ଶିକ୍ଷାର ପ୍ରସାର ଓ ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଜରୁରୀ

ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ୭ମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ୭ମ ପ୍ରତିଷ୍ଠା ଦିବସ ଓ ଆଲୋଚନାଚକ୍ର ଆଜି ପ୍ରେସ୍ କ୍ଲବ୍ ଅଫ ଓଡ଼ିଶାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ଅଧ୍ୟକ୍ଷ ଉମାଚରଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଦୁର୍ନୀତିର ମୂଳ ହେଉଛି ରାଜନୈତିକ ଦଳ ଓ ପ୍ରଶାସନ। ଆମ ସଂସ୍କୃତି ହିଁ ଆମକୁ ଦୁର୍ନୀତି କରିବା ଶିଖାଇଛି। ୟୁରୋପୀୟ ଦେଶମାନଙ୍କରେ ବ୍ୟକ୍ତିଗତସ୍ତରରେ ଦୁର୍ନୀତି ବହୁତ କମ୍। ଶିକ୍ଷାର ପ୍ରସାର ସାଙ୍ଗକୁ ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଡ଼ିବ। ଫଳରେ ଲୋକମାନଙ୍କ ମଧ୍ୟରେ ଅର୍ଥ ଉପାର୍ଜନ କରିବାର ଲାଳସା ନିୟନ୍ତ୍ରିତ ହୋଇପାରିବ। ସ୍ବାଧୀନତା ସମୟରେ ଗାନ୍ଧୀଜୀ ରାଜନୀତି କରୁଥିଲେ, ହେଲେ ଲୋକମାନେ ଏଥିପାଇଁ ଦାନ କରୁଥିଲେ। ପୂର୍ବରୁ ସରପଞ୍ଚ ହେବା ପାଇଁ ପ୍ରାର୍ଥୀ ମିଳୁ ନ ଥିବା ବେଳେ ଏବେ ଲକ୍ଷାଧିକ ଟଙ୍କା ଖର୍ଚ କରି ଲୋକମାନେ ସରପଞ୍ଚ ହେବାକୁ ଚାହୁଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟରେ ୮୫ଲକ୍ଷ ଯୁବକ ରାଜରାସ୍ତାରେ ଛିଡ଼ା ହୋଇଛନ୍ତି। ସେମାନଙ୍କ ପାଇଁ ନିଯୁକ୍ତି ନାହିଁ। ୬୦ ଲକ୍ଷ ଓଡ଼ିଆ ହାଇଦ୍ରାବାଦ, ତାମିଲନାଡ଼ୁ, ସୁରତରେ ହୋଟେଲ ବୟଙ୍କଠାରୁ ଆରମ୍ଭ କରି ଶ୍ରମିକ ଓ ସୁରକ୍ଷା କର୍ମୀ ଚାକିରି କରୁଛନ୍ତି। ମାତ୍ର ଏଠାରେ ମେକ୍ ଇନ୍ ଓଡ଼ିଶା ହେଉଛି। ୨୦୦୧ରୁ ୨୦୦୫ ମଧ୍ୟରେ ରାଜ୍ୟରେ ପ୍ରତିଦିନ ୫ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ୨୦୧୫ରୁ ୨୦୧୮ମଧ୍ୟରେ ପ୍ରତିଦିନ ୮ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ରାଜ୍ୟରେ ଜଳ ବିଦ୍ୟୁତ୍‌ର ଉପଯୁକ୍ତ ପରିଚାଳନା କରାଗଲେ ଲୋକମାନଙ୍କୁ ଶସ୍ତାରେ ବିଦ୍ୟୁତ୍ ମିଳିପାରିବ। ଏବେ ବିଦ୍ୟୁତ୍‌ ଚୋରି ଓ ଟ୍ରାନ୍‌ସମିସନ୍ ଜନିତ କ୍ଷତି ୪୪ ପ୍ରତିଶତ ରହିଛି। ଏହାକୁ ୧୨/୧୫ପ୍ରତିଶତକୁ ଅଣାଯାଇ ପାରିଲେ, ଲୋକମାନଙ୍କୁ ଶସ୍ତାରେ ବିଦ୍ୟୁତ୍‌ ମିଳିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କହିଲେ, ତ୍ବରାନ୍ବିତ ବିକାଶ ଓ ବିକାଶର ଗତିକୁ ବଢ଼ାଇବା ହେଉଛି ମୁଖ୍ୟ ଲକ୍ଷ୍ୟ। ଚାରିଆଡ଼େ ଦୁର୍ନୀତି ପରିବ୍ୟାପ୍ତ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ହେଂ‌ଲେ ୨/୩ଟି କାର୍ଯ୍ୟ ଉପରେ ଗୁରୁତ୍ବ ଦେବାକୁ ହେବ। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆରେ ଟୋଲମୁକ୍ତ ନମ୍ବର ଦେବାକୁ ହେବ। ଫଳରେ ପାରଦର୍ଶିତା ସହିତ ଉତ୍ତରଦାୟିତ୍ବ ବଢ଼ିବ। କେବଳ ନମ୍ବର ଦେଇଦେଲେ ହେବ ନାହିଁ, ସକାଳ ୧୦ଟାରୁ ୬ଟା ମଧ୍ୟରେ ଯେଉଁ ଅଭିଯୋଗ ଆସିବ, ତାହାର ସମାଧାନ କରାଯାଉଛି କି ନାହିଁ ତାହାର ଯାଞ୍ଚ କରିବାକୁ ହେବ। ତେବେ ସାମାଜିକ ଅଡିଟ୍‌କୁ ବାଧ୍ୟତାମୂଳକ କରିବାକୁ ହେବ। କୌଣସି କାର୍ଯ୍ୟ କିମ୍ବା ପ୍ରକଳ୍ପକୁ ଲୋକମାନେ ଏହାର ଗୁଣବତ୍ତା ଯାଞ୍ଚ କରିବା ସହିତ ଏଥିପାଇଁ ଧାର୍ଯ୍ୟ ଟଙ୍କା ବିନିଯୋଗ ହୋଇଛି କି ନାହିଁ ତାହା ମଧ୍ୟ ଲୋକମାନେ ଦେଖିବେ। ଏଥିପାଇଁ ଏକ ସାମାଜିକ ନିର୍ଦେଶାଳୟ ମଧ୍ୟ ରହିଛି। ମାତ୍ର ଏହା କାମ କରୁଛି କି ନାହିଁ ତାହା ଜଣାନାହିଁ। ପଞ୍ଚାୟତ ଓ ବ୍ଲକ୍‌ସ୍ତରରେ ହଜାର ହଜାର ଲଘୁ ଉଦ୍ୟୋଗ ହୋଇପାରିଲେ ଲୋକମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ।

ଉତ୍କଳ ଭାରତର ସଭାପତି ଖାରବେଳ ସ୍ବାଇଁ କହିଲେ, ଭ୍ରଷ୍ଟାଚାରମୁକ୍ତ ଓ ପରିଶ୍ରମୀ ଓଡ଼ିଶା ହିଁ ସ୍ବପ୍ନର ଓଡ଼ିଶା ହେବା ଦରକାର। କେବଳ ଆଇନ କରିଦେଲେ ହେବ ନାହିଁ। ଏହାର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବାକୁ ହେବ। ଆଜିର ସମୟରେ ଗ୍ରାମାଞ୍ଚଳ ଅଧିକ ହିଂସ୍ର ଓ ଭ୍ରଷ୍ଟାଚାରର ଜାଗା ପାଲଟିଛି। ପ୍ରାଥମିକ ସ୍କୁଲଗୁଡ଼ିକ ବିପିଏଲ ହୋଟେଲରେ ପରିଣତ ହୋଇଯାଇଛି। ତେଣୁ ଗୋଟିଏ ଜାତି ଉପରକୁ ଉଠିବାକୁ ହେଲେ ସୁଶାସନ ଜରୁରୀ। ସରକାରୀ ଚାକିରି ପଛରେ ଗୋଡ଼ାଉଥିବା ଯୁବକମାନେ କିଭଳି ଶି‌ଳ୍ପୋଦ୍ୟୋଗୀ ହୋଇପାରିବେ, ସେଥିପାଇଁ ଏକ ବାତାବରଣ ସୃଷ୍ଟି କରିବାକୁ ହେବ। ଇଜ୍ ଅଫ ଡୁଇଂ ବିଜିନେସ୍‌କୁ ସୁଗମ କରିବାକୁ ହେବ ବୋଲି ଶ୍ରୀ ସ୍ବାଇଁ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ପ୍ରଭାତ ରଂଜନ ମଲ୍ଲିକ ଓ ପ୍ରଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମଞ୍ଚ ପକ୍ଷରୁ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ପ୍ରାରମ୍ଭରେ ମଞ୍ଚର ସାଧାରଣ ସଂପାଦକ ଜଗବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ। ପରେ ମଞ୍ଚ ପକ୍ଷରୁ ହୋଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର