ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସଂଗ୍ରହ ହେଲା ୭୫ ପ୍ରତିଶତ ଘରୋଇ ଜମି; ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଦ୍ଭୁତପୂର୍ବ ସମର୍ଥନ ମିଳିଛି। ସ୍ୱେଚ୍ଛାକୃତ ଭାବେ ପ୍ରାୟ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଛି ।  ଜମି ପ୍ରଦାନକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡ଼ିଆ ଜାତିର ସବୁକିଛି । ସେ ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ । ଶ୍ରୀମନ୍ଦିର ନିରାପତ୍ତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବା ପାଇଁ ପବିତ୍ର ଜନ୍ମାଷ୍ଟମୀ ଦିନ ଶ୍ରୀକ୍ଷେତ୍ରବାସୀଙ୍କୁ ନିବେଦନ କରାଯାଇଥିଲା। ଏହି ଅନୁରୋଧକୁ ରକ୍ଷା କରିଥିବାରୁ ଶ୍ରୀକ୍ଷେତ୍ରବାସୀଙ୍କ ନିକଟରେ କୃତଜ୍ଞ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ମହାପ୍ରଭୁଙ୍କ ପାଇଁ ଜମି ପ୍ରଦାନକାରୀଙ୍କ ଏହି ତ୍ୟାଗକୁ ଓଡ଼ିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେ ରଖିବେ।

ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରୀ-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି । ତେବେ ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୁଲିସ କର୍ମଚାରୀମାନେ ରବିବାର ସମେତ ସବୁ ଛୁଟି ଦିନମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି । ସେଥିପାଇଁ ସେମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବନ୍ଧିତ ଖବର