ସପ୍ତମ ଚିଲିକା ମହୋତ୍ସବ ଆରମ୍ଭ: ‘ଚିଲିକା ବି ଓଡ଼ିଶାର ଅନ୍ୟ ପରିଚୟ’

ବ୍ରହ୍ମଗିରି: ବିଶ୍ବ ଦରବାରରେ ଓଡ଼ିଶା ଯେଉଁ ସବୁ ପାଇଁ ପରିଚିତ ହୋଇ ପାରିଛି ସେଥି ମଧ୍ୟରେ ଚିଲିକା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ ନିଳାମ୍ବୁ ଚିଲିକା ଓଡ଼ିଶା ପାଇଁ ଗୌରବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ସାତପଡ଼ାଠାରେ ଆଜି ସପ୍ତମ ଚିଲିକା ମହୋତ୍ସବକୁ ଉଦ୍‌ଘାଟନ କରିବା ଅବସରରେ ରାଜ୍ୟପାଳ ଏହା ପ୍ରକାଶ କରିଛନ୍ତି। ଆଜି ସକାଳୁ ମା’କାଳିଜାଈଙ୍କ ପାଖରୁ ମଶାଲ ଜ୍ୟୋତି ଅଣାଯାଇଥିଲା। ସ୍ଥାନୀୟ ବିଧାୟକ ସଞ୍ଜୟ କୁମାର ଦାସବର୍ମା, ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ସିଡିଏ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବାଲୁଗାଁ ଡିଏଫଓ ମଶାଲ ଆଣିଥିଲେ। ଅପରାହ୍ନରେ ମଶାଲ ଆସି ସାତପଡାଠାରେ ପହଞ୍ଚିଥିଲା। ସଂଧ୍ୟାରେ ରାଜ୍ୟପାଳ ସାତପଡାଠାରେ ପହଞ୍ଚି ଚିଲିକା ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ବିଧାୟକ ଶ୍ରୀ ଦାସବର୍ମାଙ୍କ ସମେତ କୃଷ୍ଣପ୍ରସାଦ ବ୍ଲକ୍ ଅଧ୍ୟକ୍ଷା ସୈାଦାମିନି ମାନସିଂ, ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ, ଏସ୍‌ପି ସାର୍ଥକ ଷଡ଼ଙ୍ଗୀ, ଏଡିଏମ୍ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ଚିଲିକା ମହୋତ୍ସବ ଆରମ୍ଭ ହେବା ଅବସରରେ ଆଜି ବିଧାୟକ ଶ୍ରୀ ଦାସବର୍ମା ସାତପଡ଼ା ବସଷ୍ଟାଣ୍ଡଠାରେ ଏକ ଟିକେଟ କାଉଣ୍ଟର ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧିତ ଖବର