ଆରଡ଼ି ଆଖଣ୍ଡଳମଣି ପୀଠରେ ଉତ୍ତେଜନା : ସେବାୟତ ବିବାଦରୁ ଏସିଡ୍‌ ମାଡ଼; ୭ଆହତ, କଟକ ବଡ଼ ମେଡିକାଲରେ ଭର୍ତ୍ତି, ୫ ଗିରଫ

ଭଦ୍ରକ/ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଏକ ଭୟଙ୍କର ଅଘଟଣ ଘଟିଛି। ଦୁଇ ସେବାୟତ ପରିବାର କେବଳ ମୁହାଁମୁହିଁ ହୋଇନାହାନ୍ତି, ପରସ୍ପର ମଧ୍ୟରେ ଗଣ୍ଡଗୋଳ ଭିତରେ ଏସିଡ୍‌ ମାଡ଼ ହୋଇଛି। ଏଥିରେ ୭ ଜଣ ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବାବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ଯାଜପୁର ଜିଲ୍ଲା ଅହିୟାସପୁର ଗାଁର କେତେକ ଯାତ୍ରୀ ବାବା ଆଖଣ୍ଡଳମଣିଙ୍କ ପୂଜାର୍ଚ୍ଚନା କରିବାକୁ ଆରଡ଼ି ପୀଠକୁ ଆସିଥିଲେ। ଏହି ଯାତ୍ରୀମାନଙ୍କୁ ନିଜର ଯଜମାନ ବୋଲି ଦାବି କରି ଦୁଇ ପରିବାରଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଥିଲା। ସଂଧ୍ୟା ସମୟରେ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା।

ରାତି ପ୍ରାୟ ୧୧ଟା ବେଳକୁ ଉଭୟ ସେବାୟତ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ବିବାଦ ଉଗ୍ର ରୂପ ନେଇଥିଲା। ପ୍ରଥମେ ସେମାନେ ପରସ୍ପରକୁ ଠେଙ୍ଗା ଓ ବାଡ଼ି ଧରି ଆକ୍ରମଣ କରିଥିଲେ। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏତିକିବେଳେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଙ୍କ ଉପରେ ଏସିଡ୍‌ ମାଡ଼ କରିଥିଲେ। ଫଳରେ ସେବାୟତ ଦୈତାରୀ ପାଢ଼ୀ, ହୃଷୀକେଶ ପାଢ଼ୀ, ମୃତ୍ୟୁଞ୍ଜୟ ପାଢ଼ୀ, ସଂଜୟ ପାଢ଼ୀ, ଶଶୀଭୂଷଣ ପାଢ଼ୀ, ମକର ପାଢ଼ୀ ଓ ଦୋକାନୀ ଯଶୋବନ୍ତ ସାହୁ ଆଦି ୭ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଭଦ୍ରକ ହସ୍ପିଟାଲକୁ ଅଣା ଯାଇଥିଲେ ବି ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର