ରାଜ୍ୟରେ ଅପହଞ୍ଚ ଗାଁ ସଂଖ୍ୟା ୭,୩୩୨

ଭୁବନେଶ୍ୱର : ଓଡ଼ିଶାରେ ଏବେ ବି ୭,୩୩୨ ଗାଁକୁ ଠିକଣା ସଡ଼କ ଯୋଗାଯୋଗ ନ ଥିବାରୁ ସେଠାରୁ ରୋଗୀଙ୍କୁ ଆଣିବା ଲାଗି ଆମ୍ବୁଲାନ୍ସ ଯାଇପାରୁନାହିଁ। ତେଣୁ ଏଠାରୁ ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାରେ ପ୍ରସବ ପାଇଁ ଆଣିବା ଲାଗି ଜଣ ପିଛା ହଜାରେ ଟଙ୍କା କରି ଆର୍ଥକ ସହାୟତାର ବ୍ୟବସ୍ଥା ହୋଇଛି। ବିଜେପି ବିଧାୟକ ଦିଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ଶିଶୁ ଓ ମାତୃ ମୃତ୍ୟୁର ପୂର୍ଣ୍ଣ ନିରାକରଣ ଅଭିଯାନ ‘ସମ୍ପୂର୍ଣ୍ଣା’ ଯୋଜନା କେବେଠାରୁ ଆରମ୍ଭ ହୋଇଛି ଓ ଏହି ଯୋଜନାରେ ଚଳିତବର୍ଷ ରାଜ୍ୟର କେତୋଟି ଗାଁକୁ ଅପହଞ୍ଚ ଇଲାକା ଭାବେ ଚିହ୍ନଟ କରାଯାଇଛି ତାହାର ଜିଲ୍ଲାୱାରୀ ତଥ୍ୟ ମଗାଯାଇଥିଲା। ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ଏସବୁ ଗାଁରୁ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ଷ୍ଟ୍ରେଚର୍‌ରେ ଆଣିବା ଲାଗି ଗାଁ କଲ୍ୟାଣ ସମିତିକୁ ଦାୟିତ୍ୱ ଦିଆଯାଇଛି। ଏଥିସହିତ ସମିତି ପାଣ୍ଠିରୁ ହଜାରେ ଟଙ୍କା ଅଗ୍ରୀମ ଦେବାର ବ୍ୟବସ୍ଥା ଅଛି। ଅପହଞ୍ଚ ଗ୍ରାମରୁ ଗର୍ଭବତୀ ମା’ମାନଙ୍କୁ ଡାକ୍ତରଖାନା ଆଣିବା ଲାଗି ବାଇକ୍‌ ଆମ୍ବୁଲାନ୍ସ ବ୍ୟବସ୍ଥା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ଶିଶୁ ଓ ମାତୃ ମୃତ୍ୟୁର ପୂର୍ଣ୍ଣ ନିରାକରଣ ପାଇଁ ଆରମ୍ଭ ହୋଇଥିବା ସମ୍ପୂର୍ଣ୍ଣା ଯୋଜନାରେ ଚଳିତ ଆର୍ଥକ ବର୍ଷରେ ୪୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚିହ୍ନଟ କରାଯାଇଥିବା ୭,୩୩୨ଟି ଅପହଞ୍ଚ ଗାଁ ମଧ୍ୟରୁ କୋରାପୁଟ ଜିଲ୍ଲାରେ ସର୍ବାଧିକ ୯୯୮ଟି ଗାଁ ରହିଛି। ସେହିଭଳି ଝାରସୁଗୁଡ଼ାରେ ସର୍ବନିମ୍ନ ୪ଟି ଗାଁ ରହିଛି, ଯେଉଁଠିକୁ ଯୋଗାଯୋଗ ନାହିଁ। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ୯୧୪ଟି, ରାୟଗଡ଼ାରେ ୮୧୭, କଳାହାଣ୍ଡିରେ ୫୩୫, ଗଜପତିରେ ୫୮୩, ମାଲକାନଗିରିରେ ୫୬୧ଟି, ଗଞ୍ଜାମରେ ୪୮୩ଟି ଅପହଞ୍ଚ ଗାଁ ରହିଛି। ନୟାଗଡ଼, ନବରଙ୍ଗପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୩ଶହରୁ ଅଧିକ କରି ଅପହଞ୍ଚ ଗାଁ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ୨୧୦ଟି ଅପହଞ୍ଚ ଗାଁ ରହିଛି। ନୂଆପଡ଼ା, କେନ୍ଦୁଝର,ବୌଦ୍ଧ, ବାଲେଶ୍ୱର ଆଦି ଜିଲ୍ଲାରେ ଶତାଧିକ ଅପହଞ୍ଚ ଗାଁ ଅଛି। ରାଜଧାନୀ ଥିବା ଖୋର୍ଦ୍ଧା ଜିଲ୍ଲାରେ ୧୧ଟି ଅପହଞ୍ଚ ଗାଁ ଥିବା ବେଳେ କଟକ ଜିଲ୍ଲାରେ ଏହି ସଂଖ୍ୟା ୨୪। ଆଉ ଯେଉଁସବୁ ଜିଲ୍ଲାରେ ଶହେରୁ କମ୍‌ କରି ଅପହଞ୍ଚ ଗାଁ ଅଛି ସେଗୁଡ଼ିକ ହେଲା ବରଗଡ଼, ଅନୁଗୁଳ, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ସମ୍ବଲପୁର ଓ ସୋନପୁର।

ସମ୍ବନ୍ଧିତ ଖବର