ସ୍ୟାଟ୍‌ରେ ପଡ଼ିଛି ୭୫ହଜାର ମାମଲା

କଟକ ବେଞ୍ଚରେ ବିଚାରପତି ନାହାନ୍ତି, କ୍ୟାଟ୍‌ ବି ଅଚଳ; ଓଡ଼ିଶା ମାମଲା କୋଲକତାରେ ହେବ ବିଚାର

ଭୁବନେଶ୍ୱର :ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌)ରେ ଏବେ ପ୍ରାୟ ୭୫ ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି। ଏଥିରେ ପ୍ରାୟ ୮ହଜାର ହେଉଛି ସରକାରୀ ଅଧିକାରୀମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା।

ସ୍ୟାଟ୍‌ ପାଇଁ ଅଧ୍ୟକ୍ଷଙ୍କୁ ମିଶାଇ ୮ଜଣ ବିଚାରପତି ରହିବା କଥା। ଏଥି ମଧ୍ୟରୁ ୪ଜଣ ପ୍ରଶାସନିକ ସଦସ୍ୟ ଓ ଆଉ ଚାରିଜଣ ବିଚାର ବିଭାଗରୁ ରହିବାକଥା। କିନ୍ତୁ ପ୍ରାୟ ୪ବର୍ଷ ଧରି ସ୍ୟାଟ୍‌ରେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ଜଣେ ପ୍ରଶାସନିକ ସଦସ୍ୟ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱରେ ଥିବାବେଳେ ଅନ୍ୟ ଜଣେ ବିଚାର ବିଭାଗୀୟ ସଦସ୍ୟଙ୍କୁ ନେଇ ସ୍ୟାଟ୍‌ର ଭୁବନେଶ୍ୱର ସ୍ଥିତ ପ୍ରମୁଖ ବେଞ୍ଚ ଓ କଟକ ବେଞ୍ଚ ଚାଲୁଛି। ଏହାଛଡା ଏହି ଦୁଇଜଣ ବିଚାରପତିଙ୍କୁ ବି ସମ୍ବଲପୁର ଓ ବ୍ରହ୍ମପୁରର ସର୍କିଟ୍‌ ବେଞ୍ଚକୁ ବଞ୍ଚାଇ ରଖିବାକୁ ପଡୁଛି।

ଓଡିଶା ସରକାରଙ୍କ ହିସାବ ଅନୁଯାୟୀ, ଗତ ଅଗଷ୍ଟମାସ ଶେଷସୁଦ୍ଧା ସ୍ୟାଟ୍‌ର ବିଭିନ୍ନ ବେଞ୍ଚରେ ୪୨,୫୨୧ଟି ମୂଳ ମାମଲା, ୪୦୬ଟି ସ୍ଥାନାନ୍ତରିତ ମାମଲା ଓ ୩୧,୨୫୧ ଟି ଅନ୍ୟ ବିବିଧ ମାମଲା ବିଚାର ପ୍ରତୀକ୍ଷାରେ ରହିଥିଲା। ଇତି ମଧ୍ୟରେ ଏହି ସଂଖ୍ୟା କମିବା ପରିବର୍ତେ ବଢିବାରେ ଲାଗିଛି।

ସ୍ୟାଟ୍‌ରେ ଦ୍ୱିତୀୟଶ୍ରେଣୀ ପାହ୍ୟାର ୨୩ଟି, ତୃତୀୟ ଶ୍ରେଣୀ ପାହ୍ୟାର ୨୧ଟି ଓ ଚତୁର୍ଥଶ୍ରେଣୀ ପାହ୍ୟାର ୧୨ଟି ପଦବିକୁ ମିଶାଇ ମୋଟ୍‌ ୬୨ଟି ପଦବି ଏବେ ଖାଲି ପଡିଛି। ବିଶେଷକରି ୩ବର୍ଷ ତଳେ ରାଜ୍ୟ ସରକାର ସ୍ୟାଟ୍‌ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେବା ପରଠାରୁ ଆଉ ନୂଆ ବିଚାରପତି କିମ୍ବା ଅନ୍ୟ କର୍ମଚାରୀ ନିଯୁକ୍ତ ହେଉନାହାନ୍ତି। ଫଳରେ ଦିନକୁ ଦିନ ସମସ୍ୟା ବଢି ଚାଲିଛି। ଅନ୍ୟ ପକ୍ଷରେ ସ୍ୟାଟ୍‌ ଉଚ୍ଛେଦ ହେଲେ ଏଠାରେ ଥିବା ମାମଲା ଗୁଡିକ ହାଇକୋର୍ଟ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଥିବା ବେଳେ ଏଯାବତ୍‌ ଓଡିଶା ହାଇକୋର୍ଟ ଏ ସଂକ୍ରାନ୍ତରେ ସବୁଜ ସଙ୍କେତ ଦେଇନାହାନ୍ତି।

ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ହାଇକୋର୍ଟରେ ଏବେ ପ୍ରାୟ ଏକ ଲକ୍ଷ ୭୦ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି। ଏଠି ବି ବ୍ୟାପକ ସଂଖ୍ୟକ ବିଚାରପତି ପଦବି ଖାଲିପଡିଛି। ହାଇକୋର୍ଟରେ ଯେତିକି ମାମଲା ରହିଛି ସେହି ଅନୁପାତରେ ଅନ୍ୟୁନ ୪୨ଜଣ ବିଚାରପତି ଆବଶ୍ୟକ ବୋଲି ବରିଷ୍ଠ ଓକିଲମାନେ କହୁଛନ୍ତି। ସ୍ୟାଟ୍‌ର ମାମଲା ଯଦି ହାଇକୋର୍ଟକୁ ସ୍ଥାନାନ୍ତରିତ ହୁଏ ତେବେ ଏଠାରେ ୫୦ଜଣ ବିଚାରପତି ରହିବା ଦରକାର ପଡିବ ବୋଲି ଆଇନଜୀବୀମାନଙ୍କ ମତ। ଅନ୍ୟପକ୍ଷରେ ଦୀର୍ଘଦିନ ଧରି ଓକିଲଙ୍କ ଆନ୍ଦୋଳନ ଯୋଗୁଁ ହାଇକୋର୍ଟ ଓ ସ୍ୟାଟ୍‌ରେ ମାମଲା ବିଚାର ପ୍ରକ୍ରିୟା ବି ବାଧାପ୍ରାପ୍ତ ହୋଇଛି। ଏମିତିକି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ଚାଲୁଥିବା ଓକିଲଙ୍କ ଆନ୍ଦୋଳନର ପ୍ରଭାବ ସିଧାସଳଖ ସମ୍ବଲପୁର ସର୍କିଟ୍‌ ବେଞ୍ଚରେ ଅନୁଭୂତ ହେଉଛି।

ସ୍ୟାଟ୍‌ ଭଳି କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ୍‌)ର କଟକ ବେଞ୍ଚର ଅବସ୍ଥା ଅତି ଗୁରୁତର। ଏଠାରେ ଏବେ ଜଣେ ହେଲେ ବିଚାରପତି ନାହାନ୍ତି। ତେଣୁ କ୍ୟାଟ୍‌ର କଟକ ବେଞ୍ଚକୁ ଏବେ କୋଲକାତା ବେଞ୍ଚ ସହ ଯୋଡି ଦିଆଯାଇଛି। ଓଡିଶାର କୌଣସି କେନ୍ଦ୍ର ସରକାରୀ କର୍ମଚାରୀ ତାଙ୍କ ଚାକିରି କିମ୍ବା ପେନ୍‌ସନ ସଂକ୍ରାନ୍ତରେ କ୍ୟାଟ୍‌ର କଟକ ବେଞ୍ଚରେ ମାମଲା ରୁଜୁକରି ନ୍ୟାୟ ପାଉନାହାନ୍ତି। ସେମାନଙ୍କୁ ଖର୍ଚ୍ଚକରି କୋଲକାତା ଦଉଡିବାକୁ ପଡିବ।

ସମ୍ବନ୍ଧିତ ଖବର