ଦାୟିତ୍ବରେ ଅବହେଳା ପାଇଁ ୭ଜଣ ପ୍ରିଜାଇଡିଂ ଅଫିସରଙ୍କ ସମେତ ୭ ସେକ୍ଟର ଅଧିକାରୀ ନିଲମ୍ବିତ

ସୋରଡ଼ାର ୧୮୨ ନମ୍ବର ବୁଥରେ ସାନି ମତଦାନ ପାଇଁ ସୁପାରିସ

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଭୋଟଗ୍ରହଣ ବେଳେ ଭିଭିପାଟ ମେସିନକୁ ତ୍ରୁଟିପୂର୍ଣ୍ଣ ଭାବେ ସଂଯୋଗ କରିଥିବା ପ୍ରିଜାଇଡିଂ ଅଫିସର ଓ ସେକ୍ଟର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭାରତ ନିର୍ବାଚନ କମିସନ। ଦାୟିତ୍ବରେ ଅବହେଳା ପାଇଁ ସୁନ୍ଦରଗଡ଼, ବଣାଇ, ଅତାବିରା, ଦଶପଲ୍ଲା, ପଦ୍ମପୁର ଓ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ନିୟୋଜିତ ୭ ଜଣ ପ୍ରିଜାଇଡିଂ ଅଫିସର ଓ ୭ ଜଣ ସେକ୍ଟର ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହାସହିତ ସୋରଡ଼ାର ବୁଥ ନମ୍ବର ୧୮୨ରେ ସାନି ମତଦାନ ପାଇଁ ନିର୍ବାଚନ କମିସନଙ୍କୁ ସୁରାରିସ କରାଯାଇଛି।

ପ୍ରକାଶଥାଉକି, ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ବେଳେ ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୧୨୯, ସୁନ୍ଦରଗଡ଼ର ବୁଥ୍ ନମ୍ବର ୨୧୩, ଦଶପଲ୍ଲାର ପୋଲିଂ ବୁଥ୍ ନମ୍ବର ୨୧୦, ୨୨୨, ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୬୮ ଓ ଅତାବିରା ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୨୩୫ରେ ଭିଭିପାଟ୍ ମେସିନରେ ତ୍ରୁଟି ପରିଲକ୍ଷିତ ହେବା ପରେ ସେସବୁକୁ ବଦଳାଇବା ବେଳେ ତ୍ରୁଟି ପୂର୍ଣ୍ଣ ଭାବେ ଲୋକସଭା ସ୍ଥାନରେ ବିଧାନସଭା ଭିଭିପାଟ ମେସିନ ଲାଗିଥିଲା। ଯାହାକୁ ନେଇ ପରେ ଜଣାପଡ଼ିବା ପରେ ସମ୍ପୃକ୍ତ ବୁଥରେ ଭୋଟଗ୍ରହଣକୁ ବନ୍ଦ କରାଯାଇଥିଲା। ସେହିପରି ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୋଟିଏ ବୁଥରେ ମଧ୍ୟ ସମାନ ସ୍ଥିତି ଉପୁଜିବାପରେ ସେଠାରେ ମଧ୍ୟ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏହା ମନୁଷ୍ୟକୃତ ତ୍ରୁଟି ବୋଲି କହି ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିସନଙ୍କୁ ସୁପାରିସ କରିଥିଲେ। ନିର୍ବାଚନ କାର୍ଯ୍ୟକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥାଏ। ସେଥିପାଇଁ ସେମାନଙ୍କୁ ଯଥାବିଧି ତାଲିମ ପ୍ରଦାନ କରାଯାଇ ନିର୍ବାଚନ କାର୍ଯ୍ୟକୁ ଶୃଙ୍ଖଳାର ସହିତ କରିବା ନିମନ୍ତେ ଦାୟିତ୍ବ ନ୍ୟସ୍ତ କରାଯାଇଥାଏ। ଇଭିଏମ ଓ ଭଭିପାଟ ମେସିନରେ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପାଦନ କରିବାକୁ ବହୁ ପୂର୍ବରୁ ନିର୍ବାଚନ କମିସନଙ୍କ ପକ୍ଷରୁ ଏସବୁ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ମଧ୍ୟ ପ୍ରଦାନ କରାଯାଇଥିଲା। ଅଥଚ ସେମାନେ ଅବହେଳା କରିଥିବାରୁ ଭୋଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର