନ୍ତ ସମୟରେ ଚୋରି ମୋବାଇଲ ଫୋନକୁ ଟ୍ରାକ୍‌ କରିବା ପରେ ଏହା ସବୁ ଖୋର୍ଧା, ଭୁବନେଶ୍ବର ଆଦି ଅଂଚଳରେ ରହିଥିବା ଜଣାପଡ଼ିଥିଲା। ପରେ ସେମିଳିଗୁଡ଼ା ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସେମାନଙ୍କ ପିଛା କରିଥିଲା ଏବଂ ଭୁବନେଶ୍ବର ଖଣ୍ଡଗିରି ଥାନା ପୁଲିସ ସହାୟତାରେ ୭ଜଣ ଲୁଟେରାଙ୍କୁ ଗିରଫ କରିଥିଲା। ସେମାନେ ବ୍ୟବହାର କରିଥିବା ଦୁଇଟି ଗାଡ଼ି, କ୍ୟାମେରା, ୧୦ଟି ମୋବାଇଲ, ଚୋରି ଏଲଇଡି ଟିଭି ମଡ଼୍ୟ ଜବତ ହୋଇଛି। ଗିରଫ ଯୁବକମାନଙ୍କ ଘର ଭୁବନେଶ୍ବର, କଟକ ଓ ନୟାଗଡ଼ରେ ବୋଲି ଜଣାପଡ଼ିଛି। ତେବେ ଏହି ମାମଲାରେ ସଂପୃକ୍ତ ଥିବା ଆଉ ୮ଜଣ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି।