ମାହାଙ୍ଗା ପୂର୍ତ୍ତ ସେକ୍ସନରେ ଟେଣ୍ଡର ଘୋଟାଲା: ୪ବର୍ଷରେ ୭୬କୋଟି ଟଙ୍କାର କେଳେଙ୍କାରୀ

ବିରୋଧୀ ପକ୍ଷରୁ ଭିଜିଲାନ୍ସ ତଦନ୍ତ ଦାବି

ଯାଜପୁର/କଟକ,: ପୂର୍ତ୍ତ ବିଭାଗର କଟକ ଡିଭିଜନ୍-୨ ଅଧୀନ ସାଲେପୁର ସବଡିଭିଜନ ମାହାଙ୍ଗା ସେକ୍ସନରେ ଗତ ୪ବର୍ଷ ମଧ୍ୟରେ ଖୋଲା ଟେଣ୍ଡର ଓ ଗୁପ୍ତ ଟେଣ୍ଡରରେ ୭୬କୋଟି ଟଙ୍କାରୁ ଅଧିକ କେଳେଙ୍କାରୀ ହୋଇଛି। ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଦୁର୍ନୀତିକୁ ନେଇ ଯନ୍ତ୍ରୀ-ଠିକାଦାରଙ୍କ ଅସାଧୁ ମେଣ୍ଟ ହରଡ଼ ଘଣାରେ ପଡ଼ିଥିବାବେଳେ ଆସନ୍ତାକାଲି ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯାଇଛି।

ହସ୍ତଗତ ତଥ୍ୟରୁ ଜଣାପଡ଼ିଛି ଯେ, ପୂର୍ତ୍ତ ବିଭାଗର ମାହାଙ୍ଗା ସେକ୍ସନରେ ଗତ ୪ବର୍ଷ ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ରେ ମୋଟ ୬୮କୋଟି ୬୯ଲକ୍ଷ ୫୫ହଜାର ୩୦୦ ଟଙ୍କାର ଟେଣ୍ଡର କାମ ହୋଇଛି। ଏହାବାଦ୍‌ ଗତ ୩ ବର୍ଷରେ ‌୩/୪ଟି ରାସ୍ତା ଉପରେ ସହକାରୀ ଯନ୍ତ୍ରୀଙ୍କ ସହିତ ମଧୁର ସମ୍ପର୍କ ରଖିଥିବା ୨/୩ଜଣ ଠିକାଦାରଙ୍କ ଜରିଆରେ ୨୧୫ ଟି ଗୁପ୍ତ ଟେଣ୍ଡର ବାବଦରେ ୭ କୋଟି ୭୯ ଲକ୍ଷ ୩୬ ହଜାର ୨୭ ଟଙ୍କା ସରକାରୀ ଅନୁଦାନ ହେରାଫେରି କରାଯାଇଛି। କେବଳ ଏହି ସେକ୍ସନରେ ୨୦୧୮-୧୯ ଗୁପ୍ତ ଟେଣ୍ଡର ବାଦ ଗତ ୪ ବର୍ଷରେ ଖୋଲା ଟେଣ୍ଡର ଓ ଗୁପ୍ତ ଟେଣ୍ଡର ବାବଦରେ ୭୬ କୋଟି ୪୮ଲକ୍ଷ ୯୧ହଜାର ୩୨୭ଟଙ୍କା ବିଭାଗୀୟ ଅଧିକାରୀ ବ୍ୟୟ କରିଛନ୍ତି। କୋଟି କୋଟି ଟଙ୍କା ବ୍ୟୟ ହୋଇଥିବା ରାସ୍ତା ଓ ଗାର୍ଡ ୱାଲ ଧସିଯିବା, ଫାଟି ଦୁଇ ଫାଳ ହେବା ସହିତ ଦବି ଯିବା ଯୋଗୁ ଁ ଯନ୍ତ୍ରୀ- ଠିକାଦାରଙ୍କ ଅସାଧୁମେଣ୍ଟର ଗୁମର ଖୋଲିବାରେ ଲାଗିଛି। ଚର୍ଚ୍ଚାରେ ଥିବା ମାହାଙ୍ଗା ସେକ୍ସନର କେଳେଙ୍କାରୀ ନେଇ ବାରମ୍ବାର ଆନ୍ଦୋଳନ ଓ ଗଣମାଧ୍ୟମ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ମହାପାତ୍ର କହିଛନ୍ତି ଆସନ୍ତାକାଲି ସେ ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ଏଥି ପୂର୍ବରୁ ଗତକାଲି ମନ୍ତ୍ରୀ ପ୍ରତାପ ଜେନା ଏହି ସେକ୍ସନ ଦୁର୍ନୀତି ନେଇ ମତ ରଖି କହିଥିଲେ ଯେ ଦୁର୍ନୀତ‌ିଖୋରଙ୍କୁ ଚପଲରେ ପିଟ। ଅପରପକ୍ଷରେ ବିଜେପି ଯୁବନେତା ତଥା ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ସାରଦା ପ୍ରସାଦ ପ୍ରଧାନ ଏହି ମହାଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ପୂର୍ତ୍ତ ଓ ଜଳସେଚନ ବିଭାଗ ସଚିବ, ଭିଜିଲାନ୍‌ସ ନିର୍ଦେଶକ ଓ ଜିଲ୍ଲାପାଳଙ୍କ ନିକଟରେ ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିି କରିଛନ୍ତି।

ସମ୍ବନ୍ଧିତ ଖବର