ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୭୦ ଛାତ୍ରଛାତ୍ରୀ ଅସୁସ୍ଥ

ବନ୍ତ : ବନ୍ତବ୍ଲକ ସେଣ୍ଢତୀରା ପଞ୍ଚାୟତ ଅନ୍ତର୍ଗତ ବଣପିଞ୍ଜରା ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଦ୍ୟ ଖାଇ ୭୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତିକରାଯାଇଛି। ରନ୍ଧାହୋଇଥିବା ଖାଦ୍ୟରେ ଏକ ଝିଟିପିଟି ପଡ଼ି ମରିଯାଇ ଥିବାରୁ ଏ ଅଘଟଣ ଘଟିଥିବା ଜଣାପଡ଼ିଛି।

ସୂଚନା ମୁତାବକ ଛାତ୍ରଛାତ୍ରୀଙ୍କ ନିମନ୍ତେ ପାଚିକା ଓ ସହାୟିକା ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିଲେ। କେତେ ବେଳେ ତରକାରିରେ ଏକ ଝିଟିପିଟି ପଡି ମରି ଯାଇଥିଲା। ପାଚିକା ସହାୟିକା ଏହା ଜାଣିନ ପାରି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦେଇଥିଲେ। ଶେଷରେ ଖାଉଥିବା ଜଣେ ଛାତ୍ରଙ୍କ ଖାଦ୍ୟରୁ ଝିଟିପିିଟି ବାହାରିବା ଦେଖି ପିଲାଟି ନଖାଇ ପାଟି କରିଥିଲା। ଏକଥା ଜାଣିବା ପରେ ପ୍ରଧାନ ଶିକ୍ଷକ ମାନସ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ। ଏବେ ୫ ଜଣ ଗୁରୁତର ଛାତ୍ର ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର