ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହେଲେ ୭୪ ଆସିଷ୍ଟାଣ୍ଟ ସର୍ଜନ

କଟକ : ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ୭୪ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କୁ ନିଯୁକ୍ତି ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହା ପ୍ରକାଶ କରାଯାଇଥିଲା ବେଳେ ସବିଶେଷ ତଥ୍ୟ ବିଭାଗର ଓ୍ଵବସାଇଟ୍‌ରେ ଉପଲବ୍ଧ ରହିଛି। ୨୦୧୬-୧୭ ବର୍ଷରେ ଓଡ଼ିଶା ମେଡିକାଲ୍‌ ଓ ସ୍ୱାସ୍ଥ୍ୟସେବା କ୍ୟାଡର ଅଧୀନରେ ଗ୍ରୁପ୍‌ ଏ’ କ୍ଲାସ୍‌-୧ ମେଡିକାଲ୍‌ ଅଫିସର (ଆସିଷ୍ଟାଣ୍ଟ ସର୍ଜନ) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ଉପରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଫେବ୍ରୁଆରି ୨୪ ତାରିଖରେ ଉକ୍ତ ୭୪ଜଣ ସର୍ଜନଙ୍କ ନାମ ସୁପାରିସ କରିଥିଲା। ସମସ୍ତେ ମେ’ ୧୦ ତାରିଖରେ କାଉନସେଲିଂ ପାଇଁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ୬୨ଜଣ କାଉନସେଲିଂରେ ଯୋଗଦେଇଥିଲା ବେଳେ ଅନ୍ୟମାନେ ଅନୁପସ୍ଥିତ ଥିଲେ। ଅନୁପସ୍ଥିତ ସର୍ଜନମାନଙ୍କ ତାଲିକାକୁ ଟ୍ରାନ୍ସଫର କମିଟି ନିକଟକୁ ପଠାଇ ଦିଆଯାଇଥିଲା। କମିଟିର ସୁପାରିସ କ୍ରମେ ଉକ୍ତ ସର୍ଜନମାନଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ ଅବସ୍ଥାପନ କରାଯାଉଥିବା ବିଜ୍ଞପ୍ତିରୁ ପ୍ରକାଶ।

ସମ୍ବନ୍ଧିତ ଖବର