୭୪ ଚିଟ୍‌ଫଣ୍ଡ ସଂସ୍ଥା ନିଖୋଜ!

କଟକ : ରାଜ୍ୟରେ ଚିଟ୍‌ଫଣ୍ଡ କାରବାର କରୁଥିବା ସଂସ୍ଥା ମଧ୍ୟରୁ ୭୪ଟିର ପତା ମିଳୁ ନାହିଁ। ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୫୨ ହଜାର ଟଙ୍କା ସତ୍ୟପାଠ ଯାଞ୍ଚ କରି ଜଷ୍ଟିସ ମଦନ ମୋହନ ଦାସ କମିସନ୍‌ ୪୮୬ଟି ଅର୍ଥ ଲଗାଣକାରୀ ସଂସ୍ଥାକୁ ନୋଟିସ୍‌ ଜାରି କରିବା ପାଇଁ ଧାର୍ଯ୍ୟ କରିଥିଲେ।

ସତ୍ୟପାଠ ତଥ୍ୟ ଆଧାରରେ କମିସନ ବିଭିନ୍ନ ସଂସ୍ଥାର ପଦାଧିକାରୀଙ୍କୁ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତାଠାରୁ କମ୍‌)ଙ୍କ ଦାବି ସଂପର୍କରେ ନୋଟିସ୍‌ ଜାରି କରୁଥିବା ବେଳେ ୧୫୬ଟି ସଂସ୍ଥାର ଠିକଣା ମିଳି ପାରି ନଥିଲା। ଏପରି ସଂସ୍ଥା ଗୁଡିକର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକ, ଅଧ୍ୟକ୍ଷ ଓ ପଦାଧିକାରୀଙ୍କ ସଠିକ ଠିକଣା ଦେବାକୁ କମିସନ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏପରି ୭୪ଟି ସଂସ୍ଥାର ପଦାଧିକାରୀଙ୍କ ଠିକଣା କ୍ରାଇମବ୍ରାଞ୍ଚ ପାଇନଥିଲା ବୋଲି କମିସନଙ୍କୁ ଅବଗତ କରିଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଏସ୍‌ପିଙ୍କ ନିକଟରେ ଏ ସଂପର୍କିତ ତଥ୍ୟ ନଥିବା ପରିସ୍ଥିତିରେ ଖବରକାଗଜରେ ବିଜ୍ଞାପନ ପ୍ରକାଶ ମାଧ୍ୟମରେ ଏହି ଚିଟଫଣ୍ଡ ସଂସ୍ଥାର ପଦାଧିକାରୀଙ୍କୁ କମିସନ୍‌ ସାନି ନୋଟିସ୍‌ ଜାରି କରିବେ ବୋଲି ସୂଚନା ମିଳିଛି। ରାଜ୍ୟରେ ଚିଟଫଣ୍ଡ କାରବାର ଚେର ବହୁ ଦୂର ଲମ୍ବିଥିବା ବେଳେ ରାଜ୍ୟ ପୁଲିସ ନିକଟରେ ଏ ସଂପର୍କରେ ଠୋସ୍‌ ତଥ୍ୟ ନଥିବା ସ୍ପଷ୍ଟ ହୋଇଛି। ୨୦୧୩ରେ କମିସନଙ୍କ ନିକଟରେ କ୍ଷତିଗ୍ରସ୍ତ ଜମାକରୀ ସତ୍ୟପାଠ ଦାଖଲ କରିଥିଲେ। ଏହା ଭିତରେ ପ୍ରାୟ ସାଢେ ଚାରି ବର୍ଷ ବିତି ଯାଇଥିବା ବେଳେ ବହୁ ସଂସ୍ଥା ନିଜ କାର୍ଯ୍ୟାଳୟ ବନ୍ଦ୍‌କରି ପଳାୟନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିସୋର, ଅର୍ଥତତ୍ତ୍ୱ ସମେତ ୪୪ଟି ଚିଟଫଣ୍ଡ ସଂସ୍ଥାର ତଦନ୍ତ ସିବିଆଇ ଚଳାଇଥିବା ବେଳେ ଛୋଟବଡ ଆଉ ଶତାଧିକ ଠକ ସଂସ୍ଥା ବିରୋଧରେ ରହିଥିବା ଅଭିଯୋଗର ତଦନ୍ତ ରାଜ୍ୟ ପୁଲିସ କରୁଛି। କିନ୍ତୁ ପୁଲିସ ନିକଟରେ ବହୁ ସଂସ୍ଥାର ଠିକଣା ନଥିବା କଥା ଜମାକାରୀଙ୍କ ଆଶଙ୍କା ବଢାଇ ଦେଇଛି। ଠିକଣା ମିଳୁ ନଥିବା ୭୪ଟି ସଂସ୍ଥା ମାଧ୍ୟମରେ ରାଜ୍ୟ ବାହାରର କେତେକ ଚିଟଫଣ୍ଡ୍‌ ସଂସ୍ଥା ମଧ୍ୟ ରହିଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କମିସନ ୨୦୧୬, ମେ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୨୨ରୁ ୨୦୧୩, ଅଗଷ୍ଟ ୩୧ ମଧ୍ୟରେ ଦାଖଲ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ୍‌ କରି କମିସନ୍‌ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହା ପରେ ୨୦୧୭, ଜୁଲାଇ ୨୫ରେ କମିସନ ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ। ୩ଟି ରିପୋର୍ଟରେ ୬୦ ହଜାର ୯୪୧ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସଂପର୍କରେ ପରାମର୍ଶ ପ୍ରଦାନ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୩ରୁ ୨୦୧୩, ସେପ୍ଟେମ୍ବର ୧୭ ମଧ୍ୟରେ ଦାଖଲ ୧ ଲକ୍ଷ ୩୮ ହଜାର ୩୮୭ଟି ସତ୍ୟପାଠ ଯାଞ୍ଚ କରି କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ୍‌ ୨୦୧୮, ଜାନୁଆରି ୧୮ରେ ଚତୁର୍ଥ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ୨୯୧ଟି ଅର୍ଥ ଲଗାଣକାରୀ ସଂସ୍ଥାର ୫୫ ହଜାର ୫୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଥିଲା। ଦାଖଲ ରିପୋର୍ଟରେ କ୍ଷୁଦ୍ର ଜମାକାରୀଙ୍କ ଉପରେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଓ ଅନୁମୋଦନ ରହିଥିଲା।

ସମ୍ବନ୍ଧିତ ଖବର