ଆମ ଓଡ଼ିଶା ପାର୍ଟିରେ ମିଶିଲେ ୭୦୦ ବିଜେଡ଼ି କର୍ମୀ

ଖଣ୍ଡପଡ଼ା/ଭାପୁର: ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ପ୍ରାୟ ୭୦୦ କର୍ମୀ ଆଜି ଆମ ଓଡ଼ିଶା ପାର୍ଟିରେ ସାମିଲ୍‌ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜୁ ଛାତ୍ର ଜନତା ଦଳର ସଭାପତି ମନୋରଂଜନ ବେହେରା ଓ ତାଙ୍କ ଦୁଇ ଶହ ସମର୍ଥକ, ପଥରଚକଡ଼ା ଗ୍ରାମ ପଂଚାୟତର ୫୦୦ ଶାସକ ଦଳର କର୍ମୀ ଓ ନେତା ଏବଂ ପଥରଚକଡ଼ା ବ୍ରଜବନ୍ଧୁ ଯୁବକ ସଂଘର ଶତାଧିକ ସଭ୍ୟ। ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେମାନେ ଏହି ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି।
ଏଥିପାଇଁ ଭାପୁର ବ୍ଲକ୍‌ ପଥରଚକଡ଼ାସ୍ଥିତ ମା’ ନାରାୟଣୀ ପୀଠରେ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆମ ଓଡ଼ିଶା ପାର୍ଟିରେ ସାମିଲ ନେତା ଓ କର୍ମୀମାନଙ୍କୁ ସ୍ୱାଗତ ଜଣାଇ ଶ୍ରୀ ପଟ୍ଟନାୟକ କହିଲେ, ଆମ ଓଡ଼ିଶା ପାର୍ଟି ଏକ ଛୋଟିଆ ଦଳ ହୋଇଥିଲେ ମଧ୍ୟ ପ୍ରସଙ୍ଗ ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ଯେଉଁ ଭଳି ବିକାଶ ହେବା କଥା ତାହା ହୋଇ ନାହିଁ। ଫଳରେ ଖଣ୍ଡପଡ଼ା ଓ ଭାପୁର ବ୍ଲକ୍‌ର ଅନେକ ଯୁବକଯୁବତୀ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ଦୁର୍ନୀତି ଏବଂ ବେକାରୀ ସମସ୍ୟା ସମଗ୍ର ବ୍ୟବସ୍ଥାକୁ ଗ୍ରାସ କରିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ତଥା ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ହେବ ଆମର ମୁଖ୍ୟ ପ୍ରସଙ୍ଗ। ଏହା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବା ସହିତ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ଚାଷୀଙ୍କୁ ଉଚିତ୍‌ ସମ୍ମାନ, କୃଷି ଓ କୃଷକର ଉନ୍ନତି, ମହିଳାଙ୍କୁ ସମ୍ମାନ, ଉନ୍ନୟନ କାର୍ଯ୍ୟରେ ପିସି ବନ୍ଦ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଆଲୋକ ଓ ସମସ୍ତଙ୍କୁ ପିଇବା ପାଣି ଯୋଗାଇବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଛାତ୍ର ଓ ଯୁବକମାନେ ହିଁ ଦେଶର ଭବିଷ୍ୟତ । ଯୁବଶକ୍ତି ଚାହିଁଲେ ଓଡ଼ିଶାରେ ବିକଳ୍ପ ନେତୃତ୍ୱ ସମ୍ଭବ । ମା’, ମାଟି ଓ ମାତୃଭାଷାର ବିକାଶ, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ଆହ୍ଵାନ ଜଣାଇ ଶ୍ରୀ ପଟ୍ଟନାୟକ କହିଲେ ଯେ ଆଜି ଯେଉଁ ଯୁବ ବନ୍ଧୁମାନେ ଶହ ଶହ ସଂଖ୍ୟାରେ ଶାସକ ଦଳ ଛାଡ଼ି ଓଡ଼ିଶାରେ ପରିବର୍ତନ ପାଇଁ ଆମ ଓଡ଼ିଶା ପାର୍ଟିରେ ସାମିଲ୍‌ ହୋଇଛନ୍ତି, ସେମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମ ଓଡ଼ିଶା ପାର୍ଟି ସମସ୍ତ ଉଦ୍ୟମ କରିବ।

ନିର୍ବର୍ାଚନଣ୍ଡଳୀ ସଭାପତି ବିଜୟ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଖଣ୍ଡପଡ଼ା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ଶିଶିର କୁମାର ସାହୁ, ବରିଷ୍ଠ ନେତା ବିଜୟ କୁମାର ତ୍ରିପାଠୀ, ପଥରଚକଡ଼ା ଗ୍ରାମର ବାଞ୍ଛାନିଧି ସାମଲ, ମଥୁରା ନାଥ ଦାସ, ବାସୁଦେବ ସାହୁ, ବିରବର ସାହୁ, ଲିଙ୍ଗରାଜ ଦାସ, କୈଳାଶ ପ୍ରଧାନ, ଅପର୍ତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଏହାପୂର୍ବରୁ କଂଟିଲୋ ଯାତ୍ରା ପଡ଼ିଆ ଠାରୁ ପଥରଚକଡ଼ା ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକଙ୍କୁ କର୍ମୀ ଓ ନେତୃବୃନ୍ଦ ସଭାସ୍ଥଳକୁ ପାଛୋଟି ନେଇଥିଲେ। ଏଥିରେ ୨୦୦ରୁ ଅଧିକ ମୋଟର ସାଇକେଲ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର