ଏବେଠୁ ଅସମ୍ଭାଳ : ୪୦ଂ ଉପରେ ୬ ସହର

ମାଲକାନଗିରିରେ ୪୨ଡିଗ୍ରି ଟପିଲା, କଟକରେ ଦିନକରେ ବଢ଼ିଛି ୪ଡିଗ୍ରି, ତାତି ଆହୁରି ୪ ରୁ ୫ ଦିନ

ଭୁବନେଶ୍ବର : କଟକରେ ଶୁକ୍ରବାର ସର୍ବାଧିକ ତାପମାତ୍ରା ଥିଲା ୩୬.୨ଡିଗ୍ରି। ଆଜି ପାରଦ ଛୁଇଁଲା ୪୦.୧ ଡିଗ୍ରି। ଦିନକରେ ପ୍ରାୟ ୪ଡିଗ୍ରି ତାପମାତ୍ରା ବଢ଼ିଲା।

କେବଳ କଟକ ନୁହେଁ। ଅନୁଗୁଳରେ ଶୁକ୍ରବାର ତାତି ଥିଲା ୩୯.୧ଡିଗ୍ରି, ଆଜି ଛୁଇଁଲା ୪୦.୭ଡିଗ୍ରି। ଦିନକରେ ବଢ଼ିଲା ୧.୬ଡିଗ୍ରି। ଟିଟିଲାଗଡ଼ରେ ଗତକାଲି ଥିଲା ୪୦ଡିଗ୍ରି, ଆଜି ଛୁଇଁଲା ୪୧.୫ଡିଗ୍ରି। ମାଲକାନଗିରିରେ କାଲି ଥିଲା ୪୧ଡିଗ୍ରି, ଆଜି ଛୁଇଁଲା ୪୨.୬ ଡିଗ୍ରି। ସୋନପୁରରେ ଥିଲା ୩୮.୮ଡିଗ୍ରି, ଆଜି ଛୁଇଁଲା ୪୦.୬ଡିଗ୍ରି। ପାରଦ ଏକାବେଳକେ ୧.୮ଡିଗ୍ରି ବଢ଼ିଲା। ଝାରସୁଗୁଡ଼ାରେ ଥିଲା ୩୮.୧ଡିଗ୍ରି। ଆଜି ପାରଦ ଛୁଇଁଲା ୪୦ଡିଗ୍ରି। ବଢ଼ିଲା ୧.୯ଡିଗ୍ରି।

କେବଳ ଏହି ୬ଟି ସହର ନୁହେଁ। ଆଜି ରାଜ୍ୟର ସମସ୍ତ ସହରରେ ପାରଦ ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। କଟକରେ ହଠାତ୍ ପାରଦ ୪ଡିଗ୍ରି ବଢ଼ିଯିବାରୁ ଲୋକ ଗରମରେ ଆଉଟୁପାଉଟୁ ହୋଇଯାଇଛନ୍ତି। ତତଲା ପବନକୁ ନିଆଁ ବର୍ଷା ସାରା ରାଜ୍ୟ‌େର ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି। ଦିନ ୧୧ଟା ପରେ ଅଗ୍ନି ବର୍ଷା ହେଲା ଭଳି ତାତି ହେଉଥିବାରୁ ଦେହ ହାତ ସିଝି ଯାଉଛି। ମୁହଁ ବି ପୋଡ଼ି ଗଲା ଭଳି ଲାଗୁଛି।

ଏପଟେ ପାଣିପାଗ ବିଭାଗ କହିଛି ଏମିତି ତାତି ଆହୁରି ୪ରୁ ୫ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ। ଦିନକୁ ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ଖରା ବଢ଼ିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିଲେ ଭଲ। ଯଦି ବାହାରିବ ପାଖରେ ଛତା ଓ ପାଣି ବୋତଲ ରଖିବ। ନଚେତ୍ ଅଂଶୁଘାତ ହେବା ଏକରକମ ଥୟ।

ଗତ କିଛି ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ତାତି ହଠାତ୍ ହୁ ହୁ ହୋଇ ବଢ଼ିଛି। ଦିନକରେ ପାରଦ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ରାଜ୍ୟର ତାପମାତ୍ରା ହାରାହାରି ୨ଡିଗ୍ରି ବଢ଼ିଯାଇଛି। ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୬ଡିଗ୍ରି ରେକର୍ଡ ହୋଇଛି। ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଆଜି ତାତି ଅସମ୍ଭାଳ ଅନୁଭୂତ ହୋଇଛି। ସ୍ଥିତି ଯାହା ଆସନ୍ତା ଦୁଇରୁ ତିନି ଦିନ ଖରାରୁ ଉଦ୍ଧାର ମିଳିବନି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ ବି କରିସାରିଲାଣି।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏବେ ଦକ୍ଷିଣ ପଶ୍ଚିମ ଦିନଗରୁ ତତଲା ପବନ ବହୁଥିବାବେଳେ ବାୟୁମଣ୍ଡଳ ଶୁଷ୍କ ରହିଛି। ତେଣୁ ଅଧିକ ଖରା ଅନୁଭୂତ ହେଉଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଅସହ୍ୟ ତାତି ଅନୁଭୂତ ହେବ। ଏପରିକି ପାରଦ ଆହୁରି ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।

ସେହିପରି ଅପରାହ୍ନରେ କାଳବୈଶାଖୀ ହେବାର ସମ୍ଭାବନା ରହୁଥିଲେ ହେଁ ବର୍ଷା ହେଉନଥିବାରୁ ତାତି ଅଧିକ ଅନୁଭୂତ ହେଉଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ରବିବାର କାଳବୈଶାଖୀ ହେବାର ସମ୍ଭାବନା ପ୍ରାୟ ନଥିଲେ ହେଁ ଏପ୍ରିଲ ୧ ଓ ୨ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ରାୟଗଡ଼ା, ଗଜପତି ଆଦି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ। ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଜୋର୍‌ରେ ଘଡ଼ଘଡ଼ି ମାରିବ ଏବଂ ୪୦ରୁ ୫୦କିମି ବେଗରେ ପବନ ବହିପାରେ।

ସମ୍ବନ୍ଧିତ ଖବର