୭ ସହରରେ ପାରଦ ୪୦ ଡିଗ୍ରି ଉପରେ : ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ, ତତଲା କଡ଼େଇରେ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର : ଆଜି ରାଜ୍ୟର ୭ଟି ସହରରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏଠାରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୪୨ଡିଗ୍ରି ରେକର୍ଡ ହୋଇଛି। ଏହାବାଦ୍‌ ବଲାଙ୍ଗୀର, ଟିଟିଲାଗଡ଼ ଏବଂ ସୋନପୁରର ତାପମାତ୍ରା ଲଗାତର ଭାବେ ୪୧ଡିଗ୍ରି ଉପରେ ରହିଛି। କେବଳ ଏହି ତିନିଟି ସହର ନୁହେଁ ପୂରା ପଶ୍ଚିମ ଓଡ଼ିଶା ତତଲା କଡ଼େଇରେ ରହିବା ଭଳି ଅନୁଭବ କରୁଛି। ଅସହ୍ୟ ତାତିରେ ଜନଜୀବନ ପୂରା ଅସ୍ତବ୍ୟସ୍ତ ହୋଇଗଲାଣି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, କାଳବୈଶାଖୀ ଜନିତ ବର୍ଷା ଏବଂ ସମୁଦ୍ର ଦିଗରୁ ପବନ ବହୁଥିବାରୁ ଉପକୂଳ ଓଡ଼ିଶାରେ ତାତି ଅପେକ୍ଷାକୃତ କମିଛି। ଗତ ଦୁଇ ଦିନରେ ପ୍ରାୟ ଦୁଇ ଡିଗ୍ରି କମିଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ପ୍ରାୟ ସ୍ଥିର ରହିଛି। ସମସ୍ତ ଜିଲ୍ଲାରେ ପାରଦ ୪୦ଡିଗ୍ରି ଉପରେ ରହିଛି। ଆସନ୍ତା ତିନିରୁ ଚାରିଦିନ ଏଭଳି ସ୍ଥିତି ଲାଗି ରହିବ।

ସେହିପରି ଆଜି ସୋନପୁରରେ ୪୧.୮ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ରେ ୪୦.୫, ବଲାଙ୍ଗୀରରେ ୪୧, ହୀରାକୁଦରେ ୪୦.୩, ସୁନ୍ଦରଗଡ଼ରେ ୪୨, ସମ୍ବଲପୁରରେ ୪୦.୪, ଝାରସୁଗୁଡ଼ାରେ ୪୦.୫ଡିଗ୍ରି ପାରଦ ରେକର୍ଡ ହୋଇଛି।

ଭୁବନେଶ୍ୱର ଓ କଟକରେ ତାତି କମିଥିବାବେଳେ ଆଜି ଯଥାକ୍ରମେ ୩୮ ଓ ୩୭ ଡିଗ୍ରି ରେକର୍ଡ ହୋଇଛି। ପୁରୀରେ ୩୩.୪, ପାରାଦୀପରେ ୩୪.୩, ବାଲେଶ୍ୱରରେ ୩୬, ଚାନ୍ଦବାଲିରେ ୩୬.୭ ଡିଗ୍ରି ରେକର୍ଡ ହୋଇଛି।

ଆଜି ଫୁଲବାଣୀ ଓ ମାଲକାନଗିରିରେ କାଳବୈଶାଖୀ ଜନିତ ବର୍ଷା ହୋଇଥିବାବେଳେ ଫୁଲବାଣୀରେ ୧୨ମିମି, ମାଲକାନଗିରିରେ ୯ମିମି ବର୍ଷା ହୋଇଛି। ବଲାଙ୍ଗୀରରେ ସାମାନ୍ୟ ବର୍ଷା ହୋଇଛି। ଆସନ୍ତା ଦୁଇଦିନ ଭିତରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ଯାଜପୁର, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଆଦି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର