ଅଲିଭ ରିଡ୍‌ଲେ କଇଁଛଙ୍କ ସଂରକ୍ଷଣ ଓ ସୁରକ୍ଷା ପାଇଁ ପ୍ରଶାସନିକ ପ୍ରସ୍ତୁତି : ଆସନ୍ତା ମେ’ ମାସ ପର୍ଯ୍ୟନ୍ତ ମାଛଧରା ନିଷେଧ

ପ୍ରଭାବିତ ମତ୍ସ୍ୟଜୀବୀଙ୍କ ପରିବାରକୁ ୭,୫୦୦ ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ବର : ଚଳିତ ବର୍ଷ ଅଲିଭ୍ ରିଡ୍‌ଲେଙ୍କ ପ୍ରଜନନ ଋତୁରେ ସଂରକ୍ଷଣ ଓ ସୁରକ୍ଷା ପାଇଁ ନଭେମ୍ବର ପହିଲାରୁ ଆସନ୍ତା ବର୍ଷ ମେ ମାସ ଶେଷ ପର୍ଯ୍ୟନ୍ତ ନଦୀ ମୁହାଣ ଓ ସମୁଦ୍ର ଉପକୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରା ନିଷେଧ କରାଯାଇଛି। ଆଜି ଲୋକସେବା ଭଭନରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ କଇଁଛମାନଙ୍କ ପ୍ରଜନନ ଋତୁରେ ମାଛଧରା ନିଷେଦ୍ଧ ଯୋଗୁ ପ୍ରଭାବିତ ହେଉଥିବା ମତ୍ସ୍ୟଜୀବୀମାନଙ୍କ ପାଇଁ ସହାୟତା ରାଶି ବୃଦ୍ଧି କରିବା ନେଇ ଆଲୋଚନା କରାଯାଇଛି। ଏହାସହିତ କଇଁଛଙ୍କ ସୁରକ୍ଷା ପାଇଁ ଚଳିତ ବର୍ଷ ସ୍ଥାନୀୟ ବାସିନ୍ଦା ଏବଂ ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ସକ୍ରିୟଭାବେ ସାମିଲ କରି ଏହି କାର୍ଯ୍ୟକ୍ରମକୁ ଏକ ଜନ-ଅଭିଯାନରେ ପରିଣତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଜଙ୍ଗଲ, ମତ୍ସ୍ୟ, ଓ ପ୍ରାଣୀ ସମ୍ପଦ ବିକାଶ, ଗୃହ ଏବଂ ତଟ ସୁରକ୍ଷା ବାହିନୀ କଇଁଛଙ୍କ ପ୍ରଜନନ ଋତୁରେ ପରସ୍ପର ସହ କ୍ଷେତ୍ରୀୟସ୍ତରୀୟ ସମନ୍ବୟ ରକ୍ଷା କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଡି.ଆର.ଡି.ଓ ଏବଂ ଉପକୂଳବର୍ତ୍ତୀ ୩ଟି ବନ୍ଦର ଯଥା, ଧାମରା, ଗୋପାଳପୁର ଓ ପାରାଦୀପର କର୍ତ୍ତୃପକ୍ଷଙ୍କୁ ସଂରକ୍ଷଣ ନିୟମ କଡ଼ାକଡ଼ି ଅନୁପାଳନ କରିବା ପୂର୍ବକ ରାତିରେ ତୀବ୍ର ଆଲୋକ ରଶ୍ମିକୁ କମ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଜନନ ଋତୁରେ ଚଳିତ ମାସ ପହିଲାରୁ ୨୦୨୦ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ମାଛଧରାକୁ ନିଷେଧ କରାଯାଇଛି। ଏହାସହିତ ସମୁଦ୍ର ଉପକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳକୁ ମାଛମରା ନିଷେଧାଞ୍ଚଳ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଛି। ନିଷେଧ ଯୋଗୁ ପ୍ରଭାବିତ ହେଉଥିବା ପ୍ରାୟ ୮ ହଜାର ମତ୍ସ୍ୟଜୀବୀ ପରିବାରକୁ ୭ ହଜାର ୫୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ବୈଠକରେ ସ୍ଥିର କରାଯାଇଛି।

ଅଲିଭ୍ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଥିଲେ। ଚଳିତ ବର୍ଷ ୬୧ଟି ଅନ୍-ସୋର୍ ଏବଂ ୫ଟି ଅଫ୍-ସୋର୍ ସମେତ ମୋଟ୍ ୬୬ଟି ପେଟ୍ରୋଲିଂ କ୍ୟାମ୍ପ୍ କରାଯିବ। ଏ.ପି.ଆର୍, ପୁଲିସ, କୋଷ୍ଟ୍ ଗାର୍ଡ଼୍, ପେଟ୍ରୋଲିଂ ସିପ୍ ଏବଂ ସାମୁଦ୍ରିକ ଥାନାମାନଙ୍କ ମଧ୍ୟରେ ସୂଚନା ଦେଣନେଣ ପ୍ରକ୍ରିୟାକୁ ଅଧିକ ନିୟମିତ କରାଯିବ। ସ୍ଥାନୀୟ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ପ୍ରକୃତି ପ୍ରେମୀ ବ୍ୟକ୍ତି ବିଶେଷଙ୍କୁ ଏଥିରେ ସାମିଲ କରି ଉପକୂଳରେ କଇଁଛଙ୍କ ଅଣ୍ଡା ସୁରକ୍ଷା କରିବା ଏବଂ ଛୁଆ ଫୁଟିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡ଼ିବା କାର୍ଯ୍ୟ କରାଯିବ। ଉଚ୍ଚସ୍ତରୀୟ ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ସଂରକ୍ଷକ (ସାଧାରଣ) ସନ୍ଦୀପ ତ୍ରିପାଠୀ, ପ୍ରଧାନ ମୁଖ୍ୟ ସଂରକ୍ଷକ (ବନ୍ୟଜନ୍ତୁ) ହରିଶଙ୍କର ଉପାଧ୍ୟାୟ, ବିଶେଷଜ୍ଞ ଡଃ ପ୍ରିୟମ୍ବଦା ମହାନ୍ତି (ହେଜମାଦି), ତଟ ସୁରକ୍ଷା ବାହିନୀ କମାଣ୍ଡାଣ୍ଟ୍, ବନ୍ୟଜନ୍ତୁ ସଂରକ୍ଷଣ ଅନୁଷ୍ଠାନର ନିର୍ଦ୍ଦେଶକ, ଡିଆରଡିଓ, ଆଇଟିଆର, ଧାମରା, ଗୋପାଳପୁର ଏବଂ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର