ଦୁର୍ଘଟଣା ନେଲା ୭ ଜୀବନ : ଟ୍ରକ୍ ଧକ୍କାରେ କାର୍ ଚୂର୍‌ମାର୍ ୩ ବରଯାତ୍ରୀ ମୃତ, ବାହୁଡ଼ାରେ ରଥ ଦେଖି ଫେରିଲା ବେଳେ ୪ ମୃତ

କଣିହାଁ/ପବିତ୍ରନଗର : ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ନାଇକାନାଳୀ ଗାଁ ନିକଟ ୧୪୯ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ସାଢ଼େ ୪ଟା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଓ କାର୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଦ୍ବୟଙ୍କୁ ଚିକିତ୍ସା ପାଇଁ ପ୍ରଥମେ ତାଳଚେରର ମଣ୍ଡାପାଳ ଡାକ୍ତରଖାନା ଓ ପରେ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ମୃତବ୍ୟକ୍ତିମାନେ ହେଲେ କାର୍‌ ମାଲିକ କ୍ରିଷ୍ଣା କୁମାର ସାହୁ(୨୫), ଧନୁର୍ଜୟ ନାୟକ (୨୨)ଓ ଭୂପେଶ ସାହୁ (୨୪)ଏବଂ ଆହତ ବ୍ୟକ୍ତିମାନେ ହେଲେ ସାଗର ବାରିକ(୩୪) ଓ ବିକାଶ ମଙ୍ଗରାଜ(୨୪)। ସେମାନେ ସମସ୍ତେ ରାଉରକେଲା ଜଳଦା ଅଞ୍ଚଳର ବୋଲି ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୧ ତାରିଖ ଦିନରେ ରାଉରକେଲା ସେକ୍ଟର-୨୨ ଜଳଦା ଅଂଚଳ ନିବାସୀ ବିକାଶ ମଙ୍ଗରାଜଙ୍କ ବଡ଼ଭାଇ ମାନସ ମଂଗରାଜ ବରାତି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆକୁ ବାହାରି ଥିଲା। ୧୨ ତାରିଖ ରାତିରେ ବିକାଶ ତାଙ୍କ ସାଂଗମାନଙ୍କ ସହିତ ଖୋର୍ଦ୍ଧାରୁ ରାଉରକେଲା ଅଭିମୁଖେ ମାରୁତି କାର୍(ଓଡ଼ି ୧୪ଏଚ -୩୪୫୩)ରେ ବାହାରି ଥି‌େଲ। ଭୋର ପାଖାପାଖି ୪ଟା ବେଳେ ସମଲ ଥାନା ନାଇକାନାଳୀ ଗାଁ ନିକଟରେ ଏକ ଟ୍ରକ୍ ସହିତ ମୁହାଁମୁହଁ ଧକ୍କା ହୋଇଥିଲା। ଦ୍ରୁତଗତିରେ ଆସୁଥିବା ଟ୍ରକ ଧକ୍କାରେ କାରଟି ଚୂରମାର୍ ହୋଇଯାଇଥିଲା। କାରରେ ବସିଥିବା କ୍ରିଷ୍ଣା, ଧନୁର୍ଜୟ ଓ ଭୂପେଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସାଗର ଓ ବିକାଶ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଗାଡି ନେଇ ସେଠାରୁ ପଳାଇଯାଇଥିଲା।

ଖବର ପାଇ ସମଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। କାରଟିକୁ କାଟି ଭିତରୁ ମୃତକମାନଙ୍କ ଶବକୁ ବାହାର କରାଯାଇଥିଲା। ଆହତଦ୍ବୟଙ୍କ୍ୁ ଚିକିତ୍ସା ପାଇଁ ପ୍ରଥମେ ତାଳଚେରର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍ (ଡବଲ୍ୟୁବି -୨୯ ଏ ୩୮୪୨)ର ପିଛା କରି କିଛି ଦୂରରେ ଧରିଥିଲା। ତେବେ ଟ୍ରକର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ମଣ୍ଡାପାଳ ଡାକ୍ତରଖାନା ପଠାଇଥିବା ଜଣାପଡିଛି।

ବାହୁଡ଼ାରେ ରଥ ଦେଖି ଫେରିଲା ବେଳେ ୪ ମୃତ

କୋରାପୁଟ/ମାଲକାନଗିରି, : ବାହୁଡ଼‌ାରେ ରଥ ଦେଖି ଫେରୁଥିବାବେଳେ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। କୋରାପୁଟ-ବୋରିଗୁମ୍ମା ରାସ୍ତାର ଡାକରା ନିକଟରେ ଗତକାଲି ସଂଧ୍ୟାରେ ଘଟିଥିବା ଦୁର୍ଘଟଣାରେ ଷଣ୍ଡଗୁଡାର ସଦନ ମୁଦୁଲି ଓ ଡାକରାର କମଳ ଲୋଚନ ମୁଦୁଲି ପ୍ରାଣ ହରାଇଛନ୍ତି। ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ, ଗତକାଲି କୋରାପୁଟକୁ ରଥଯାତ୍ରା ଦେଖିବାକୁ ଷଣ୍ଡଗୁଡାର ସଦନ ମୁଦୁଲି, ଭକ୍ତ ମୁଦୁଲି ଓ କମଳ ଲୋଚନ ମୁଦୁଲି ବାଇକ(ଓଡି-୧୦-୩୦୨୦)ରେ ଆସିଥିଲେ। ରଥଯାତ୍ରା ସରିବା ପରେ ସେମାନେ ସନ୍ଧ୍ୟାରେ ନିଜ ଗାଁକୁ ଫେରୁଥିଲାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସେହିଭଳି, ଗତକାଲି ବାହୁଡ଼ା ଯାତ୍ରା ଦେଖି ଫେରିବା ସମୟରେ ବାଇକ ଦୁର୍ଘଟଣା‌ର ସମ୍ମୁଖୀନ ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଲକାନଗିରି ଜିଲ୍ଲା ଭେଜେଙ୍ଗଵାଡାର ବନମାଳି ସିକଡୁ ଏବଂ ସଂଜୟ ସିକୁଡୁ।

ସମ୍ବନ୍ଧିତ ଖବର