ଧାମରା ସମୁଦ୍ରରୁ ଧରା ହେଲା ମୂଲ୍ୟବାନ ତେଲିଆ ମାଛ, ୮ଟି ମା‌ଛର ଦା‌ମ ୬ ଲକ୍ଷ ୯୦ ହଜାର ଟଙ୍କା

ଧାମରା : ୨ମାସର ବିଶ୍ରାମ ପରେ ଗତ ୧୫ ତାରିଖରୁ ମତ୍ସ୍ୟଜୀବୀ ସମୁଦ୍ର ମଧୢକୁ ମାଛ ମାରିବା ପାଇଁ ଯାଇଥିଲେ। କିଏ ଆଗ ସମୁଦ୍ରରେ ମାଛ ଧରିବ ଏ ନେଇ ମତ୍ସ୍ୟଜୀବୀଙ୍କ ମଧୢରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ବେଳେ ଏହାର ଫାଇଦା କେତେଜଣ ମତ୍ସ୍ୟଜୀବୀଙ୍କୁ ମିଳିଛି। ସେମାନଙ୍କ ମଧ୍ୟରୁ ଧାମରା ନିକଟସ୍ଥ କାଳନାଳୀ ଗ୍ରାମର ଜଣେ ବୋଟ୍‌ମାଲିକ ସମୁଦ୍ରରୁ ୮ଟି ମୂଲ୍ୟବାନ ତେଲିଆ ମାଛ ଧରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଖବରରୁ ଯାହା ଜଣାଯାଏ ୨ଦିନ ତଳେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଧୁବ୍ର ଗିରିଙ୍କ ଗିଲେଟିନ୍ ବୋଟ ଆଜି ସକାଳ ସମୟରେ ସମୁଦ୍ରରୁ ମୋଟ ୮ଟି ତେଲିଆ ମାଛ (୧୫୦ କିଲୋ) ଧରି କାଳମାଳୀ ଜେଟିକୁ ଆଣିଥିଲେ। ଯାହା ୬ଲକ୍ଷ ୯୦ହଜାର ଟଙ୍କାରୁ ଅଧିକ ଦାମରେ ବିକ୍ରି ହୋଇଥିଲା। ଏହି ପ୍ରଜାତିର ଅଣ୍ତିରା ମାଛର ପୁଣ୍ଟିର ଦାମ ଅଧିକ ଥିବା ସ୍ଥଳେ ଏହା କିଲୋ ପ୍ରତି ୬୫୦୦ ଟଙ୍କାରେ ଓ ମାଈ ମାଛର ପୁଣ୍ଟି ପତଳା ଥିବାରୁ ଏହା କିଲୋ ପ୍ରତି ୩୫୦୦ ଟଙ୍କାରେ ବିକ୍ରି ହୋଇଥିଲା। ଧ୍ରୁବ ଗିରିଙ୍କ ବୋଟ ଆଣିଥିବା ଏହି ୮ଟି ମାଛ ମଧୢରୁ ୫ଟି ଅଣ୍ତିରା ଓ ୩ଟି ମାଈ ଥିଲା ବୋଲି ଜଣାଯାଇଛି।

ପ୍ରତିବର୍ଷ ଏହିପରି ବହୁ ମୂଲ୍ୟବାନ ମାଛ ଧାମରା, କାଳନାଳୀ, ଚନ୍ଦନୀପାଳ ଆଦି ଜେଟିରୁ ରାଜ୍ୟ ବାହାରକୁ ରପ୍ତାନୀ ହେଉଥିବା ବେଳେ ଚଳିତ ବର୍ଷ ଏହି ବିରଳ ମୂଲ୍ୟବାନ ମାଛ ପ୍ରଥମେ ଧାମରା ଅଞ୍ଚଳରେ ଧରାଯିବା ନେଇ ମତ୍ସ୍ୟଜୀବୀମାନଙ୍କ ମଧୢରେ ଉତ୍ସାହ ବୃଦ୍ଧି ପାଇଛି। ଶୁଣାଯାଏ ଏହି ମାଛର ପୁଣ୍ଟିରୁ କୌଣସି ମୂଲ୍ୟବାନ ଔଷଧ ତିଆରି ହେଉଥିବାରୁ ଏହାର ଚାହିଦା ସବୁବେଳେ ଆକାଶଛୁଆଁ ରହିଥାଏ।

ସମ୍ବନ୍ଧିତ ଖବର