ବାଲେଶ୍ବରରେ ଝାଡ଼ାବାନ୍ତି : ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଡେଇଁଲା

ଡାକ୍ତରଖାନାରେ ଜାଗା ଅଭାବ, ବାରଣ୍ଡାରେ ଗଡ଼ୁଛନ୍ତି ରୋଗୀ

ବାଲେଶ୍ବର : ବାଲେଶ୍ବରରେ ଏବେ ଦିନକୁ ଦିନ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ଦୁଇ ସପ୍ତାହରୁ ଅଧିକ ହେବ ଜିଲ୍ଲାରେ ଝାଡ଼ାବାନ୍ତିକୁ ନେଇ ଉପୁଜିଥିବା ସ୍ଥିତି ସୁଧୁରିବାର ନାଁ ଧରୁନି, ବରଂ ଅଧିକ ବିଗିଡ଼ିଛି। ଫଳରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ସଂଖ୍ୟା ହୁ ହୁ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ପରିସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ଅନ୍ୟପଟେ ଡାକ୍ତରଖାନାରେ ଦେଖାଦେଇଥିବା ଅବ୍ୟବସ୍ଥା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ସୂଚନାଯୋଗ୍ୟ; ପ୍ରାୟ ୧୦ ଦିନ ତଳେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିଥିଲା। ପ୍ରତିଦିନ ଅଧିକରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଖବର ଆସୁଛି। ବିଶେଷ କରି ଉତ୍ତର ବାଲେଶ୍ବର ଓ ସଦର ବ୍ଲକ୍‌ର ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। ବର୍ତମାନ ଜିଲ୍ଲା ଡାକ୍ତରଖାନାରେ ୧୦୫ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଥିବାବେଳେ ରୋଗୀ ସଂଖ୍ୟା ପ୍ରାୟ ୭ ଶହ ଟପିଯିବ ବୋଲି ଆକଳନ କରାଯାଇଛି।

ଅନ୍ୟପଟେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢ଼ୁ୍ଥିବା ବେଳେ ଏଠାରେ ନାନା ସମସ୍ୟା ଦେଖାଦେଇଛି। ଯାହାଦ୍ବାରା ଆକ୍ରାନ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କ ସଂଖ୍ୟା ଆଶାତୀତ ରହିଥିବା ବେଳେ ଡାଇରିଆ ୱାର୍ଡରେ ମାତ୍ର ଦୁଇଟି କୋଠରିରେ ୮ଟି ବେଡ୍‌ ଏବଂ ବାରଣ୍ଡାରେ ୪ଟି ବେଡ୍‌ ପଡ଼ିଛି। ଏପରି ସମୟରେ ଶହ ଶହ ରୋଗୀ ଚଟାଣରେ ସପ ପକାଇ ପଡ଼ିରହିବାକୁ ବାଧ୍ୟ ହେଉଛନ୍ତି। ଝାଡ଼ାବାନ୍ତି ସ୍ଥିତି ନେଇ ଜିଲ୍ଲା ଡିଏସ୍‌ଏମ୍‌ଓ ଡା. ସଂଧ୍ୟାରାଣୀ ପଟ୍ଟନାୟକ କହିଛନ୍ତି, ସେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ ଡାକ୍ତରଖାନା ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଆକ୍ରାନ୍ତମାନଙ୍କୁ କିପରି ଆବଶ୍ୟକ ଚିକିତ୍ସା ସେବା ଯୋଗାଯିବ, ତାହାର ବ୍ୟବସ୍ଥା ହେଉଛି। ଡାଇରିଆ ୱାର୍ଡ‌ରେ ଜାଗାର ଅଭାବ ଥିବାରୁ ଖୁବ୍‌ଶୀଘ୍ର ଟିବି ୱାର୍ଡକୁ ଆକ୍ରାନ୍ତମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର