ସଙ୍ଗରୋଧ କେନ୍ଦ୍ର ବାହାରେ ଧାରଣାରେ ବସିଲେ ୭୦ ଜଣ ପ୍ରବାସୀ ଶ୍ରମିକ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ସୁନାରୀଝୋଳା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥାକୁ ୭୦ଜଣ ସୁରତଫେରନ୍ତା ପ୍ରବାସୀ ଓଡ଼ିଆ ପ୍ରତିବାଦ କରିଛନ୍ତି। ଏହାସହ ସରପଞ୍ଚଙ୍କ ସ୍ବାମୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ସକାଳ ୯ଟାରୁ ସନ୍ଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ପ୍ରବାସୀ ଓଡ଼ିଆ ମାନେ ସଙ୍ଗରୋଧ କେନ୍ଦ୍ର ବାହାରେ ସେମିତି ବସି ରହିବା ସହ ପ୍ରତିବାଦ କରିଥିଲେ। ପରେ ବିଡିଓ ବାସୁଦେବ ନାୟକ ଓ ପୁଲିସ ସେଠାରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବା ପରେ ୭୦ଜଣ ପ୍ରବାସୀ ଓଡ଼ିଆଙ୍କୁ ଏ.ବରିଡ଼ା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥଇଥାନ୍ କରାଯାଇଥିବା ଜଣାପଡ଼ିଛି। ତେବେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚଙ୍କ ଏଭଳି ମନମୁଖୀ କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ମିଳିଥିବା ସୂଚନାନୁସାରେ, ଆଜି ସକାଳ ୯ଟାରେ ସୁରତରୁ ପ୍ରବାସୀ ଓଡ଼ିଆ ମାନେ ବସ୍‌ରେ ଆସି ସୁନାରୀଝୋଳାରେ ପହଞ୍ଚିଥିଲେ। ହେଲେ ସେଠାରେ ଧାର୍ଯ୍ୟ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖି ପ୍ରବାସୀ ମାନେ ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ। ପାଣିଠୁ ଆରମ୍ଭ କରି ବିଦ୍ୟୁତ୍ ସେବା ଓ ପରିମଳ କୌଣସି ସମସ୍ୟା ସମାଧାନ ହୋଇପାରି ନଥିଲା। ଫଳରେ ପ୍ରବାସୀ ମାନେ ପ୍ରତିବାଦ କରି ସାରାଦିନ ସେମିତି ଭୋକ ଉପାସରେ ସଙ୍ଗରୋଧ କେନ୍ଦ୍ର ସାମ୍ନାରେ ବସି ରହିଥିଲେ। ସରପଞ୍ଚଙ୍କ ସ୍ବାମୀ ପହଞ୍ଚିବା ପରେ ସେମାନେ ଗୁହାରି କରିଥିଲେ। କିନ୍ତୁ ସେ ଗୁହାରି ଶୁଣିବା ବଦଳରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଗିଦ୍ କରିଥିଲେ।

ସ୍ଥିତି ଏମିତି ହୋଇଥିଲା ଯେ, କିଛି ପ୍ରବାସୀଙ୍କ ସହ ଟଣାଓଟରା ହୋଇଥିଲା। ପଞ୍ଚାୟତ ପକ୍ଷରୁ ପ୍ରବାସୀଙ୍କ ପାଇଁ ଜଳଖିଆ, ମଧ୍ୟାହ୍ନଭୋଜନ ଓ ପାଣି ବ୍ୟବସ୍ଥା ହୋଇ ନଥିଲା। ଶେଷରେ ସନ୍ଧ୍ୟା ବେଳେ ସମସ୍ତ ପ୍ରବାସୀ କବିସୂର୍ଯ୍ୟନଗର ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପୁଲିସ ଓ ପ୍ରାଶାସନିକ ଅଧିକାରୀ ମାନେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ବି ପରିସ୍ଥିତି ଶାନ୍ତ ପଡ଼ି ନଥିଲା। ପରେ ସମସ୍ତେ ବିଡିଓ ବାସୁଦେବ ନାୟକଙ୍କୁ ଭେଟିଥିଲେ। ସରପଞ୍ଚଙ୍କ ସ୍ବାମୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିଡିଓ ହସ୍ତକ୍ଷେପ କରିବା ପରେ ସମସ୍ତଙ୍କୁ ଏ.ବରିଡ଼ା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଥଇଥାନ କରାଯାଇଥିଲା। ଅନ୍ୟପକ୍ଷ‌ରେ ସରପଞ୍ଚଙ୍କ ସ୍ବାମୀଙ୍କୁ ଟଣାଓଟରା କରାଯିବା ଘଟଣାକୁ ସମସ୍ତ ସରପଞ୍ଚ ନିନ୍ଦା କରି ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର