ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ହତାଶ

ତ୍ରୁଟିପୂର୍ଣ୍ଣ ୭ମ ବେତନ କମିସନ ବିଜ୍ଞପ୍ତି ଅଭିଯୋଗ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୃଥକ ଭାବେ ୭ମ ବେତନ କମିସନ ଲାଗୁ ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ନେଇ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀମାନେ ହତାଶ ହୋଇଛନ୍ତି। ଅଧ୍ୟାପକ ଓ କର୍ମଚାରୀଙ୍କୁ ଏହା ହତାଶ କରିବା ସହ ନୈରାଶ୍ୟ ଖେଳାଇ ଦେଇଛି ବୋଲି ନିଖିଳ ଓଡ଼ିଶା ରାଜ୍ୟ ଦରମାପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ ସଂଘ ଅଭିଯୋଗ କରିଛି।

ସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ବେତନରେ ଥିବା ଅସଙ୍ଗତି ଦୂର ଲାଗି ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏବେ ପ୍ରକାଶିତ ବିଜ୍ଞପ୍ତିରେ ବ୍ୟତିକ୍ରମ ଦେଖାଦେଇଛି। ଓଡ଼ିଶା ଶିକ୍ଷା ଆଇନ ୧୯୭୪ ଧାରା ୯(ଘ)କୁ ଉଲ୍ଲଙ୍ଘନ କରାଯିବା ସହ ସମାନ କାର୍ଯ୍ୟ କରୁଥିବା ସରକାରୀ ଓ ବେସରକାରୀ କଲେଜ ଅଧ୍ୟାପକଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପେ ମେଟ୍ରିକ୍ସ୍‌ରେ ଯେଉଁ ଅଧ୍ୟାପକମାନେ ୯,୩୦୦ ରୁ ୩୪,୮୦୦ ପେ’ ସହ ୫,୪୦୦ ଗ୍ରେଡ୍‌ ପେ’ ପାଉଥିଲେ ସେମାନଙ୍କ ପାଇଁ ୫୩,୧୦୦ ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି। ଜୁନିୟର କଲେଜରେ କାର୍ଯ୍ୟରତ ଅଧ୍ୟାପକ ୫୬,୧୦୦ ଦରମା ଦେବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।

ଏପରିକି କର୍ମଚାରୀଙ୍କ ପାଇଁ ଏମଏସିପି ପ୍ରଦାନ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ସେମାନଙ୍କୁ ପ୍ରକୃତ ଆର୍ଥିକ ସୁବିଧା ଯୋଗ୍ୟ ଦିନଠାରୁ ଦିଆ ନ ଯାଇ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଦିବସଠାରୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ଅଧ୍ୟାପକ ଓ କର୍ମଚାରୀଙ୍କୁ ବାରମ୍ବାର ପ୍ରତାରିତ କରାଯାଇଥିବାରୁ ସଂଘ ଅସନ୍ତୋଷ ପ୍ରକାଶ ପାଇଛି। ସଂଘର ରାଜ୍ୟ ଆବାହକ ଡ. କମଳ ପ୍ରସାଦ ମହାନ୍ତିଙ୍କ ସମେତ ଗୀତିରାଣୀ ଦାସ, ଲକ୍ଷ୍ମୀଧର ପ୍ରଧାନ, ତରୁଲତା ପରିଡ଼ା, ଅବନୀ ରଞ୍ଜନ ପତି, ଶଙ୍କର ପ୍ରସାଦ ନାୟକ, ସତ୍ୟପ୍ରିୟ ମହାନ୍ତି ଓ ବିଜୟ କୁମାର ପାତ୍ର ପ୍ରମୁଖ ଏହି ତ୍ରୁଟିପୂର୍ଣ୍ଣ ବିଜ୍ଞପ୍ତିରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର