କଥା ଦେଇ କଥା ରଖିଲେ, ୨୧ ଆସନରୁ ୭ଜଣ ମହିଳାଙ୍କୁ ମୈଦାନକୁ ଓହ୍ଲାଇଲେ ନବୀନ

0

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ମୋଟ ଆସନର ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏପରିକି ଏନେଇ ଏକ ବିଲ ମଧ୍ୟ ସଂସଦରେ ବିଜେଡି ଆଣିଥିଲା । ଆଉ ନବୀନଙ୍କ ଏହି ପ୍ରୟାସକୁ ପୂରା ଦେଶରୁ ସମର୍ଥନ ମିଳିଥିଲା ।

ନିର୍ବାଚନ ବେଳେ ପ୍ରାର୍ଥୀ ଘୋଷଣା ବେଳେ ପ୍ରଥମରୁ ହିଁ ଏହାର ଝଲକ ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ପ୍ରାର୍ଥୀ ବିଜେଡି ଘୋଷଣା କରିଥିବା ବେଳେ ଏଥିରେ ୩ ମହିଳାଙ୍କୁ ପ୍ରାର୍ଥୀ କରିଥିଲା ଦଳ । ମହିଳା ସଶକ୍ତୀକରଣର ବାର୍ତ୍ତା ଦେଉଥିବା ନବୀନ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ବେଳେ ଏସଏଚଜି ଗ୍ରୁପ ସଦସ୍ୟ ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ମାଷ୍ଟରଷ୍ଟ୍ରୋକ ମାରିଥିଲେ। ଅତି ସାଧାରଣବର୍ଗରୁ ଆସିଥିବା ପ୍ରମିଳାଙ୍କୁ ଦଳ ପ୍ରାର୍ଥୀ କରିବା ପରେ ଚାରିଆଡୁ ପ୍ରଂଶସା ସାଉଁଟିଥିଲା ।

ପ୍ରମିଳାଙ୍କ ସହ ଏହି ପର୍ଯ୍ୟାୟରେ କୋରାପୁଟ ଆସନ ପାଇଁ କୌଶଲ୍ୟା ହିକକା ଓ ସୁନ୍ଦରଗଡ ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳଙ୍କୁ ମୈଦାନକୁ ଓହ୍ଲାଇଥିଲା। ସେହିଭଳି ପରବର୍ତ୍ତୀ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୯ ଲୋକସଭା ଆସନରୁ ମଧ୍ୟ ୩ ଜଣ ମହିଳାଙ୍କୁ ମୈଦାନକୁ ଓହ୍ଲାଇଥିଲା ଦଳ । ଯାଜପୁରରୁ ରୀତା ତରାଇଙ୍କ ବଦଳରେ ଶର୍ମିଷ୍ଠା ସେଠୀଙ୍କୁ ଦଳ ପ୍ରଥମ ଥର ପାଇଁ ସୁଯୋଗ ଦେଇଥିଲା। ସେହିଭଳି ତିର୍ତ୍ତୋଲ ବିଧାୟିକା ଥିବା ରାଜଶ୍ରୀ ମଲ୍ଲିକଙ୍କୁ ଦଳ କୁଳମଣି ସାମଲଙ୍କ ସ୍ଥାନରେ ଜଗତସିଂହପୁରରୁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଳାଇଛି । ଏହାଛଡା ଭଦ୍ରକ ଆସନରୁ ମଧ୍ୟ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ମହିଳା କାର୍ଡରେ ପ୍ରାର୍ଥୀ କରିଛି ।

ଦୁଇଟି ପର୍ଯ୍ୟାୟରେ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ବଳକା ୩ଟି ଆସନକୁ ନେଇ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । କଟକ, ଢେଙ୍କାନାଳ ଓ କେଉଁଝର ଆସନ ମଧ୍ୟରୁ କେଉଁ ଆସନରେ ଦଳ ମହିଳା କାର୍ଡ ଖେଳିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି କେଉଁଝରରେ ବିଜେଡିର ମହିଳା ସାଂସଦ ଥିବାରୁ ଏହି ଆସନ ଉପରେ ସମସ୍ତଙ୍କର ଫୋକସ ରହିଥିଲା । ଆଉ ଆଜି ନବୀନଙ୍କ ଘୋଷଣାରେ ମଧ୍ୟ ଏହାର ପ୍ରତିଛବି ଦେଖିବାକୁ ମିଳିଥିଲା । କେଉଁଝର ସାଂସଦ ଶକୁନ୍ତଳା ଲାଗୁରୀଙ୍କ ବଦଳରେ ଗତକାଲି ଦଳରେ ମିଶିଥିବା ଚନ୍ଦ୍ରାଣି ମୁର୍ମୁଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ନବୀନଙ୍କ ଏହି ଘୋଷଣା ପରେ ଦକ୍ଷିଣରୁ ଉତ୍ତର ପ୍ରତ୍ୟେକ ଅଞ୍ଚଳରେ ବିଜେଡି ମହିଳାଙ୍କୁ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିଛି । ବିଜେଡି ସୁପ୍ରିମୋଙ୍କ ଏହି ନୂଆ ଷ୍ଟ୍ରାଟେଜି ଦଳକୁ କେତେ ଫାଇଦା ଦେବ ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.