ଥମୁନି ଡେଙ୍ଗୁ, ବାଲେଶ୍ୱରରେ ପୁଣି ୮ ଆକ୍ରାନ୍ତ

ବାଲେଶ୍ୱର : ସମଗ୍ର ରାଜ୍ୟରେ ଚଳିତବର୍ଷ ବାଲେଶ୍ୱର ଜିଲ୍ଲାର ଡେଙ୍ଗୁ ରୋଗୀ ସଂଖ୍ୟା ସର୍ବାଗ୍ରେ ରହିଛି। ଏଇ କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଏକାଧିକ ରୋଗୀ ଡେଙ୍ଗୁ ପରୀକ୍ଷା ଓ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଛନ୍ତି। ଏହାର ନିୟନ୍ତ୍ରଣ ପାଇଁ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଲୋକଙ୍କୁ ସଚେତନ କରୁଛି ବୋଲି ସଫେଇ ଦେଉଛି। ମାତ୍ର ଏହା କେତେମାତ୍ରାରେ ସଫଳ ହୋଇିଛି ତାହା ବଢ଼ିଚାଲିଥିବା ଡେଙ୍ଗୁ ରିପୋର୍ଟରୁ ଜଣାପଡ଼ିଛି।

ମିଳିଥିବା ତଥ୍ୟ ଅନୁସାରେ ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ଚିହ୍ନଟ ପାଇଁ ୨୮ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟରୁ ୮ଜଣ ଡେଙ୍ଗୁରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସମିଳାର ରୁବି ମାନ୍ନା(୨୫), ବର୍ଧନପୁରର ସୋନାଲି ବାରିକ(୨୨), ଦୁବଲାଗଡ଼ିର ସୁବାସ ଚନ୍ଦ୍ର ମାନ୍ନା(୪୫), ବାଲିଆପାଳ ବ୍ଲକ ମାଦରିଆର ରଂଜିତା ପାତ୍ର(୨୦), ଭୋଗରାଇ ବ୍ଲକ ଅଞ୍ଚଳର ରାମ ଦଳେଇ(୧୨), ଚନ୍ଦନ କୁମାର ବାରିକ(୨୫) ରେମୁଣା ବ୍ଲକ ଗାଙ୍ଗପୁରାର ଭାଗବତ ପ୍ରଧାନ(୬୪) ଓ ଜଳେଶ୍ୱର ବ୍ଲକ ଗୋବର୍ଧନପୁରର ଗୌତମ ମହାନ୍ତି(୩୬)।

ଜିଲ୍ଲାରେ ଗୋଟିଏ ପଟେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ଏହାର ତଥ୍ୟ ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅଘୋଷିତ କଟକଣା କରିଥିବା ଦେଖାଯାଇଛି। ଆଜି ଜିଲ୍ଲା ଡାକ୍ତରଖାନାକୁ ଏକାଧିକ ରୋଗୀ ଡେଙ୍ଗୁ ପରୀକ୍ଷା ନିମନ୍ତେ ଆସିଥିବା ବେସରକାରୀ ସୂତ୍ରରୁ ଖବର ମିଳିଥିଲା। ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଆମ ପ୍ରତିନିଧି ଜିଲ୍ଲା ଡାକ୍ତରଖାନାର ମ୍ୟାଲେରିଆ ଓ ଡେଙ୍ଗୁ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ସେ ଏହି ତଥ୍ୟ ପ୍ରଦାନ କରି ନଥିଲେ। କହିଥିଲେ, ଉପରିସ୍ଥ ଅଧିକାରୀଙ୍କ ବିନା ନିର୍ଦେଶରେ କାହାରିକୁ ତଥ୍ୟ ଦିଆଯାଇ ପାରିବ ନାହିଁ। ଏହାର କାରଣ ଜାଣିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିବେକାନନ୍ଦ ଦାସଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଥିଲେ। ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଉକ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର