କୋର୍ଟ ପାଚେରି ଡେଇଁ କ୍ୟାଡର ମାଓବାଦୀ ଫେରାର : ୭ ପୁଲିସ କର୍ମଚାରୀ ନିଲମ୍ବିତ

ନୂଆପଡ଼ା : ଗତ ମେ ୩୦ ତାରିଖ କମ୍ବିଂ ବେଳେ କୋମନା ବ୍ଲକ ପାଟପାଣି ଗାଁ ନିକଟରୁ ଧରାପଡ଼ିଥିବା କ୍ୟାଡର ମାଓବାଦୀ ମନୋଜ ମାଡ଼କାମୀ ଓରଫ ରୋସନ (୨୯) ସୋମବାର ପୁଲିସକୁ ଚକ୍‌ମା ଦେଇ ଫେରାର୍‌ ମାରିଛି। ଅପରାହ୍ନ ୨ଟା ସମୟରେ ଏସଡିଜେଏମ୍‌ କୋର୍ଟରେ ହାଜର ପାଇଁ ନିଆଯାଇଥିବାବେଳେ କୋର୍ଟ ପାଚୋରି ଡେଇଁ ସେ ଫେରାର ହୋଇଯାଇଛି। ଏହି ଘଟଣାରେ ୭ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଏସ୍‌ପି ସ୍ମିତ ପି ପରମାର ସୂଚନା ଦେଇଛନ୍ତି।

ମନୋଜର ଘର ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଗଙ୍ଗଲୋର ଥାନା ଅନ୍ତର୍ଗତ ପୋନଜେର ଗାଁରେ। ସେ ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନର ଗନ୍ଧମାର୍ଦ୍ଦନ ଲୋକାଲ ଅର୍ଗାନାଇଜିଂ ସ୍କ୍ଵଡର ଏରିଆ କମିଟି ସଦସ୍ୟ ଭାବରେ କାମ କରୁଥିଲେ। ତାକୁ ଧରିବା ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ପାଟପାଣି ଗାଁରେ ୯ଫେବ୍ରୁଆରି ୨୦୧୩ରେ ପୁଲିସ ଇନଫରର୍ମର ସନ୍ଦେହରେ ଶିକ୍ଷାକର୍ମୀ ଚୈତନ୍ୟ ମାଝୀଙ୍କ ହତ୍ୟାରେ ସେ ସଂପୃକ୍ତ ଥିଲା। ସେହିପରି ବରଗଡ଼ ଜିଲ୍ଲାର ବୋଡେନ ଥାନା ଜୟପୁର ୧୮ସେପ୍ଟେମ୍ବର ୨୦୧୧ରେ ଫରେଷ୍ଟ ଗାର୍ଡ ନାରାୟଣ ଦୁଆନଙ୍କୁ ହତ୍ୟା, ପାଇକମାଲ ଥାନା ପତରାପାଲି ଗାଁ ପାଖରେ ୧୮ମାର୍ଚ୍ଚ ୨୦୧୨ରେ ଗ୍ରାମବାସୀ ଇତର ମହମ୍ମଦଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ରହିଛି। ଜିଲ୍ଲାର ବିଭିନ୍ନ ଥାନାରେ ୧୪ଟି ପୋଡ଼ାଜଳା ହିଂସା ମାମଲା ମଧ୍ୟ ରହିଛି। ୨୦୦୫ରେ ସେ ଛତିଶଗଡ଼ର ବିଜାପୁରରେ ନକ୍ସଲ ମାନଙ୍କ ସହ ସାମିଲ ହୋଇଥିଲା ଓ ୨୦୦୯ରେ ସକ୍ରିୟ ସଦସ୍ୟ ହୋଇଥିଲା। ୨୦୧୦ ମସିହାରେ ମନୋଜଙ୍କୁ ଓଡିଶାକୁ ବଦଳି କରାଯାଇ ବରଗଡ଼-ବଲାଙ୍ଗୀର-ମହାସମୁନ୍ଦ ଡିଭିଜନର ମୁଖ୍ୟ ମାଓନେତା ସୁଦର୍ଶନଙ୍କ ନିର୍ଦ୍ଦେଶକ୍ରମେ ଏହି ଅଚଂଳରେ କାମ କରୁଥିଲା। ଏ ସଂପର୍କରେ ଏସପିଙ୍କୁ ପଚରାଯିବାରୁ ଏ ନେଇ ତନାଘନା ଚାଲିଥିବା ଏବଂ ୭ ଜଣଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି। ସେମାନେ ହେଲେ ୨ ଜଣ ଏସଆଇ ପଙ୍କଜ ତାଣ୍ଡି, ପୁଷ୍ପଲତା ସୁନାନୀ, ୨ ଜଣ କନଷ୍ଟେବଳ ଭୋଲାନାଥ ମାଝି, ପାନ୍ଥବାଇ ନାଏକ, ୩ ଜଣ ଓଏପିଏଫ୍‌ ଯବାନ ହରିଶଂକର ଶବର, ଲକ୍ଷ୍ମଣ ଶବର ଓ ମଧୁସୂଦନ ମାଝି।

ସମ୍ବନ୍ଧିତ ଖବର