କମ୍‌ ସଂକ୍ରମିତ ଅଧିକ ସୁସ୍ଥ: ୭୯ ସଂକ୍ରମିତ, ୮୪ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଯେତିକି ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ତା’ଠାରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ କିଛିଦିନ ହେବ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଛି। ଏହାସହ ଗତ ୨୪ଘଣ୍ଟାରେ ୭୯ଜଣ ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଯାହାଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି। ତେବେ ରାଜ୍ୟରେ କରୋନା ସଂକ୍ରମଣ ଦ୍ବିଗୁଣିତ ହାର ୧୧.୦୫ ଦିନ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

କଟକ ଜିଲ୍ଲାରେ ସର୍ବାଧିକ ୧୬ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରେ ୧୪ଜଣ, ଢେଙ୍କାନାଳ‌େର ୩, ଗଞ୍ଜାମର ୫, ଖୋର୍ଧା‌ରେ ୪ (ସୁରତ ଫେରନ୍ତା), ନୟାଗଡ଼ରେ ୩ ଓ କନ୍ଧମାଳର ଜଣେ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି କେନ୍ଦ୍ରାପଡ଼ାର ୬ ଜଣ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ାର ଜଣେ, ଯାଜପୁରରେ ୨, ପୁରୀର ୪, କନ୍ଧମାଳର ୭, ଅନୁଗୁଳରେ ଜଣେ, କେନ୍ଦୁଝର‌େର ୮ ଓ ବାଲେଶ୍ବରରେ ୪ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ୭୯ ସଂକ୍ରମିତଙ୍କ ମଧ୍ୟରୁ ୭୧ଜଣ ସଙ୍ଗରୋଧ କେନ୍ଦ୍ରରେ ଓ ୮ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆଜି ରାଜ୍ୟରେ ୮୪ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୪ଜଣ ଥିବା ବେଳେ ଯାଜପୁରରୁ ୧୮, ବାଲେଶ୍ବରରୁ ୧୧, କଟକ ୭, ଭଦ୍ରକ ୬, କେନ୍ଦ୍ରାପଡ଼ା ୫, ଖୋର୍ଧା ଓ ପୁରୀରୁ ୪ ଜଣ ଲେଖାଏ, ନୟାଗଡ଼ ଓ ମୟୂରଭଞ୍ଜରୁ ୨ଜଣ ଲେଖାଏ ଓ ଜଣେ ସୁନ୍ଦରଗଡ଼ରୁ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୭୩୩ରେ ପହଞ୍ଚିଛି। ୭୭୭ଜଣ ସକ୍ରିୟ ଏବେ ଚିକିତ୍ସିତ ହେଉଛନ୍ତି। ଏ ପର୍ଯ୍ୟନ୍ତ ୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ କରୋନା ସଂକ୍ରମଣ ଦ୍ବିଗୁଣିତ ହାର ୧୧.୦୫ ଦିନ ରହିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। କିଛିଦିନ ପୂର୍ବରୁ ଏହା ବହୁତ କମ୍ ରହିଥିଲା। ଯଦିଓ ଏବେ ବି ରାଜ୍ୟର ଏହି ହାର ଜାତୀୟ ସ୍ତରରେ ୧୩ଦିନ ଠାରୁ କମ୍ ରହିଛି ଆସନ୍ତା କିଛିଦିନ ଭିତରେ ଏଥିରେ ସୁଧାର ଆସିବ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର